ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଡ୍ରଗ୍ସ ରାକେଟ ଗୁମର ଫିଟିବାରେ ଲାଗିଛି। ଭବାନୀପାଟଣା ସହରରେ ଗତ ୧ ବର୍ଷ ଧରି କାୟା ବିସ୍ତାର କରୁଥିବା ଡ୍ରଗ୍ସ ରାକେଟର ୬ଜଣଙ୍କୁ ସୋମବାର ଟାଉନ ଥାନା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନଙ୍କଠାରୁ ବ୍ରାଉନସୁଗର, ୨ଟି ବାଇକ ଓ ମୋବାଇଲ ଜବତ କରାଯାଇଛି।
ପୁଲିସ ସୂତ୍ରରୁ ପ୍ରକାଶ ଯେ ଭବାନୀପାଟଣା ସହରର ବିଭିନ୍ନ ସ୍ଥାନରେ ଡ୍ରଗ୍ସ ରାକେଟ ଗତ ବର୍ଷେ ଧରି ଚାଲିଥିଲା। ରବିବାର ସମ୍ବଲପୁରରୁ ଭବାନୀପାଟଣା ଡ୍ରଗ୍ସ ଆଣୁଥିବା ବେଳେ ପାଷ୍ଟିକୁଡ଼ିଠାରେ ଭବାନୀପାଟଣା ସଦର ଥାନା ପୁଲିସ ଚଢ଼ଉ କରିଥିଲା। ଭବାନୀପାଟଣା ସହର ହିଲଟାଉନର ମହମ୍ମଦ ସାକିବ ପରଭେଜ (୧୮)କୁ ଗିରଫ କରିବା ପରେ ଡ୍ରଗ୍ସ ରାକେଟର ପର୍ଦାଫାସ ହୋଇଥିଲା। ତାକୁ ପୁଲିସ ଜେରା କରିବା ବେଳେ ଅନ୍ୟ ୫ଜଣ ବ୍ରାଉନସୁଗର ବେପାରରେ ସମ୍ପୃକ୍ତ ଥିବା ଜଣାପଡ଼ିଥିଲା। ଟାଉନ ଥାନା ପକ୍ଷରୁ ପୁଲିସ ଆଇଆଇସି ସତ୍ୟକୁମାର ନନ୍ଦଙ୍କ ନେତୃତ୍ବରେ ଭବାନୀପାଟଣା ଜେନାଖାଲ ପଡ଼ାର ସୁଶାନ୍ତ ସାହୁ (୨୮), ପ୍ରଦେଶୀପଡ଼ାର ଅବଦୁଲ ରଜାକ (୨୧), ଶାନ୍ତିନଗରପଡ଼ାର ଅଭିରାମ ଗଉଡ଼ (୩୩), ସନ୍ତୋଷ ମହାମାତ୍ର (୩୦) ଓ ନକଟିଗୁଡ଼ାର ନାରାୟଣ ବାଗ (୨୨)ଙ୍କୁ ପୁଲିସ ଗିରଫ କରିଥିଲା। ସେମାନଙ୍କଠାରୁ ୮୫୦ ମିଲିଗ୍ରାମ ବ୍ରାଉନସୁଗର, ୨ଟି ବାଇକ, ୬ଟି ମୋବାଇଲ ଓ ୧ହଜାର ୪୦ ଟଙ୍କା ନଗଦ ରାଶି ଜବତ କରିଥିଲା। ରବିବାର ଓ ସୋମବାର ଗିରଫ ହୋଇଥିବା ମହମ୍ମଦ ସକିବ ପରଭେଜ ଓ ଅନ୍ୟ ୫ଜଣଙ୍କୁ ପୁଲିସ କୋର୍ଟ ଚାଲାଣ କରିଥିଲା।
/sambad/media/post_attachments/wp-content/uploads/2021/06/630512ba-896b-4837-ae9e-47722ac9fc35.jpg)
ଭବାନୀପାଟଣା ସହରରେ ପ୍ରଥମଥର ପାଇଁ ଡ୍ରଗ୍ସ ରାକେଟ ପର୍ଦ୍ଦାଫାସ ହୋଇଥିବାରୁ ସାଧାରଣରେ ଆଲୋଡ଼ନ ସୃଷ୍ଟି ହୋଇଛି। ରବିବାର ଅଟକ ରହିଥିବା ଡ୍ରାଇଭର ନିର୍ଦୋଷ ଥିବା ତଦନ୍ତରୁ ଜଣାପଡ଼ିବା ପରେ ପୁଲିସ ଜାମିନରେ ଛାଡ଼ିଛି। ସେହିଭଳି କାର୍ଟି ଜବତ ହୋଇ ସଦର ଥାନାରେ ରଖାଯାଇଛି। ସହରର ପ୍ରଦେଶୀପଡ଼ାଠାରେ ୨ଟି ଦଳ ଓ କଲେଜ ଛକଠାରେ ଗୋଟିଏ ଦଳ ଡ୍ରଗ୍ସ ବେପାର ପାଇଁ ଯୁବଗୋଷ୍ଠୀଙ୍କୁ ପ୍ରଲୋଭିତ କରୁଥିଲେ। ସେମାନେ ସମ୍ବଲପୁର, ଭୁବନେଶ୍ବର ଓ କଟକରୁ ଡ୍ରଗ୍ସ ଆଣି ଭବାନୀପାଟଣା ସହରରେ ବିକ୍ରି କରୁଥିଲେ। ଗତ ଏକବର୍ଷ ଧରି ଏହି ବେପାର ଚଳାଇ ଆସୁଥିଲେ। ଏହି ରାକେଟ ଧରାପଡ଼ିବା ପରେ ଡ୍ରଗ୍ସ କାରବାରର ପର୍ଦ୍ଦାଫାସ ହୋଇଛି। ଗତ ଲକ୍ଡାଉନ୍ ସମୟରେ ସେମାନେ ସମ୍ବଲପୁରରୁ ଡ୍ରଗ୍ସ ଆଣୁଥିଲେ। ଏହି ଡ୍ରଗ୍ସ ରାକେଟରେ ଅନ୍ୟ କେଉଁମାନେ ସମ୍ପୃକ୍ତ ଅଛନ୍ତି ଓ ଏହାର ଗରାଖମାନଙ୍କୁ ଚିହ୍ନଟ ପାଇଁ ପୁଲିସ ପକ୍ଷରୁ ଖୋଲତାଡ଼ ଆରମ୍ଭ ହୋଇଛି ବୋଲି କଳାହାଣ୍ଡି ପୁଲିସ ଏସ୍ପି ଶ୍ରବଣ ବିବେକ ଏମ୍. ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/0f1408de-ff69-4361-944d-b1103f3a583a.jpg)