ଦେଶୀ ମଦ ତିଆରିବାକୁ ନେଉଥିଲେ ୫୮ କ୍ବିଣ୍ଟାଲ ମହୁଲ ଫୁଲ, ଧରାପଡ଼ି ଜେଲ ଗଲେ ୩ ଅଭିଯୁକ୍ତ

ରାଉରକେଲା: ଦେଶୀ ମଦ ତିଆରି କରିବାକୁ ମହୁଲ ଫୁଲ ନେଇ ଯାଉଥିଲେ ତିନି ଅଭିଯୁକ୍ତ। ତେବେ ପୂର୍ବରୁ ଜଗି ରହିଥିବା ଅବକାରୀ ପୁଲିସ ସମସ୍ତଙ୍କୁ ଅଧା ବାଟରେ ହିଁ କାବୁ କରିନେଇଥିଲା। ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ରଘୁନାଥପଲ୍ଲୀ ଥାନା ଅନ୍ତର୍ଗତ ପାନପୋଷ ବସ୍ତିର ଅରବିନ୍ଦ ସିଂହ(୩୫), ଅଶୋକ ଯାଦବ (୪୩) ଓ ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ଖଇରବନ୍ଧର ଚନ୍ଦା କେର୍କେଟା(୪୯)। ଏହାସହ ପ୍ରାୟ ସାଢ଼େ ୩ ଲକ୍ଷ ଟଙ୍କାର ୫୮ କ୍ବିଣ୍ଟାଲ ୧୬ କେଜି ମହୁଲ ଫୁଲ ଓ ୪୦ ଲିଟର ଦେଶୀ ମଦ ଜବତ ହୋଇଛି। ଅବକାରୀ ପୁଲିସ ସୂଚନା ଅନୁସାରେ, ଏହି ତିନି ଅଭିଯୁକ୍ତ ଦୀର୍ଘ ଦିନ ହେଲା ଦେଶୀ ମଦ ତିଆରି ଓ ଚୋରାଚାଲାଣରେ ଜଡ଼ିତ ଅଛନ୍ତି।

ଆଜି ଏମାନେ ମହୁଲ ଫୁଲ ନେଇ ନିଜର ଗନ୍ତବ୍ୟ ସ୍ଥଳକୁ ଯାଉଥିବା ଅବକାରୀ ପୁଲିସ ଆଗୁଆ ସୂଚନା ପାଇଥିଲା। ସମସ୍ତଙ୍କୁ ଗିରଫ କରିବାକୁ ଯୋଜନା ମୁତାବକ ଅବକାରୀ ପୁଲିସ ଦଳ ପାନପୋଷରେ ଜଗି ରହିଥିଲା। ଅଭିଯୁକ୍ତମାନେ ଚାଲାଣ କରୁଥିବାବେଳେ ‌ସମସ୍ତଙ୍କୁ କାବୁ କରିନେଇଥିଲା। ସେମାନେ ନିର୍ଦ୍ଦିଷ୍ଟ କେଉଁ ଅଞ୍ଚଳକୁ ମହୁଲ ଫୁଲ ନେଇ ଯାଉଥିଲେ ସେନେଇ ମୁହଁ ଖୋଲିନଥିବା ଜଣାପଡ଼ିଛି। ଅବକାରୀ ଇନ୍ସପେକ୍ଟର ସ୍ନେହଲତା ନାୟକଙ୍କ ନେତୃତ୍ବରେ ଅନୁଷ୍ଠିତ ଚଢ଼ଉରେ ସବ୍‌ଇନ୍ସପେକ୍ଟର ଶ୍ରୀଧର ମହାନ୍ତି, ମାନସ ମୁଣ୍ଡା, ରମାକାନ୍ତ ଚାନ୍ଦ, ଏଏସ୍‌ଆଇ ତନୁକିଶୋର ପାତ୍ର, ବିଜୟ ଜେନା, ସଞ୍ଜୟ ଭୁକ୍ତା, ସୁନୀତା କେର୍କେଟା, ଲକ୍ଷ୍ମୀରାଣୀ ପଣ୍ଡା ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧିତ ଖବର