ଜୁଆ ଆଡ଼ା ଉପରେ ଚଢ଼ଉ, ୬ ଗିରଫ, ଲକ୍ଷାଧିକ ଟଙ୍କା ଜବତ

ବ୍ରଜରାଜନଗର: ବ୍ରଜରାଜନଗର ଥାନା ଅନ୍ତର୍ଗତ ଲମଟିବାହାଲ ନାଳ ନିକଟ ଝାଡ଼ି ଜଙ୍ଗଲ ମଧ୍ୟରେ ଚଲୁଥିବା ଏକ ଜୁଆ ଆଡ଼ା ଉପରେ ବୁଧବାର ରାତି ପ୍ରାୟ ଗୋଟାଏରେ ଚଢ଼ଉ କରି ପୁଲିସ ୬ ଜଣଙ୍କୁ ଗିରଫ କରିଛି।

ସେମାନଙ୍କଠାରୁ ଲକ୍ଷେ ୧୭ ହଜାର ୩୧୦ ଟଙ୍କା ସହିତ ଏକ ମୁଠା ତାସ ଜବତ କରାଯାଇଛି। ଗିରଫ ଜୁଆଡ଼ିମାନେ ହେଲେ ବ୍ରଜରାଜନଗର ଥାନା ଲକ୍ଷ୍ମଣ ଖଟାଲା ଅଞ୍ଚଳର ଦିନେଶ ରାୟ ଓ ରାଜେଶ୍ୱର ରାୟ, ଚାନ୍ଦିନୀଚୌକ ଅଞ୍ଚଳର ସୁଭାଷ ସିଂହ, ଲମଟିବାହାଲ ଗୁଆଲାପଡ଼ାର ଅକ୍ରୁର ବିନିୟାନି, ଦୁର୍ଗା ଠାକୁର ଓ ସୁଭାଷ ସା।

ଲମଟିବାହାଲ ନାଳ ନିକଟ ଝାଡ଼ି ଜଙ୍ଗଲରେ ଜୁଆ ଖେଳ ଚାଲିଥିବା ସମ୍ପର୍କରେ ପ୍ରଥମେ ବ୍ରଜରାଜନଗର ଏସ୍‌ଡିପିଓ ଦିଲ୍ଲୀପ ଦାସ ଖବର ପାଇଥିଲେ। ଦାସଙ୍କ ନେତୃତ୍ୱରେ ବ୍ରଜରାଜନଗର ଆଇଆଇସି ନଳିତା ମୋଦି, ଓରିଏଣ୍ଟ ଆଇଆଇସି ବୈକୁଣ୍ଠ ସେଠ ତଥା ବ୍ରଜରାଜନଗର ଓ ଓରିଏଣ୍ଟ ପୁଲିସ ଷ୍ଟାଫ ଘଟଣାସ୍ଥଳକୁ ଘେରାଉ କରିଥିଲେ। ଜୁଆଡ଼ିମାନେ ଫେରାର ହେବାକୁ ପ୍ରୟାସ କରିଥିଲେ ମଧ୍ୟ ସଫଳ ହୋଇପାରି ନଥିଲେ। ଅଭିଯୁକ୍ତଙ୍କୁ ଗୁରୁବାର କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର