ରାଉରକେଲା: ଇସ୍ପାତ ସହରକୁ ଦେଶୀ ମଦ ଚୋରାଚାଲାଣ ଏବେ ନିତିଦିନିଆ ହେଲାଣି। ପୂର୍ବରୁ ମଦ ମାଫିଆ କେବଳ ବିଳମ୍ବିତ ରାତିରେ ଲୁଚାଛପା ମଦ ଚାଲାଣ କରୁଥିବାବେଳେ ଏବେ କିନ୍ତୁ ଦିନ ଦ୍ବିପ୍ରହରରେ ବି କାରବାର ଜାରି ରଖିଛନ୍ତି। ସଂପ୍ରତି କେବଳ ବାଇକ୍ କିମ୍ବା ସ୍କୁଟିରେ ନୁହେଁ; ବରଂ କାର୍, ଅଟୋରେ ସହର ଭିତରକୁ ଦେଶୀ ମଦ ଚାଲାଣ କରୁଛନ୍ତି। ସମାନ ଢ଼ଙ୍ଗରେ କାର୍ରେ ଦେଶୀ ମଦ ଚାଲାଣ କରୁଥିବାବେଳେ ରବିବାର ଅବକାରୀ ପୁଲିସ ଜଣେ ଅଭିଯୁକ୍ତକୁ ଗିରଫକରି କୋର୍ଟଚାଲାଣ କରିଛି। ସମ୍ଭବତଃ କାର୍ରେ ଚାଲାଣକଲେ ପୁଲିସ୍ର ସନ୍ଦେହ ନ ହେବା ଆଶାରେ ଏମାନେ ଏବେ ଏହି ପନ୍ଥା ବାଛିନେଇଛନ୍ତି।
ଗିରଫ ଅଭିଯୁକ୍ତ ହେଉଛି ଡେଲି ମାର୍କେଟ ଅଞ୍ଚଳର ବିକି ସାହୁ। ରବିବାର ଅଭିଯୁକ୍ତ ବେଦବ୍ୟାସ ଅଞ୍ଚଳରୁ କାର୍(ଓଆର୍-୧୫-ଏଲ୍-୩୧୦୧)ରେ ୫ ଶହ ଲିଟର ଦେଶୀ ମଦ ସହର ଭିତରକୁ ଆଣୁଥିଲା। ତେବେ ପାଟ୍ରୋଲିଂ କରୁଥିବା ଅବକାରୀ ପୁଲିସ ନଜରରେ ଅଭିଯୁକ୍ତ ପଡ଼ିଯାଇଥିଲା। ପରେ ପାନପୋଷ ବ୍ରିଜ୍ ନିକଟରେ ପୁଲିସ କାର୍କୁ ଅଟକାଇ ପଚରାଉଚରା କରିବାରୁ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲା। କାର୍କୁ ତନଖି କରାଯିବାରୁ ଡିକିରେ ଦେଶୀ ମଦ ଥିବା ଜଣାପଡ଼ିଥିଲା। ତେବେ ଅଭିଯୁକ୍ତ ନିର୍ଦ୍ଦିଷ୍ଟ କେଉଁଠାରୁ ଆଣୁଥିଲା ସେନେଇ ମୁହଁ ଖୋଲିନଥିବା ଜଣାପଡ଼ିଛି। ପୁଲିସ କାର୍କୁ ଜବତ କରିଛି।
ଉଲ୍ଲେଖଯୋଗ୍ୟ, କେବଳ ଚଳିତ ମାସରେ ସହର ଭିତରକୁ ଦେଶୀ ମଦ ଚାଲାଣ କରୁଥିବାବେଳେ ଏକାଧିକ ଅଭିଯୁକ୍ତ ଧରାପଡ଼ିଛନ୍ତି। ଗତ ୧୩ ତାରିଖରେ ସାରନା ଛକରେ ଦୁଇ ଦେଶୀ ମଦ ବେପାରି ସମରା କିସପଟ୍ଟା ଓ ବୁଧୁଆ ଟେଟେ ଗିରଫ ହୋଇଥିଲେ। ସେମାନେ ବାଇକ୍ରେ ୬୫ ଲିଟର ମଦ ଆଣୁଥିବାବେଳେ ଧରାପଡ଼ିଥିଲେ। ସେହିଭଳି ଗତ ୬ ତାରିଖରେ ସ୍ଥାନୀୟ ତରକେରା ପମ୍ପ୍ ହାଉସ୍ ନିକଟରୁ ୪୫ ଲିଟର ଦେଶୀ ମଦ ଜବତ ହୋଇଥିଲା। ଅବକାରୀ ପୁଲିସ୍ର ଅତର୍କିତ ଚଢ଼ଉ ଦେଖି ଅଭିଯୁକ୍ତ ବାଇକ୍ ଛାଡ଼ି ଫେରାର ହୋଇଯାଇଥିଲା।
କେବଳ ଏତିକି ନୁହେଁ, ତିନି ଦିନ ପୂର୍ବେ ସହର ଭିତରେ ନକଲି ବିଦେଶୀ ମଦ କାରଖାନା ଠାବ ହୋଇଥିଲା। ପୋଖତ ମଦ ମାଫିଆ ବନ୍ଧମୁଣ୍ଡାର ଗଙ୍ଗାଧର ସାହୁ ସେକ୍ଟର-୧୯ସ୍ଥ କ୍ବାର୍ଟର ନଂ ଜି-୨୫୨କୁ ଭଡ଼ାରେ ନେଇଥିଲା। ସେଠାରେ ନିରଙ୍କୁଶଭାବେ ମାସାଧିକ କାଳ ନକଲି ବିଦେଶୀ ମଦ ତିଆରି କରୁଥିଲା। ଗତ ୨୫ ତାରିଖରେ ପୁଲିସ ସେଠାରେ ଚଢ଼ଉକରି ଅଭିଯୁକ୍ତକୁ ଗିରଫ କରିବାସହ ପ୍ରାୟ ସାଢ଼େ ୩ ଲକ୍ଷ ନକଲି ବିଦେଶୀ ମଦ, ବହୁ ପରିମାଣର ନକଲି ଷ୍ଟିକ୍ର, ଲେବଲ୍ ଆଦି ଜବତ କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/20-21.jpg)