୫-ଟି ସଚିବଙ୍କ ରାୟଗଡ଼ା ଗସ୍ତର ଏପାଖ ସେପାଖ

ରାୟଗଡ଼ା: ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭିକେ ପାଣ୍ଡିଆନ ବୁଧବାର ରାୟଗଡ଼ା ଗସ୍ତ କରିଛନ୍ତି। ଏନେଇ ଜିଲ୍ଲା ପ୍ରଶାସନ ଏବଂ ପୁଲିସ ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ସଚିବ ପାଣ୍ଡିଆନଙ୍କ ପ୍ରଥମ ଦିନରେ ରାୟଗଡାର ଚାରୋଟି ସ୍ଥାନରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିଲା। ପ୍ରଥମେ ବିଜୁ ପଟ୍ଟନାୟକ ଅଡିଟୋରିୟମରେ କଲେଜ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା ରହିଥିଲା। ଏଠାରେ ପୁଲିସ କଡା ସୁରକ୍ଷାର ବ୍ୟବସ୍ଥା କରିଥିଲା। ଏପରିକି ଗଣମାଧ୍ୟମକୁ ମଧ୍ୟ ଭିତରକୁ ଛଡା ଯାଇନଥିଲା। ନିଜେ ଡିଆଇଜି ଚରଣ ସିଂ ମୀନା ଏବଂ ଏସପି ବିବେକାନନ୍ଦ ଶର୍ମା ଏହି ସୁରକ୍ଷାର ତଦାରଖ କରୁଥିଲେ।

ମୁଖ୍ୟମନ୍ତ୍ରୀ ପଠାଇଛନ୍ତି ରାୟଗଡାର ଉନ୍ନତି ପାଇଁ

୫ଟି ସଚିବ ଶ୍ରୀ ପାଣ୍ଡିଆନ ସମସ୍ତ ଚାରୋଟି ଯାକ କାର୍ଯ୍ୟକ୍ରମରେ ମଞ୍ଚ ଉପରେ ଛିଡା ହୋଇ ପ୍ରଥମେ ମୋତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାୟଗଡାର ଉନ୍ନତି ପାଇଁ ପଠାଇଥିବା କହୁଥିବା ଦେଖିବାକୁ ମିଳିଥିଲା। କଲେଜର ୫ଟି କରଣ ହେଉ ବା ଜିଲ୍ଲାର ମନ୍ଦିର, ମସଜିଦ ଏବଂ ଚର୍ଚ୍ଚର ଉନ୍ନତୀକରଣ ହେଉ ସବୁର ଉନ୍ନତି ୭ ଦିନ ମଧ୍ୟରେ ହେବ ବୋଲି ପ୍ରତିଶ୍ରୁତି ଦେଇ ଚାଲିଥିଲେ। ମୁଖ୍ୟମନ୍ତ୍ରୀ ଜିଲ୍ଲାର ଉନ୍ନତି ପାଇଁ ସବୁ ପ୍ରକାର ସହଯୋଗ କରିବାକୁ କହିଥିବା କହିଥିଲେ।

ଲୋକଙ୍କ ସହ ସେଲଫି ଉଠାଉଥିଲେ

କାର୍ଯ୍ୟକ୍ରମ ସରିବା ପରେ ସେ ଲୋକଙ୍କ ଭିଡରେ ପଶି ଲୋକଙ୍କ ସହ ହାତ ମିଳାଇବା ସହ କଥାବାର୍ତ୍ତା ହେଉଥିଲେ ଏବଂ ସେଲଫି ଦେଉଥିଲେ। ଲୋକେ ମଧ୍ୟ ନିଜର ପ୍ରିୟ ସଚିବଙ୍କୁ ତାଂକ ନିକଟରେ ପାଇ ବେଶ ଖୁସି ହେବା ସହ ସେଲଫି ପାଇଁ ତାଂକୁ ଅନୁରୋଧ କରୁଥିବା ଦେଖିବାକୁ ମିଳିଥିଲା। ସଚିବ ମଧ୍ୟ କାହାରୁ ନିରାଶ କରୁନଥିବା ଦେଖିବାକୁ ମିଳିଥିଲା। ମଝିଘରିଆଣୀ ମନ୍ଦିରରେ ଜଣେ ବୃଦ୍ଧାଙ୍କ ସହ ହାତ ମିଳାଇ ସମସ୍ତଙ୍କୁ ଚକିତ କରିଥିଲେ। ପୁରୁଷ ଅପେକ୍ଷା ମହିଳାମାନେ ମଧ୍ୟ ସଚିବଙ୍କ ସହ ସେଲଫି ନେବାର ଏକ ପ୍ରକାର ପ୍ରତିଯୋଗିତା ଦେଖିବାକୁ ମିଳିଥିଲା।

