୧୫-୧୮ ବର୍ଷ ବର୍ଗଙ୍କୁ କୋଭିଡ୍ ଟିକା : ସୁନ୍ଦରଗଡ଼ ଜିଲ୍ଲାର ୫୨ ହଜାର ନେଲେଣି ପ୍ରଥମ ଡୋଜ୍ 

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାରେ ୧୫ରୁ ୧୮ ବର୍ଷ ବୟସ ବର୍ଗର ସଚେତନ କିଶୋର କିଶୋରୀମାନେ ଆଗ୍ରହର ସହ ଟିକାକରଣ କେନ୍ଦ୍ରକୁ ଆସି କୋଭିଡ୍ ଟିକା ନେଉଛନ୍ତି। ଜାନୁଆରି ୩ରୁ ୨୩ ତାରିଖ ମଧ୍ୟରେ ଏହି ବର୍ଗର ୫୨ ହଜାର ୮୩୨ ଜଣ ପୁଅ ଓ ଝିଅ କୋଭିଡ୍ର ପ୍ରଥମ ଡୋଜ୍ ଟିକା ନେଇସାରିଲେଣି। କୋଭିଡ୍ ମୁକାବିଲାରେ ପ୍ରତିଷେଧକ ଟିକା ଏକ ପ୍ରମୁଖ ଅସ୍ତ୍ର । ତେଣୁ ସମସ୍ତଙ୍କ ପାଇଁ ଟିକା ନେବା ଅତି ଜରୁରୀ। ଏହି ବାର୍ତ୍ତା ନେଇ ସୁନ୍ଦରଗଡ଼ ଜିଲ୍ଲାରେ ୧୫ରୁ ୧୮ ବର୍ଷ ବୟସ ବର୍ଗର ୧ ଲକ୍ଷ ୨୧ ହଜାର ୬୫୯ ଜଣ ହିତାଧିକାରୀଙ୍କୁ କୋଭିଡ୍ ଟିକା ଦେବା ପାଇଁ ପ୍ରଶାସନ ଲକ୍ଷ୍ୟ ରଖିଛି। ଏଥିପାଇଁ ଜିଲ୍ଲାର ସମସ୍ତ ୧୭ଟି ବ୍ଲକରେ ଥିବା କୋଭିଡ୍ ଟିକାକରଣ କେନ୍ଦ୍ର ବ୍ୟତୀତ ବିଭିନ୍ନ ସ୍କୁଲ ଓ କଲେଜରେ ସ୍ୱତନ୍ତ୍ର ଶିବିର କରାଯାଇ ଟିକାକରଣ ଚାଲିଛି। ସୁନ୍ଦରଗଡ଼ରେ ଜାନୁଆରି ୩ ତାରିଖରୁ ୧୫ରୁ ୧୮ ବର୍ଷ ବର୍ଗଙ୍କ ପାଇଁ ଟିକାକରଣ ଆରମ୍ଭ ହୋଇଥିଲା। କରୋନା ମୁକାବିଲା ପାଇଁ ଜିଲ୍ଲାରେ ଟିକାକରଣ ଅଭିଯାନକୁ ତ୍ୱରାନ୍ୱିତ କରାଯାଇଥିବା ବେଳେ ଟେଷ୍ଟିଂ ଓ ଟ୍ରାକିଂକୁ ମଧ୍ୟ ଗୁରୁତ୍ୱ ଦିଆଯାଉଥିବା ପ୍ରଶାସନ ପ୍ରକାଶ କରିଛି।

ସମ୍ବନ୍ଧିତ ଖବର