ନକ୍ସଲଙ୍କ ଯୋଜନା ପଣ୍ଡ କଲେ ଯବାନ, ୫ କିଲୋ ଓଜନର ଲ୍ୟାଣ୍ଡମାଇନ୍ ନିଷ୍କ୍ରିୟ କଲେ

ମାଲକାନଗିରି: ସୀମାନ୍ତ ଛତିଶଗଡର ଦନ୍ତେଓ୍ଵାଡା ଜିଲ୍ଲାରେ ଯବାନଙ୍କ ଦ୍ବାରା ଏକ ୫ କିଲୋ ଓଜନର ଲ୍ୟାଣ୍ଡମାଇନକୁ ନିଷ୍କ୍ରିୟ କରାଯାଇଛି। ଦନ୍ତେଓ୍ଵାଡା ଏବଂ ସୁକମା ରାସ୍ତାରେ ୨୩୧ ସିଆରପିଏଫ ଯବାନ କୁମ୍ବିଂ କରୁଥିବା ବେଳେ କୁଣ୍ଡସାବାଲି କ୍ୟାମ୍ପ ନିକଟରେ ହିଁ ନକ୍ସଲ ୫ କିଲୋ ଓଜନର ଏକ ଲ୍ୟାଣ୍ଡମାଇନ ଖଞ୍ଜିଥିଲେ। ଯବାନ ସର୍ଚ୍ଚ ଅପରେସନ କରୁଥିବା ବେଳେ ଏହି ଲ୍ୟାଣ୍ଡମାଇନକୁ ଠାବ କରିଥିଲେ। ପରେ ବୋମା ନିଷ୍କ୍ରିୟ ଦଳ ଘଟଣାସ୍ଥଳରେ ପହଞ୍ଚି ବୋମାକୁ ନିଷ୍କ୍ରିୟ କରିଥିଲା। ଯବାନଙ୍କୁ ଟାର୍ଗେଟ କରିବା ପାଇଁ ନକ୍ସଲ ଏହି ଲ୍ୟାଣ୍ଡମାଇନ ପୋତିଥିଲେ।ଏହି ଘଟଣା ଜଂଗରଗୁଣ୍ଡା ଥାନା ଅଂଚଳରେ ଘଟିଛି। ତେବେ ଏହି ଲ୍ୟାଣ୍ଡମାଇନର ବିସ୍ଫୋରଣ ଏତେ ଜବରଦସ୍ତ ଥିଲା ଯେ ସେଠାରେ ଥିବା ଗଛଗୁଡିକ ହଲିଯାଇଥିଲା। ଗତ ୨୪ ତାରିଖରେ ସୁକମାରେ ପୁଲିସ ଏବଂ ଯବାନଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏହି ଘଟଣାରେ ୨ ଜଣ ନକ୍ସଲ ମୃତ୍ୟୁବରଣ କରିଥିଲେ।ତେବେ ଯବାନ ଏକ ବଡଧରଣର ଅଘଟଣକୁ ଏଡାଇ ପାରିଛନ୍ତି।

 

ସମ୍ବନ୍ଧିତ ଖବର