କାର୍ଯ୍ୟକ୍ରମରେ ଲୋକାରଣ୍ୟ

୫ଟି ସଚିବ ଭିକେ ପାଣ୍ଡିଆନଙ୍କ ରାୟଗଡାର ଚାରୋଟି ସ୍ଥାନରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବା ବେଳେ ଏହି ଚାରୋଟି ସ୍ଥାନରେ ଲୋକାରଣ୍ୟ ହୋଇଯାଇଥିଲା।ଲୋକେ ସଚିବ ପାଣ୍ଡିଆନଙ୍କୁ ଦେଖିବା ପାଇଁ ଭିଡ଼ ଜମାଇଥିଲେ। ଲୋକେ ଦୀର୍ଘ ସମୟ ଧରି ସଚିବଙ୍କୁ ଅପେକ୍ଷା କରି ରହିଥିବା ମଧ୍ୟ ଲକ୍ଷ୍ୟ କରାଯାଇଥିଲା। ଲୋକାରଣ୍ୟ ଦେଖି ସଚିବ ଖୁସି ଜାହିର କରିଥିଲେ। ସେ ଭାବି ନଥିଲେ ଏତେ ସଂଖ୍ୟକ ଲୋକ ସମସ୍ତ ଚାରୋଟି ଯାକ କାର୍ଯ୍ୟକ୍ରମରେ ଯୋଗ ଦାନ କରିବେ।

 ପ୍ରଣବ ଦାସଙ୍କ କାର୍ଯ୍ୟକ୍ରମର ଯାଞ୍ଚ

୫ଟି ସଚିବ ଭିକେ ପାଣ୍ଡିଆନ ସମସ୍ତ ଚାରୋଟି ଯାକ କାର୍ଯ୍ୟକର୍ମରେ ଯୋଗ ଦେବା ପୂର୍ବରୁ ବିଧାୟକ ପ୍ରଣବ ପ୍ରକାଶ ଦାସ(ବବି) ସମସ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇ ସବୁ ଠିକଠାକ ଅଛି କି ନାହି ତାହା ଯାଞ୍ଚ କରୁଥିବା ଦେଖିବାକୁ ମିଳିଥିଲା। ଯଦି କିଛି ଅବ୍ୟବସ୍ଥା ରହିଥିଲା, ତାକୁ ତୁରନ୍ତ ସଜାଡିବାକୁ ନିର୍ଦ୍ଦେଶ ଦେଉଥିଲେ। ପାଣ୍ଡିଆନ ଆସିବା ବେଳେ ଯେପରି କୌଣସି ବିଭ୍ରାଟ ନହୁଏ ସେଥିପ୍ରତି ସେ ଦୃଷ୍ଟି ଦେଉଥିଲେ। ତେବେ ବବିଙ୍କୁ ଦେଖିବାକୁ ମଧ୍ୟ ଲୋକଙ୍କ ଭିଡ ଜମୁଥିଲା।

