କୋଭିଡ କଟକଣା ମଧ୍ୟରେ କୋରାପୁଟ ଜିଲ୍ଲାରେ ବାଜିଛି ସ୍କୁଲ ବେଲ୍; ୫୩.୫ ପ୍ରତିଶତ ଛାତ୍ରଛାତ୍ରୀ ଅନୁପସ୍ଥିତ

କୋରାପୁଟ: ବର୍ଷକ ପରେ ଆଜି କୋଭିଡ କଟକଣା ମଧ୍ୟରେ କୋରାପୁଟ ଜିଲ୍ଲାରେ ବାଜିଛି ସ୍କୁଲ ବେଲ୍। ବେଲ ବାଜିବା ପୂର୍ବରୁ ପହଞ୍ଚି ଯାଇଥିଲେ ଛାତ୍ରଛାତ୍ରୀ। ଏହାପୂର୍ବରୁ ଜିଲ୍ଲାର ଶିକ୍ଷକ ଶିକ୍ଷୟିତ୍ରୀମାନେ ପହଞ୍ଚି ଛାତ୍ରଛାତ୍ରୀମାନଙ୍କୁ ପାଛୋଟି ନେଇଥିଲେ।

ତେବେ ଆଜି ପ୍ରଥମ ଦିନରେ କୋରାପୁଟ ଜିଲ୍ଲାର ୧୪ଟି ବ୍ଲକ ଅନ୍ତର୍ଗତ ୨୮୪ଟି ସ୍କୁଲରୁ ୧୫ହଜାର ୬୮୨ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୭୨୯୨ ଜଣ ଛାତ୍ରଛାତ୍ରୀ ଉପସ୍ଥିତ ରହି କ୍ଲାସରୁମ ଶିକ୍ଷାର ଲାଭ ଉଠାଇଥିଲେ। ୧୪ଟି ବ୍ଲକରେ ମାତ୍ର ୪୬.୫୦ ପ୍ରତିଶତ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିବାବେଳେ ୫୩.୫ ପ୍ରତିଶତ ଛାତ୍ରଛାତ୍ରୀ ଅନୁପସ୍ଥିତ ଥିଲେ।

ତେବେ ଜିଲ୍ଲାର ନାରାୟଣପାଟଣା ଓ ଲକ୍ଷ୍ମୀପୁରରେ ଉପସ୍ଥାନରେ ତଳ ଆଡୁ ପ୍ରଥମ ଓ ଦ୍ବିତୀୟ ସ୍ଥାନରେ ରହିଥିବାବେଳେ ଉପସ୍ଥାନର ଶୀର୍ଷ ଆଡୁ ତାଲିକାରେ ସେମିଳିଗୁଡା ପ୍ରଥମ ଓ ଜୟପୁର ଦ୍ବିତୀୟ ସ୍ଥାନରେ ରହିଛନ୍ତି। କୋରାପୁଟ ବ୍ଲକର ୨୪ଟି ସ୍କୁଲରେ ୧୩୭୧ ଜଣ ଛାତ୍ରଛାତ୍ରୀ ପଢୁଥିବାବେଳେ ଆଜି ୭୪୯ ଜଣ ଉପସ୍ଥିତ ରହିଥିଲେ।

ସେହିପରି ସେମିଳିଗୁଡାର ୨୪ଟି ସ୍କୁଲରେ ୮୮୮ ଜଣ ଛାତ୍ରଛାତ୍ରୀ ରହିଥିବାବେଳେ ୭୭୪ ଜଣ ଉପସ୍ଥିତ, ପାଟାଙ୍ଗୀରେ ୧୮ଟି ସ୍କୁଲର ୮୧୯ ଜଣ ଛାତ୍ରଛାତ୍ରୀ ପଢୁଥିବାବେଳେ ୩୬୬ଜଣ, ନନ୍ଦପୁରର ୨୦ଟି ସ୍କୁଲର ୧୧୬୩ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୫୫୭ଜଣ, ଲମତାପୁଟ ବ୍ଲକର ୧୭ଟି ସ୍କୁଲରେ ୮୭୬ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୩୯୩, ବନ୍ଧୁଗାଁ ବ୍ଲକର ୧୨ଟି ସ୍କୁଲରେ ୫୦୮ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୫୫ଜଣ, ନାରାୟଣପଟଣା ବ୍ଲକର ୧୨ଟି ସ୍କୁଲର ୪୦୨ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୧୧ଜଣ ଛାତ୍ରଛାତ୍ରୀ, ଲକ୍ଷ୍ମୀପୁର ବ୍ଲକର ୧୬ଟି ସ୍କୁଲର ୧୦୭୯ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୯୯ଜଣ, ଦଶମନ୍ତପୁର ବ୍ଲକର ୧୯ଟି ସ୍କୁଲର ୮୧୯ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୪୭୬ଜଣ, ଜୟପୁର ବ୍ଲକରେ ୩୩ଟି ସ୍କୁଲର ୧୪୬୪ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୭୧୬ଜଣ, ବୋରିଗୁମ୍ମା ବ୍ଲକର ୩୫ଟି ସ୍କୁଲର ୨୩୭୭ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୮୩୪ ଜଣ, କୋଟପାଡ ବ୍ଲକର ୨୦ଟି ସ୍କୁଲର ୧୪୦୯ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୫୮୦, କୁନ୍ଦୁର ବ୍ଲକର ୧୫ଟି ସ୍କୁଲର ୧୩୨୧ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୬୫୪ ଜଣ ଓ ବୈପାରୀଗୁଡା ବ୍ଲକର ୧୯ଟି ସ୍କୁଲର ୧୧୮୭ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୮ଜଣ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

କୋଭିଡ୍ କଟକଣା ମଧ୍ୟରେ ଶୁକ୍ରବାରଠାରୁ ସ୍କୁଲ ଖୋଲିଛି । କେବଳ ଦଶମ ଓ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀ ସ୍କୁଲ ଆସିଛନ୍ତି । ଛାତ୍ରଛାତ୍ରୀ ମାସ୍କ ପରିଧାନ କରିବା ସହ ସ୍କୁଲକୁ ପ୍ରବେଶ ସମୟରେ ହାତ ସାନିଟାଇଜ୍ କରିବା ଦେଖିବାକୁ ମିଳିଛି। ମାଧ୍ୟମିକ ଶିକ୍ଷା ପରିଷଦ ଅଧୀନରେ ପରୀକ୍ଷା ଦେବା ପାଇଁ ପ୍ରସ୍ତୁତ ହେଉଥିବା ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ନିମନ୍ତେ ଜାନୁଆରି ୮ରୁ ଏପ୍ରିଲ ୨୬ ତାରିଖ ପର୍ଯ୍ୟନ୍ତ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧୀନରେ ପରୀକ୍ଷା ଦେବାକୁ ଥିବା ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଜାନୁଆରି ୮ରୁ ଏପ୍ରିଲ ୨୮ପର୍ଯ୍ୟନ୍ତ ହେବ। ଉଭୟ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଶନିବାର ଓ ରବିବାରକୁ ମିଶାଇ ୧୦୦ ଦିନର ପାଠପଢ଼ା ହେବ।

ଆବଶ୍ୟକସ୍ଥଳେ ଅନ୍ୟଦିନକୁ ଛୁଟି ଦିନ ଘୋଷଣା କରାଯିବାକୁ ରହିଥିବାବେଳେ ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ଏକ ମାର୍ଗଦର୍ଶିକା(ଏସ୍ଓପି) ଜାରି ହୋଇଛି।

ସମ୍ବନ୍ଧିତ ଖବର