କୋରାପୁଟରେ  ଟିକା ନେଲେ ୫୨୫ ଜଣ, ପ୍ରଥମ ଟିକା ନେଲେ ସଫାଇ କର୍ମଚାରୀ ପଦ୍ମନ ହରିଜନ

କୋରାପୁଟ : କୋରାପୁଟ ଜିଲ୍ଲାରେ ଆଜି କୋଭିଡ-୧୯କୁ ହରାଇବାକୁ ଟିକାକରଣର ଶୁଭାରମ୍ଭ ହୋଇଯାଇଛି। ସ୍ଥାନୀୟ ଗାନ୍ଧୀନଗରସ୍ଥିତ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଠାରେ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଜିଲ୍ଲାପାଳ ମଧୁସୂଦନ ମିଶ୍ର ଆନୁଷ୍ଠାନିକ ଭାବେ ଏହି ଟିକାକରଣ କାର୍ଯ୍ୟର ଶୁଭାରମ୍ଭ କରିଥିଲେ । ପ୍ରଥମ ପର୍ଯ୍ୟାୟରେ ଆଜି ଜିଲ୍ଲାର ୫ଟି କେନ୍ଦ୍ର ଯଥା ଏନଏଲଏନ ମେଡିକାଲ କଲେଜ, କୋରାପୁଟ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ଜୟପୁରସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟ, ବୋରିଗୁମ୍ମା ସିଏଚସି ଓ ମାଥାଲପୁଟ ସିଏଚସିଠାରେ ଟିକାକରଣ କରାଯାଇଛି । ଏହି କେନ୍ଦ୍ର ଗୁଡିକରେ ଶତପ୍ରତିଶତ ଟିକାକରଣ କରାଯାଇଛି।

ସରକାରୀ ସୂଚନା ମୁତାବକ ଆଜି ଏହି ୫ଟି ଟିକା ପ୍ରଦାନ କ‌େନ୍ଦ୍ରରେ ୫୨୫ଜଣଙ୍କୁ ଟିକା ପ୍ରଦାନ କରାଯାଇଛି। ୫ଟି କେନ୍ଦ୍ରରେ ୧୦୦ ଜ‌ଣ ଲେଖାଏ ପ୍ରଦାନ କରାଯିବାକୁ ପୂର୍ବରୁ ନିଷତ୍ତି ନିଆଯାଇଥିବାବେଳେ ଜିଲ୍ଲାର ଏକାଧିକ ଟିକାକରଣ କେନ୍ଦ୍ରରେ ୧୦୦ରୁ ଅଧିକ ଟିକା ପ୍ରଦାନ କରାଯାଇଛି ।  କୋରାପୁଟ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ପଦ୍ମନ ହରିଜନ, ଏନଏଲଏନ ମେଡିକାଲ କଲେଜରେ ଡାକ୍ତର ଶିବାଶିଷ ପାତ୍ର ପ୍ରଥମେ ଟିକା ନେଇଥିଲେ। ପ୍ରଥମତଃ ସ୍ବାସ୍ଥ୍ୟ ବିଭାଗ କର୍ମଚାରୀ, ଡାକ୍ତର, ନର୍ସ, ଆଶା ଓ ଆଇସିଡିଏସର ସମସ୍ତ କର୍ମଚାରୀଙ୍କୁ ଦିଆଯିବା ଲକ୍ଷ୍ୟ ରହିଛି। କୋରାପୁଟ ସହରାଚଂଳ ସ୍ବାସ୍ଥ୍ୟକେନ୍ଦ୍ର ରେ ସଫେଇ କର୍ମଚାରୀ ପଦ୍ମନ ହରିଜନ ପ୍ରଥମେ ଟିକା ନେଇଥିଲେ। କିଛି ସମୟ ପାଇଁ ତାଙ୍କୁ ବିଭାଗ ପକ୍ଷରୁ ନୀରିକ୍ଷଣ ଗୃହରେ ରଖାଯାଇଥିଲା ।

 କୋଭିଡ-୧୯କୁ ହରାଇବାକୁ ମୁଁ ଆଜି ପ୍ରଥମେ ଟିକା ନେଇଛି । ମୁଁ ପ୍ରଥମରୁ ଟିକେ ଭୟରେ ରହିଥିଲି। କିନ୍ତୁ ଟିକାରେ ଯେ ମୋ ଜୀବନ ସୁରକ୍ଷିତ ହେବା ଜାଣିବା ପରେ ବହୁତ ଖୁସି ଅଛି : ପଦ୍ମନ ହରିଜନ, ସଫାଇ କର୍ମଚାରୀ

 

 କରୋନାକୁ ଟିକାକୁ ନେଇ ଭୟଭୀତ ହୁଅନ୍ତୁ ନାହିଁ। ମୁଁ ଆଜି ନେଇଛି, ସୁସ୍ଥ ମଧ୍ୟ ରହିଛି। ମୋତେ କୌଣସି ଅସୁସ୍ଥତା ଲାଗୁ ନାହିଁ। ପ୍ରଥମେ ଯେତେବେଳେ ଏସଏଲଏନ ମେଡିକାଲ କଲେଜରେ ଟିକା ପ୍ରଦାନ ଆରମ୍ଭ ହେଲା ସେହି ସମୟରେ ଠିକେ ଧିମାଇଥିଲା । କିନ୍ତୁ ଦ୍ବିତୀୟାର୍ଦ୍ଧ ସୁଦ୍ଧା ୧୧୦ଜଣଙ୍କୁ ଟିକା ପ୍ରଦାନ କରାଯାଇଛି : ଡ.ଶିବାଶିଷ ପାତ୍ର, ଏସଏଲଏନ ମେଡିକାଲ କଲେଜ, କୋରାପୁଟ

ଟିକାକରଣର ଶୁଭାରମ୍ଭ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟିକା ନେଇଥିବା ହିତାଧିକାରୀମାନଙ୍କ ସହିତ ଭିଡିଓ କନଫରେନସିଂ ମାଧ୍ୟମରେ ଆଲୋଚନା କରିଥିଲେ। ହିତାଧିକାରୀମାନେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଏହିଅବସରରେ କୃତଜ୍ଞତା ଜଣାଇଥିଲେ। ଏହି ଟିକାକରଣ କାର୍ଯ୍ୟକ୍ରମ ଆସନ୍ତା ୨୫ ତାରିଖ ସୁଦ୍ଧା ଶେଷ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏହି ଟିକା ଦେବାର ୨୮ ଦିନ ପରେ ଦ୍ବିତୀୟ ଡୋଜ ଟିକା ଦିଆଯିବ ସିଡିଏମଓ ସୂଚନା ଦେଇଛନ୍ତି। ଏହି ଟିକାକରଣ କାର୍ଯ୍ୟକ୍ରମଗୁଡିକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଦେବେନ କୁମାର ପ୍ରଧାନ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ମକରନ୍ଦ ବେଉରା, ସହରାଚଂଳ ସ୍ବାସ୍ଥ୍ୟକେନ୍ଦ୍ର,କୋରାପୁଟ ମେଡିକାଲ କଲେଜ ଅଧିକ୍ଷକ ପ୍ରଫେସର ସୀତାରାମ ମହାପାତ୍ର, ଡିପିଏମ ଶୁଭକାନ୍ତ ଗନ୍ତାୟତ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଜଗନ୍ନାଥ ପ୍ରସାଦ ରାୟଗୁରୁଙ୍କ ସମେତ ସ୍ବାସ୍ଥ୍ୟ ବିଭାଗର ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର