ରାୟଗଡ଼ା: ଚାଷୀ ମୁଣ୍ଡରେ ଚଡ଼କ, ୫୦୮ ଉଠାଜଳସେଚନ ପ୍ରକଳ୍ପ ଅଚଳ

ଜିଲ୍ଲାର ୭୯୪୭ ହେକ୍ଟର ଜମିକୁ ମାଡ଼ୁନି ପାଣି, ବନ୍ୟାରେ ଧୋଇ ଯାଇଛି ୭୮ ପ୍ରକଳ୍ପ

ରାୟଗଡ଼ା: ପାଖେଇ ଆସୁଛି ଅକ୍ଷୟ ତୃତୀୟା। ଅକ୍ଷିମୁଠି ଅନୁକୂଳ କରି ଚାଷ କାର୍ଯ୍ୟ ଆରମ୍ଭ କରିବ ଚାଷୀ। କିନ୍ତୁ ବିଳମ୍ବିତ ମୌସୁମୀ ଏବଂ ଜଳସେଚନ ଅବ୍ୟବସ୍ଥାକୁ ନେଇ ଚିନ୍ତାରେ ପଡ଼ିଛି ଚାଷୀ। ଢ଼େପ ଓ ପାହାଡ଼ିଆ ଅଞ୍ଚଳରେ ଜିଲ୍ଲାର ଅଧିକାଂଶ ଜମି ରହିଥିବା ବେଳେ ଏହି ସବୁ ଜମିକୁ ଜଳସେଚିତ ପାଇଁ ନିର୍ମିତ ପ୍ରକଳ୍ପ ଅଚଳ ଅବସ୍ଥାରେ ପଡ଼ିଛି। ୧୧ ବ୍ଲକରେ ୫୦୮ ଉଠାଜଳସେଚନ ପ୍ରକଳ୍ପ ବର୍ଷ ବର୍ଷ ଧରି କାର୍ଯ୍ୟ କରୁନଥିବାରୁ ୭୯୪୭ ହେକ୍ଟର ଜମିକୁ ପହଞ୍ଚି ପାରୁନି ପାଣି।

ରାୟଗଡ଼ା କୃଷି ଜିଲ୍ଲାରେ ୧ ଲକ୍ଷ ୮ ହଜାର ୮୮୪, ଗୁଣପୁର କୃଷି ଜିଲ୍ଲାରେ ୬୪ ହଜାର ୮୧୧ ଏବଂ ମୁନିଗୁଡା କୃଷି ଜିଲ୍ଲାରେ ୬୪ ହଜାର ୨୯୭ ପରିବାର ଚାଷକାର୍ଯ୍ୟ ଉପରେ ନିର୍ଭରଶୀଳ। କ୍ଷୁଦ୍ର, ମଧ୍ୟମ, ବୃହତ୍ତ ଚାଷୀଙ୍କୁ ମିଶାଇ ଜିଲ୍ଲାରେ ମୋଟ ୨ ଲକ୍ଷ ୩୭ ହଜାର ୯୫୨ ଚାଷୀ ପରିବାର ଅଛନ୍ତି। ଯାହା ଦ୍ବାରା ୧୧ ବ୍ଲକ୍ ସମେତ ଗୁଡାରି, ରାୟଗଡ଼ା, ଗୁଣପୁର ପୌରାଞ୍ଚଳର ୩ ଲକ୍ଷ ୮୧ ହଜାର ୫୩୦ ଶ୍ରମିକ ଚାଷକାର୍ଯ୍ୟରେ ନିୟୋଜିତ ହୋଇ ନିଜର ପରିବାର ପ୍ରତିପୋଷଣ କରୁଛନ୍ତି।

ଧାନ ଜିଲ୍ଲାର ପ୍ରମୁଖ ଫସଲ ହୋଇଥିବା ବେଳେ ଖରିଫ୍ ଓ ରବି ଋତୁରେ ଦ୍ବିଫସଲ ଭାବେ ଚାଷ କରାଯାଇଥାଏ। ଚଳିତ ଖରିଫରେ ୫୪ ହଜାର ହେକ୍ଟର ଜମିରେ ଧାନ ଚାଷ ଲକ୍ଷ୍ୟ ରଖିଛି କୃଷି ବିଭାଗ। ଯେଉଁଥି ପାଇଁ ଅକ୍ଷୟ ତୃତୀୟାରେ ପାଗଭିଡ଼ା ଆରମ୍ଭ ହେବ। ପାହାଡ଼ିଆ ଅଞ୍ଚଳ ସାଙ୍ଗକୁ ଅତ୍ୟଧିକ ଗରମ ପ୍ରବଣ ଜୋନରେ ରାୟଗଡ଼ା ଥିବାରୁ ବର୍ଷା ପରିମାଣ ଏହି ଜିଲ୍ଲାରେ ସ୍ବାଭାବିକ ହୋଇପାରୁନି। ଫଳରେ ଚାଷୀ ଉଠାଜଳସେଚନ ଓ କେନାଲ ଜଳସେଚନ ଉପରେ ନିର୍ଭରଶୀଳ।

