ବଡ଼ଦିନରେ ଶାନ୍ତିସ୍ତୂପ ବୁଲିଲେ ୫୦୦୦ ପର୍ଯ୍ୟଟକ; ବଣଭୋଜି ପାଇଁ ମିଳିଲାନି ଅନୁମତି, ପିଣ୍ଡିରେ ପଡ଼ିଲା ତାଲା

ଧଉଳି: ଆଜି ବଡ଼ଦିନ ଅବସରରେ ଧଉଳି ଶାନ୍ତିସ୍ତୂପରେ ବହୁ ସଂଖ୍ୟାରେ ପର୍ଯ୍ୟଟକମାନଙ୍କର ଭିଡ଼ ଜମିଥିଲା । ସ୍ଥାନୀୟ ସରପଞ୍ଚ ପୂର୍ଣ୍ଣିମା ସାହୁଙ୍କ ସୂଚନା ଅନୁସାରେ ପାଖାପାଖି ୫୦୦୦ ପର୍ଯ୍ୟଟକ ଶାନ୍ତିସ୍ତୂପ ବୁଲିବାକୁ ଆସିଥିଲେ । ପର୍ଯ୍ୟଟକମାନଙ୍କ ଲାଗି ଧଉଳି ବୁଲାବୁଲି କରିବାରେ କୌଣସି ସମସ୍ୟା ନଥିଲା । ହେଲେ ଶାନ୍ତିସ୍ତୂପ ପରିସର ଅଞ୍ଚଳରେ ବଣଭୋଜି ଆୟୋଜନ ଫିକା ପଡ଼ିଯାଇଥିଲା । ଏଠାରେ ବଣଭୋଜି ନକରିବାକୁ ନେଇ ଧଉଳି ଥାନା ପୁଲିସ ଭୋଜିପାଇଁ ବ୍ୟବହୃତ ହେଉଥିବା ସବୁ ସଂରକ୍ଷିତ ସ୍ଥାନରେ ବ୍ୟାନର ଓ ପୋଷ୍ଟର ଲଗା ଯାଇଥିଲା।

ପର୍ଯ୍ୟଟନ ବିଭାଗ ପକ୍ଷରୁ ମଧ୍ୟ ବଣଭୋଜି ପାଇଁ ଅନୁମତି ନଥିବାରୁ ଦାୟିତ୍ବରେ ଥିବା ଅଧିକାରୀ ଡେରା ପକାଇଥିଲେ। ଧଉଳି ଗ୍ରାମ ପଞ୍ଚାୟତ ପକ୍ଷରୁ ଭୋଜି ପାଇଁ ନିର୍ମିତ ହୋଇଥିବା ୧୦ଟି ପିଣ୍ଡି ଗେଟରେ ତାଲା ବନ୍ଦ ଥିଲା । ବହିରଙ୍ଗେଶ୍ବର ମନ୍ଦିର ଦୟାଘାଟ, ଖଟୁଆପଡ଼ା, ଧଉଳି ଗାର୍ଡ଼ନ, ଅଶୋକସ୍ତମ୍ବ ନିକଟ ଏବଂ ମହୋତ୍ସବ ପଡ଼ିଆ ପାର୍ଶ୍ବରେ ସଂରକ୍ଷିତ ସ୍ଥାନ ଖାଁ ଖାଁ ହୋଇଯାଇଥିଲା ।

ବଣଭୋଜି କରିବାକୁ ସାଙ୍ଗରେ ଆବଶ୍ୟକ ସାମଗ୍ରୀ ଧରି ପ୍ରସ୍ତୁତ ହୋଇ ଏଠାକୁ ଛୁଟି ଆସିଥିବା ଲୋକମାନେ ନିରାଶ ହୋଇ ଅନ୍ୟତ୍ର ଯିବାକୁ ବାଧ୍ୟ ହୋଇଥିଲେ । ଭୋଜି କରିବା ନେଇ ଉକ୍ତ ସ୍ଥାନରେ ଲୋକମାନଙ୍କର ଭିଡ଼ ଜମିଥିଲା । ହେଲେ ମୁତୟନ ପୁଲିସ କର୍ମଚାରୀ ବାରଣ କରିବାରୁ ତାଙ୍କ କଥାମାନି ସେମାନେ ଫେରିଯାଇଥିଲେ । ଭୋଜି ଆୟୋଜନ କରୁଥିବା ଅମାନିଆ ପର୍ଯ୍ୟଟକମାନଙ୍କୁ ପିସିଆର ପୁଲିସ ଘଉଡ଼ାଇ ଦେଇଥିଲା । ସେହିପରି ଶାନ୍ତିସ୍ତୂପରେ ନିଯୁକ୍ତ ସୁରକ୍ଷା କର୍ମୀ ମଧ୍ୟ ବଣଭୋଜି କରିବାକୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ସତର୍କ କରାଇଥିଲେ ।

ସମ୍ବନ୍ଧିତ ଖବର