ଗଂଜାମ: ଆନ୍ଧ୍ରପ୍ରଦେଶରେ ମଦକୁ ବେଆଇନ୍‌ ଘୋଷଣା ପରେ ଏବେ ମାଫିଆମାନେ ସମୁଦ୍ରପଥରେ ମଦ ଚୋରା ଚାଲାଣ କରୁଥିବା ଦେଖାଯାଇଛି। ଆଜି ସମୁଦ୍ରପଥରେ ମଦ ଚାଲାଣ ବେଳେ ବିଶ୍ବସ୍ତସୂତ୍ରରୁ ଖବରପାଇ ରମ୍ଭା ଥାନା ଅଧିକାରୀ ଦୀପ୍ତିରଂଜନ ବେହେରାଙ୍କ ନେତୃତ୍ବରେ ଦୁଇଟି ଟିମ୍‌ ଛଦ୍ମବେଶରେ ଗଞ୍ଜାମ ବ୍ଲକ୍‌ ବାଳିବନ୍ଧ ପଂଚାୟତର କଣ୍ଟିଆଗଡ଼-ପୋଡ଼ମପେଟା ସ୍ଥିତ ବଙ୍ଗୋପସାଗରର ଗଭୀର ଜଳ ମଝିରେ ଚଢ଼ଉ କରିଥିଲେ। ଏହି ସମୟରେ ଡ଼ଙ୍ଗାରେ ଚାରିଜଣ ମତ୍ସ୍ୟଜୀବୀଙ୍କ ସହ ତିନି ଜଣ ମଦ ବ୍ୟବସାୟୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ସେଠାରେ ଛଦ୍ମବେଶରେ ଉପସ୍ଥିତ ଥିବା ପୁଲିସ ଦୁଇଜଣ ମଦ ବ୍ୟବସାୟୀ ବି.ସାତୟା ଓ ବି.ରାମଙ୍କୁ ଗିରଫ କରିଥିଲା ଏବଂ ସେମାନେ ଚାଲାଣ କରିବାକୁ ଆଣିଥିବା ପାଞ୍ଚହଜାର ଲିଟର ମଦକୁ ଜବତ କରିଥିଲା। ଏହି ଚୋରା ମଦ ଖଲ୍ଲିକୋଟ ବ୍ଲକ୍‌ର ସିକିରିରୁ ଅଣାଯାଇ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍‌ ଜିଲ୍ଲାର ବନ୍ତୁର୍‌କୁ ଚାଲାଣ କରାଯାଉଥିବା ଜଣାପଡିଛି। ଚଢ଼ଉରେ ରମ୍ଭା ଥାନା ସେକେଣ୍ଡ୍‌ ଅଫିସର ବିକାଶ କୁମାର ସାମଲ, ହୁମ୍ମା ଫାଣ୍ଡି ଅଧିକାରୀ ଦେବଦତ୍ତ ପ୍ରିୟଦର୍ଶୀ ପ୍ରମୁଖ ଉପସ୍ଥିତ ଥିଲେ।