୫୬ଜଣ ବାହାର ରାଜ୍ୟର ଶ୍ରମିକଙ୍କୁ ଉଦ୍ଧାର କରି ବସ୍ ଯୋଗେ ଘରକୁ ପଠାଇଲା ଖୋର୍ଦ୍ଧା ପୁଲିସ

ଖୋର୍ଦ୍ଧା: ଗତକାଲି ରାତିରେ ଜାତୀୟ ରାଜପଥ ୧୬ରେ ଆନ୍ଧ୍ରପ୍ରଦେଶ ପଟୁ ଚାଲିଚାଲି ଆସୁଥିବା ଶ୍ରମିକଙ୍କୁ ଉଦ୍ଧାର କରି ଆଜି ଏକ ସ୍ୱତନ୍ତ୍ର ବସ୍ ଯୋଗେ ସେମାନଙ୍କୁ ଛତିଶଗଡ଼ ସୀମାନ୍ତରେ ଛାଡ଼ିଛନ୍ତି । ବିହାର, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ ଆଦି ରାଜ୍ୟର ୫୬ଜଣ ଶ୍ରମିକ ଆନ୍ଧ୍ରପ୍ରଦେଶର ବିଜୟବାହୁଡ଼ାରୁ ଚାଲିଚାଲି ଯାଉଥିବା ବେଳେ ଖୋର୍ଦ୍ଧା ପୁଲିସ୍ ସେମାନଙ୍କୁ ଉଦ୍ଧାର କରି ପିଏନ୍ କଲେଜରେ ଖାଇବା, ପିଇବା ବ୍ୟବସ୍ଥା ସହ ରଖିଥିଲେ । ଏହା ପରେ ଆଜି ଅପରାହ୍‌ଣ ୩ଟା ବେଳେ ସେମାନଙ୍କୁ ଓଡ଼ିଶା ରାଜ୍ୟ ପରିବହନ ନିଗମର ଏକ ସ୍ୱତନ୍ତ୍ର ବସ୍ ଯୋଗେ ଓଡ଼ିଶା ସୀମାନ୍ତ ଜାମଶୋଲା ଫାଟକ ନିକଟରେ ଛାଡ଼ିଥିଲେ । ଏହି କାର୍ଯ୍ୟକ୍ରମରେ ଏସ୍‌ପି ଅଜୟ ପ୍ରତାପ ସ୍ୱାଇଁ, ଏସ୍‌ଡିପିଓ ସୁଶୀଲ ମିଶ୍ର ଓ ଅନ୍ୟ ବରିଷ୍ଠ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ ।

ସେହିଭଳି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ପକ୍ଷରୁ ମଧ୍ୟ ଜାତୀୟ ରାଜପଥ ୧୬ରେ ଚାଲିଚାଲି ଆସୁଥିବା, ସାଇକଲ ଓ ଟ୍ରକ୍‌ରେ ଯାଉଥିବା ଶ୍ରମିକଙ୍କୁ ରନ୍ଧା ଖାଦ୍ୟ ଓ ପାନୀୟ ବଂଟନ କରିବା ସହ ସେମାନଙ୍କ ସହାୟତା କରିବା ଆରମ୍ଭ କରିଛନ୍ତି । ଏଭଳି ସହାୟତା ଆଗାମୀ ୪-୫ ଦିନ ଜାରି ରହିବ ବୋଲି ସଂଘର କାର୍ଯ୍ୟକର୍ତା କେଦାର ପାତ୍ର ସୂଚନା ଦେଇଛନ୍ତି । ଏହି ଖାଦ୍ୟ ବଂଟନରେ ଅନ୍ୟମାନଙ୍କ ମଧ୍ୟରେ ସଂଘର ସଦସ୍ୟ ପ୍ରଶାନ୍ତ ବେହେରା, ମହିନ୍ଦ୍ର ସିଂହ, ବାଲେଶ୍ୱର ସାହୁ, ସିଦ୍ଧେଶ୍ୱର ସିଂହ, ସୁଶାନ୍ତ ମୋହନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର