ନବରଙ୍ଗପୁର : ନକଲି ସୁନା ଶଙ୍ଖ ପରେ ଏବେ ନକଲି ସୁନା ଇଟା କାରବାର ଅଭିଯୋଗରେ ବନ୍ଧା ହେଲେ ୬ ଜଣ। ନକଲି କାରବାରର ଚେର କଟକରୁ ଲମ୍ବିଛି ନବରଙ୍ଗପୁର। ଗଞ୍ଜେଇ ପାଇଁ ଚଢ଼ାଉ ବେଳେ ଫସିଲେ ନକଲି ସୁନା କାରବାରରେ ସଂପୃକ୍ତ ବ୍ୟକ୍ତି। ଗିରଫ ବ୍ୟକ୍ତିମାନେ ହେଲେ କଟକ ଜିଲ୍ଲାର ଚୌଦ୍ବାର ଥାନା ଅନ୍ତର୍ଗତ ଦିବାପାଟନା ଗ୍ରାମର ସବ୍ୟସାଚି ମହାନ୍ତି, ଶଙ୍କରପୁର ଗ୍ରାମର ବସନ୍ତ କୁମାର ହାତି, ବଡସାମନ୍ତପୁର ଗ୍ରାମର ଦୀପକ ରାୟ, ଗୁରୁଦିଝାଟିଆ ଥାନା ଅନ୍ତର୍ଗତ କାଡୁଆ ନୁଆଗାଁ ଗ୍ରାମର ପ୍ରଶାନ୍ତ କୁମାର ସାହୁ , ଦିନେଶ କୁମାର ସାହୁ, ଯାଜପୁର ଜିଲ୍ଲା କୁଆଖାଇ ଥାନା ଅନ୍ତର୍ଗତ କୋଳଥଳା ଗ୍ରାମର ପ୍ରଦୀପ କୁମାର ଘଡେଇ ।
ଗତ କାଲି ପାପଡାହାଣ୍ଡି ଥାନା ପକ୍ଷରୁ ମଇଦଲପୁର ଫାଣ୍ଡି ଆଗରେ ଗଞ୍ଜେଇ ଗାଡି ଧରପଗଡ ସମୟରେ ପୁଳିସ ପକ୍ଷରୁ ମଇଦଲପୁର ଥାନା ଆଗରେ ଗାଡିଗୁଡିକୁ ଯାଞ୍ଚ ଚାଲିଥିଲା। ଏହି ଯାଞ୍ଚ ବେଳେ ଏକ ଧଳା ରଂଗର ହୁଣ୍ଡାଇ କାର ନଂ ଓଡି ୦୨ ଏପି ୫୫୨୯ କାର ଆସି ପହଞ୍ଚିଥିଲା । ସେହି ଗାଡିରେ ୬ ଜଣ ବ୍ୟକ୍ତି ବସିଥିଲେ। ଗଞ୍ଜେଇ ସନ୍ଦେହ ରେ ଗାଡିକୁ ଯାଞ୍ଚ ବେଳେ ଏକ ସୁନା ରଂଗର ଏକ ଇଟା ମିଳିଥିଲା। ଯାହାର ଓଜନ ୪.୫ କେଜି ହେବ। ସୁନାରୀକୁ ଡାକି ଯାଞ୍ଚ ବେଳେ ଜଣାପଡିଥିଲା ଏହା ପିତ୍ତଳରେ ତିଆରି ବୋଲି । ଏହି ବ୍ୟକ୍ତି ମାନଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରିବା ସମୟରେ ସେମାନେ କହିଥିଲେ ସେମାନେ ଏହି ଧାତୁ ଇଟାକୁ ଅସଲି ସୁନା ଭାବେ ନବରଙ୍ଗପୁର ରେ ବିକ୍ରି କରିଥାନ୍ତେ। ତେବେ ଏହି ଇଟା କେଉଁ ଠାରୁ କେତେ ଦରରେ ଆଣିଥିଲେ ଏବଂ କାହାକୁ ବିକ୍ରି କରିଥାନ୍ତେ ଏବେ କେତେ ଦରରେ ବିକ୍ରି କରିଥାନ୍ତେ ସେମାନେ ତଦନ୍ତ ସମୟରେ କିଛି କହିନଥିବାର ପୁଲିସ କହିଛି। ତେବେ ଅଧିକ ତଦନ୍ତ ଚାଲୁ ରହିଥିବାର ପାପଡାହାଣ୍ଡି ଥାନା ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ ରେ ଥାନା ଅଧିକାରୀ ଶୁଭେନ୍ଦୁ ଶବର ସୂଚନା ଦେଇଛନ୍ତି। ସେମାନଙ୍କ ନିକଟରୁ ୫ଟି ମୋବାଇଲ ଫୋନ ଓ ୫ଟି ଏଟିଏମ୍ କାର୍ଡ ଜବତ କରାଯାଇଛି। ପାପଡାହାଣ୍ଡି ଥାନାରେ କେସ ନଂ ୧୪୬ ଦଫା ୪୨୦ ଓ ୩୪ ରେ ମାମଲା ରୁଜୁ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଛି। ଏହି ମାମଲାରେ ତଦନ୍ତ କାରି ଅଧିକାରୀ ଅନାମ ଦିଆନ ରହିଛନ୍ତି। ଏହି ଚଢ଼ାଉ ରେ ଥାନା ଅଧିକାରୀ ଶୁଭେନ୍ଦୁ ଶବର, ଏସଆଇ ସିରିଗି ପ୍ରସାଦ ପଣ୍ଡା, ମଇଦଲପୁର ଫାଣ୍ଡି ଅଧିକାରୀ ଅନାମ ଦିଆନ ଓ ଷ୍ଟାଫ ମାନେ ଉପସ୍ଥିତ ରହିଥିଲେ। ମିଳିଥିବା ସୂଚନା ଅନୁଯାୟୀ ଏହି ୬ ଜଣ ବ୍ୟକ୍ତି ଡାବୁଗାଁ ଅଭିମୁଖେ ଯାଉଥିବା ବେଳେ ଖବର ପାଇଁ ରାସ୍ତାରେ ଗୋଟିଏ ଗ୍ରାମର ଲୋକେ ଏ ନେଇ ପୂର୍ବ ସୂଚନା ପାଇ ଧରିବା ପାଇଁ ଉଦ୍ୟମ କରିଥିଲେ। ଏମାନେ ଭୟଭିତ ହୋଇ ଡାବୁଗାଁ ନଯାଇ ପୁଣି ଫେରିବା ବେଳେ ପୁଲିସ ହାବୁଡରେ ପଡିଯାଇଥିଲେ। ପ୍ରକାଶ ଥାଉକି ପୂର୍ବରୁ ଡାବୁଗାଁ ଥାନା ଅଞ୍ଚଳରେ ପିତ୍ତଳରେ ତିଆରି ଶଙ୍ଖ କୁ ସୁନା ଶଙ୍ଖ ଭାବେ ବିକ୍ରି କରିବା ପାଇଁ ଟଙ୍କା କିଛି ଲୋକଙ୍କ ଠାରୁ ନେଇ ଏହି ପିତ୍ତଳରେ ତିଆରି ଶଙ୍ଖକୁ ବିକ୍ରି କରିଥିଲେ। ଶଙ୍ଖ କିଣିଥିବା ବ୍ୟକ୍ତି ଠକାମିର ଶିକାର ହୋଇଥିବା ଜାଣିବା ପରେ ଥାନାର ଦ୍ବାରସ୍ଥ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/WhatsApp-Image-2021-09-25-at-21.38.31.jpeg)