ଚାଷୀଙ୍କ ଆବଶ୍ୟକତାକୁ ଆଖିରେ ରଖି ଗୁଣପୁର ଉଠାଜଳସେଚନ ବିଭାଜନ ଅଧୀନରେ ୧୨୦୩ ପ୍ରକଳ୍ପ ରହିଛି। ଯାହା ୨୩ ହଜାର ୮୨୩ ହେକ୍ଟର ଜମିକୁ ଜଳ ଯୋଗାଇବ। ୧୨୦୩ ପ୍ରକଳ୍ପରୁ ୮୭୩ ପ୍ରକଳ୍ପ ପାଣି ପଞ୍ଚାୟତକୁ ହସ୍ତାନ୍ତର ହୋଇଥିବା ବେଳେ ରକ୍ଷଣାବେକ୍ଷଣ ସହିତ ବିଦ୍ୟୁତ୍ ବିଲ୍ ପୈଠରେ ବିଭ୍ରାଟ ଯୋଗୁ ୧୪୬ ପ୍ରକଳ୍ପ ଅଚଳ ହୋଇ ପଡ଼ିଛି। ଯେଉଁଥି ପାଇଁ ୩୬୨୪ ହେକ୍ଟର ଜମିକୁ ପାଣି ମାଡ଼ି ପାରୁନି। ସେହିପରି ବିଭାଗ ଅଧୀନରେ ଥିବା ୧୦୬ ପ୍ରକଳ୍ପ ଅଚଳ କାରଣରୁ ୨୫୪୭ ହେକ୍ଟର ଏବଂ ବନ୍ୟା, ବାତ୍ୟାରେ ଧୋଇ ଯାଇଥିବା ୭୮ ପ୍ରକଳ୍ପ ଯୋଗୁ ୧୪୨୦ ହେକ୍ଟର ଜମି ଜଳସେଚିତ ହୋଇପାରୁନି।

ଗଭୀର ନଳକୂପ ପ୍ରକଳ୍ପର ମଧ୍ୟ ସମାନ ଅବସ୍ଥା। ୧୨୬୧ଟି ପ୍ରକଳ୍ପ ଦ୍ବାରା ୨୫୨୨ ହେକ୍ଟର ଜମି ଜଳସେଚନ ପାଇଁ ଲକ୍ଷ୍ୟ ରହିଛି। କିନ୍ତୁ କାର୍ଯ୍ୟକ୍ଷମ  ଥିବା ୧୦୮୩ ପ୍ରକଳ୍ପ ଦ୍ବାରା ୨୧୬୬ ହେକ୍ଟରକୁ ପାଣି ମାଡ଼ୁଥିବା ବେଳେ ୧୭୮ ଅଚଳ ପ୍ରକଳ୍ପ ଲାଗି ୩୫୬ ହେକ୍ଟର ଜମିକୁ ପାଣି ମାଡ଼ୁନି। ସେହିପରି ଜିଲ୍ଲାରେ ୨୫୫ଟି ଅଗଭୀର ନଳକୂପ ପ୍ରକଳ୍ପ ରହିଛି। ଯାହା ଦ୍ବାରା ୧୪୭୫ ହେକ୍ଟର ଜମିକୁ ପାଣି ମାଡ଼ୁଛି। ଏହି ସମସ୍ତ ପ୍ରକଳ୍ପ କାର୍ଯ୍ୟକ୍ଷମ ଥିବା ବିଭାଗ ଦର୍ଶାଇଛି। ୬୦ଟି କ୍ଷୁଦ୍ର ନଦୀଜଳ ଉଠାଣ ପ୍ରକଳ୍ପ ମାଧ୍ୟମରେ ୩୦୦ ହେକ୍ଟର ଜମି ପାଣି ମାଡ଼ୁଥିବା ଏବଂ ସମସ୍ତ ପ୍ରକଳ୍ପ ସଚଳ ଥିବା ବିଭାଗୀୟ ସୂଚନାରୁ ଜଣା ପଡ଼ିଛି। କିନ୍ତୁ ବାସ୍ତବ ଚିତ୍ର ଅଲଗା।

ବିଭାଗୀୟ ରେକର୍ଡରେ ସଚଳ ଥିବା ବହୁ ପ୍ରକଳ୍ପ ବାସ୍ତବରେ କାର୍ଯ୍ୟ କରୁନି। ବାରମ୍ବାର ବିଦ୍ୟୁତକାଟ, ଲୋ ଭୋଲଟାଜ୍ ସମସ୍ୟା ଏବଂ ବିଲ୍ ପୈଠ କାରଣ ସହ କିଛି ପାଣି ପଞ୍ଚାୟତରେ ଚାଷ କାର୍ଯ୍ୟ ଛାଡ଼ି ଅନ୍ୟ କାମ କରୁଥିବାରୁ ପ୍ରକଳ୍ପ ଚାଲୁନି। ଅଚଳ ପ୍ରକଳ୍ପ ଦ୍ବାରା ଜିଲ୍ଲାର ୭୯୪୭ ହେକ୍ଟର ଜମିକୁ ପାଣି ମାଡ଼ୁନଥିବାରୁ ପ୍ରକଳ୍ପର ମରାମତି ପାଇଁ ବିଭାଗ ଅନୁଦାନ ଦେବାକୁ ପ୍ରସ୍ତାବ ପଠାଇଛି। ସେହିପରି ୪୧ଟି ନୂତନ ଉଠାଜଳସେଚନ ପ୍ରକଳ୍ପ ଖୋଳିବାକୁ ଚଳିତ ବର୍ଷ ବିଭାଗୀୟ ଅନୁମୋଦନ ମିଳିଛି। କିନ୍ତୁ ଏହି ପ୍ରକଳ୍ପ କେଉଁଠି ଖୋଳା ହେବ ତାହା ଚୂଡାନ୍ତ ହୋଇନି। ଫଳରେ ଖରିଫରେ ନୂତନ ପ୍ରକଳ୍ପ ଚାଷୀଙ୍କ ହିତରେ ଆସି ପାରିବନି।

ସମ୍ବନ୍ଧିତ ଖବର