ବାଲେଶ୍ଵର: ତାଳସାରି ସାମୁଦ୍ରିକ ଥାନା ଅଧୀନରେ ଥିବା ଚନ୍ଦନେଶ୍ଵର ୟୁନିଅନ ବ୍ୟାଙ୍କ୍ ଡକାୟତି ଘଟଣାରେ ବାଲେଶ୍ଵର ପୁଲିସକୁ ବଡ଼ ସଫଳତା ମିଳିଛି। ପୁଲିସର ସ୍ୱତନ୍ତ୍ର ଟିମ୍ ବ୍ୟାଙ୍କ୍ ଲୁଟେରା ଟିମର ୬ ଜଣଙ୍କୁ ଗିରଫ କରିଛି ବୋଲି ଏସପି ସାଗରିକା ନାଥ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଗିରଫ ୬ ଅଭିଯୁକ୍ତଙ୍କ ମଧ୍ୟରେ ୩ ଲୁଟେରା କମର୍ଦ୍ଦା ଥାନା ଅଧୀନ ନାଚିନ୍ଦା, ରାଉତମନ୍ଦାରୁଣୀ ଓ ବାହାର୍ଦ୍ଦା ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ୩ ଲୁଟେରା ପଶ୍ଚିମବଙ୍ଗ ରାଜ୍ୟ ଦାନ୍ତୁନ ଓ ଜନପୁଟ ସାମୁଦ୍ରିକ ଥାନା ଅଧୀନର ବୋଲି ପୁଲିସ ପ୍ରକାଶ କରିଛି। ପୁଲିସ ଲୁଟେରାଙ୍କଠାରୁ ୩ଟି ପିସ୍ତଲ ,୯ଟି ମୋବାଇଲ , ୪ଟି ବାଇକ ,୩୦୦ ଗ୍ରାମ ସୁନା ଗହଣା , ୬ଲକ୍ଷ ୨ହଜାର ନଗଦ ଟଙ୍କା ଜବତ କରିଛି। ଲୁଟେରାମାନେ ବସ୍ତା ଷ୍ଟେଟ ବ୍ୟାଙ୍କ , ବରୋଦା ବ୍ୟାଙ୍କ୍ ବସ୍ତା , ଭୋଗରାଇ ୟୁକୋ ବ୍ୟାଙ୍କ , ଚନ୍ଦନେଶ୍ଵର ୟୁନିଅନ୍ ବ୍ୟାଙ୍କ୍ ପଶ୍ଚିମବଙ୍ଗ ସୁନାଗହଣା ଦୋକାନ ସହ ଏକାଧିକ ଲୁଟ ଘଟଣାରେ ସାମିଲ ଅଛନ୍ତି ।

Advertisment

ଉଲ୍ଲେଖଯୋଗ୍ୟ ୨୬/୪/୨୩ରେ ଚନ୍ଦନେଶ୍ଵର ୟୁନିଅନ ବ୍ୟାଙ୍କରେ ୬ଜଣ ଅଜଣା ଯୁବକ ହଠାତ୍ ମାରଣାସ୍ତ୍ର ଧରି ବ୍ୟାଙ୍କ୍ ମଧ୍ୟକୁ ପ୍ରବେଶ କରି ବ୍ୟାଙ୍କରୁ ୪୫ଲକ୍ଷ ୯୨ହଜାର ୯୧୦ ଟଙ୍କା, ୬୦୦ପ୍ୟାକେଟ ସୁନା ଗହଣା ଲୁଟ କରିଥିଲେ। ବ୍ୟାଙ୍କ୍ ମ୍ୟାନେଜର ନବନିତ୍ ଖାଲକୋ ତାଳସାରି ଥାନାରେ ଅଭିଯୋଗ କରିଥିଲେ। ଥାନା ପକ୍ଷରୁ ୩୬/୨୬.୪.୨୩ରେ ମାମଲା ରୁଜୁ ହୋଇଥିଲା। ପୁଲିସ ବ୍ୟାଙ୍କର ସିସି କ୍ୟାମେରାକୁ ଭିତ୍ତି କରି ତଦନ୍ତ କରିଥିଲା। ପୁଲିସ ୬ଜଣକୁ ଗିରଫ କରିଥିବା ବେଳେ ଅନ୍ୟ ଲୁଟେରାଙ୍କୁ ଗିରଫ ନିମନ୍ତେ ପ୍ରୟାସ ଜାରି ରହିଛି ବୋଲି ଏସପି କହିଛନ୍ତି।