ଦାବିପତ୍ର ଦେବାକୁ ଲୋକଙ୍କ ଭିଡ ଜମିଲା

୫ଟି ସଚିବ ଭିକେ ପାଣ୍ଡିଆନଙ୍କୁ ନିଜ ନିଜର ଦାବି ପତ୍ର ଦେବାକୁ ଲୋକଙ୍କ ଭିଡ ଜମିଥିଲା। ସଚିବ ଆସିବା ମାତ୍ରେ ତାଂକୁ ଗୋଟି ଗୋଟି କରି ଦାବି ପତ୍ର ପ୍ରଦାନ କରୁଥିବା ଦେଖିବାକୁ ମିଳିଥିଲିା। ସଚିବ ମଧ୍ୟ ସମସ୍ତଙ୍କ ନିକଟକୁ ଯାଇ ଦାବି ପତ୍ର ଗ୍ରହଣ କରୁଥିଲେ। ପରେ ସମସ୍ତ ଦାବିକୁ ହାତରେ ଧରି ଏଗୁଡିକର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପାଣି, ଶିକ୍ଷା, ବିଦ୍ୟୁତ ସେବା, ମନ୍ଦିର ଉନ୍ନତୀକରଣ, ରାସ୍ତା ଇତ୍ୟାଦି ଏହି ଦାବିଗୁଡିକରେ ରହିଥିଲା। ତେବେ ପ୍ରଥମେ ପାଣି ଓ ବ୍ରିଜ ସଂପର୍କୀୟ ଦାବି ପୂରଣ କରାଯିବ ବୋଲି କହିଥିଲେ। କିନ୍ତୁ ସମସ୍ତ ମନ୍ଦିରର ଉନ୍ନତୀକରଣ ହେବ।

 ଜିସିଡି ପଡିଆରେ ଲୋକଙ୍କୁ ଛଡାଗଲା ନାହିଁ

ଶ୍ରୀ ପାଣ୍ଡିଆନ ହେଲିକେପ୍ଟର ଯୋଗେ ଆଜି ସ୍ଥାନୀୟ ଜିସିଡି ପଡିଆରେ ଓହ୍ଲାଇଥିଲେ। ଏହି ପଡ଼ିଆର ଚାରିପଟେ ପାଚେରୀ ରହିଥିବାରୁ ଲୋକେ ଭିତରେ ପଶିପାରିନଥିଲେ। ତେବେ ଯେଉଁ ବାଟ ଦେଇ ଭିତରକୁ ପ୍ରବେଶ କରାଯିବ ସେହି ବାଟରେ ପୁଲିସର କଡା ପ୍ରହରା ରହିଥିଲା। ତେଣୁ ଗଣମାଧ୍ୟମ ହେଉ ବା ସାଧାରଣ ଜନତା ତଥା ବିଜେଡି କର୍ମୀଙ୍କୁ ଭିତରକୁ ପ୍ରବେଶ ମନା ବୋଲି ପୁଲିସ ମନା କରୁଥିବା ଦେଖିବାକୁ ମିଳିଥିଲା।

ବିନା କାର୍ଯ୍ୟସୂଚୀରେ ଜଗନ୍ନାଥ ମନ୍ଦିର ପରିଦର୍ଶନ

୫ଟି ସଚିବ ରାୟଗଡା ଜଗନ୍ନାଥ ମନ୍ଦିର ପରିଦର୍ଶନର କୌଣସି କାର୍ଯ୍ୟସୂଚୀ ନଥିବା ବେଳେ ଅଚାନକ ସେ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଇଛା ପ୍ରକଟ କରିଥିଲେ। ଜଗନ୍ନାଥ ମନ୍ଦିର ଯାଇ ଦର୍ଶମ ପରେ ସେବାୟତମାନଙ୍କ ସହ ମନ୍ଦିର ଉନ୍ନତୀକରଣ ଉପରେ ଆଲୋଚନା କରିଥିଲେ। ମନ୍ଦିର ସେବାୟତ ଏବଂ ନାଗରିକ ମଧ୍ୟ ତରଫରୁ ଗୁଣ୍ଡିଚା ମନ୍ଦିର ନିର୍ମାଣ ନେଇ ଦାବି କରାଯାଇଥିବା ଜଣାପଡିଛି।

 

 

ସମ୍ବନ୍ଧିତ ଖବର