କୋରାପୁଟ: କୋରାପୁଟ ଟାଉନ ଥାନା ଅନ୍ତର୍ଗତ ଏଲାଇଟ କ୍ଲବ ପରିସରରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଚଢାଉ କରିଛି ପୁଲିସ। ଚଢାଉବେଳେ ୯ଜଣଙ୍କୁ ଗିରଫ କରିଥିବାବେଳେ ସେମାନଙ୍କଠାରୁ ୫୧ହଜାର ୮୦୦ ଟଙ୍କା ଜବତ କରାଯାଇଛି। ପୁଲିସ ଜୁଆଡିମାନଙ୍କୁ ଥାନାରେ ସିଆରପିସିର ୪୧ ଧାରାରେ ଜାମିନ ଦେଇଥିବା ଜଣାପଡିଛି।
ସେମାନେ ହେଲେ ବିରେନ୍ଦ୍ର ନାଗ(୩୫), ସାଗର ଜେନା (୩୧), ଗୋଲକ ବିହାରି ସାହୁ (୩୯), ବିଜୟ କୁମାର ମାଝି(୪୮), ବୃନ୍ଦାବାନ ବାରିକ(୪୮), ନରସିଂହ ପ୍ରଧାନ (୫୦), ରବି ଯାଦବ(୫୦), ରମାକାନ୍ତ ରଥ( ୩୬) ଓ ସଞ୍ଜୀବ କୁମାର ଜେନା (୪୫)। ସମସ୍ତଙ୍କ ଘର କୋରାପୁଟ ସହରରେ ବୋଲି ପୁଲିସ।
ମିଳିଥିବା ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତିରେ ଏଲାଇଟ କ୍ଲବରେ ଜୁଆ ଆଡ୍ଡା ଚାଲିଥିବାନେଇେ ପୁଲିସ ଖବର ପାଇଥିଲା। ଟାଉନଥାନା ଅଧିକାରୀ ଓ ତାଙ୍କ ସହଯୋଗୀ ସଦଳେବଳେ ଏହିଠାରେ ଚଢାଉ କରିଥିଲେ। ଏହି ସମୟରେ ଜୁଆଡିଆମେ ଆଡ୍ଡାରେ ମାତିଥିଲେ। ପୁଲିସ ଜୁଆରେ ପଡିଥିବା ଟଙ୍କା, ବେଡସିଟ୍ ଓ ତାଆସକୁ ଜବତ କରିଥିଲା। ତେବେ ଆଜି କୁମାର ପର୍ଣ୍ଣିମା ରହିଥିବାରୁ ଗଳି ଗଳିରେ ଚାଲିଛି ଜୁଆ ଖେଳ। ଏହାକୁ ରୋକିବାକୁ ପୁଲିସ ତିନିଟି ଟିମ୍ କରି ପ୍ରଟ୍ରୋଲିଂ କରୁଥିବା ଜଣାପଡିଛି।