ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍ ଉପାଧ୍ୟକ୍ଷ ଅଜିତ୍ ସାହୁଙ୍କ ଅପହରଣ ମିଛ ଥିଲା। ନିଜକୁ ଚର୍ଚ୍ଚାରେ ରଖିବା ପାଇଁ ଏବଂ ଆଗକୁ ସାଧାରଣ ନିର୍ବାଚନ ଆସୁଥିବାରୁ ଶାସକ ଦଳରେ ନିଜର ପତିଆରା ବୃଦ୍ଧି କରିବା ପାଇଁ ସେ ନିଜେ ଏଭଳି ଏକ ମିଛ ନାଟକ ରଚନା କରିଥିଲେ। ତିନିଦିନ ପରେ ଏକ ଗାଁରେ ପହଞ୍ଚି ମାଓବାଦୀଙ୍କ କବଳରୁ ଖସି ଆସିଥିବା ଗପ କହି ଲୋକଙ୍କ ସହାନୁଭୂତି ପାଇବାକୁ ଉଦ୍ୟମ କରିