ଗୁରୁଜଙ୍ଗ ଗୁଳିକାଣ୍ଡ ଘଟଣା: ୫ମ ଅଭିଯୁକ୍ତ ଗିରଫ, ବନ୍ଧୁକ-ଗୁଳି ଜବତ  

ଖୋର୍ଦ୍ଧା: ଗତବର୍ଷ ଡିସେମ୍ବରରେ ଗୁରୁଜଙ୍ଗ ଠାରେ ଗାଡ଼ି ପାର୍କିଂକୁ କେନ୍ଦ୍ର କରି ଘଟିଥିବା ଗୁଳିକାଣ୍ଡ ଘଟଣାରେ ୫ମ ଅଭିଯୁକ୍ତ ଆଜି ଖୋର୍ଦ୍ଧା ଟାଉନ୍ ଥାନା ପୁଲିସ ହାତରେ ଧରାପଡ଼ିଛି। ଅଭିଯୁକ୍ତ ନିକଟରୁ ଗୋଟିଏ ଦେଶୀ ପିସ୍ତଲ, ୨ଟି ଅଫୁଟା ଗୁଳି ସହ ୭ଟି ମୋଟର ସାଇକଲ୍ ଜବତ କରାଯାଇଛି।

ଏକ ସାମ୍ବାଦିକ ସମ୍ମିଳନୀରେ ଖୋର୍ଦ୍ଧା ଏସ୍‌ଡିପିଓ ସୁଶୀଲ କୁମାର ମିଶ୍ର ଏନେଇ ସୂଚନା ଦେଇ କହିଛନ୍ତି ଯେ, ଘଟଣାର ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ତାଙ୍କରି ନେତୃତ୍ୱରେ ଖୋର୍ଦ୍ଧା ଟାଉନ୍ ଥାନା ଆଇଆଇସି ଉମାଶଙ୍କର ସିଂହଙ୍କୁ ନେଇ ଏକ ଟିମ୍ ଗଠନ କରାଯାଇଥିଲା। ଏହି ଘଟଣାରେ ପୂର୍ବରୁ ୪ଜଣଙ୍କୁ ଗିରଫ କରାଯାଇଛି। ୫ମ ତଥା ଏକ ଅସାମାଜିକ ଗୋଷ୍ଠୀର ନେତୃତ୍ୱ ନେଇଥିବା କୁମାରବସ୍ତ ଅଂଚଳର ଦୀପକ କୁମାର ପ୍ରଧାନ ଓରଫ ଦୀପୁ (୨୬)କୁ ଆଜି ଗିରଫ କରାଯାଇଛି। ଦୀପୁ ନିକଟରୁ ତା’ର ଗୋଷ୍ଠୀ ବ୍ୟବହାର କରୁଥିବା ୭ଟି ମୋଟର ସାଇକଲକୁ ମଧ୍ୟ ଜବତ କରାଯାଇଛି।

ଦୀପୁ ବିରୋଧରେ ୨୦୧୧ରେ ଖୋର୍ଦ୍ଧା ଟାଉନ୍ ଥାନାରେ ଦୁଇଟି ଅପରାଧିକ ମାମଲା ରହିଥିବା ବେଳେ ୨୦୧୨ରେ ଗୋଟିଏ, ୨୦୧୮ରେ ଦୁଇଟି, ୨୦୧୯ରେ ଏସ୍‌ଟିଏଫ୍ ପକ୍ଷରୁ ଗୋଟିଏ ମାମଲା ରହିଥିଲା।

ସୂଚନାଯୋଗ୍ୟ, ୨୦୨୦ ଡିସେମ୍ବର ୮ ତାରିଖରେ ଏକ ବିବାହ ଶୋଭାଯାତ୍ରାରେ ଯୋଗ ଦେଇ ଗୁରୁଜଙ୍ଗ ମଝି ସାହିର ନାରାୟଣ ସାହୁ ନିଜର ବନ୍ଧୁବାନ୍ଧବଙ୍କୁ ଏକ ବଲେରୋ ଯୋଗେ ଘରକୁ ଫେରୁଥିଲେ। ଏହି ସମୟରେ ତାଙ୍କ ଘର ସମ୍ମୁଖରେ ଟିଟନ ନାମକ ଜଣେ ଯୁବକ ରାସ୍ତା ଉପରେ ଏକ ମୋଟରସାଇକଲ ରଖିଥିଲା। ଏହାକୁ ହଟାଇବାକୁ କହିବାକୁ ନାରାୟଣ ଓ ଟିଟନ ମଧ୍ୟରେ ଉଚ୍ଚବାଚ ହୋଇଥିଲା। ଏଥିରେ ଟିଟନ ସମର୍ଥନରେ ଦୀପକ ଓ ଅନ୍ୟସାଥିମାନେ ନାରାୟଣକୁ ମାଡ଼ ମାରିଥିଲେ। ଏହାପରେ ନାରାୟଣକୁ ହତ୍ୟା କରିବା ଉଦ୍ଦେଶ୍ୟରେ ଦୀପକ ବନ୍ଧୁକରୁ ଗୁଳି ଚଳାଇଥିଲା। ଗୁଳିଟି ନାରାୟଣଙ୍କ ଘରର ଲୁହା ଗ୍ରିଲକୁ ବାଜି ନାରାୟଣଙ୍କ ଗୋଡ଼କୁ ବାଜିଥିଲା। ଏଥିରେ ନାରାୟଣ ଆହତ ହୋଇଥିଲେ। ଏହା ପରେ ଦୀପକ ଅନ୍ୟଏକ ଗୁଳି ଚଳାଇ ସାହିର ଅନ୍ୟମାନଙ୍କୁ ଧମକ ଦେଇ ସେଠାରୁ ଚାଲିଯାଇଥିଲା। ଏନେଇ ନାରାୟଣଙ୍କ ଲିଖିତ ଅଭିଯୋଗ ଭିତ୍ତିରେ ଖୋର୍ଦ୍ଧା ଟାଉନ୍ ଥାନା ପୁଲିସ ୪୪୨/୨୦୨୦ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।

ସମ୍ବନ୍ଧିତ ଖବର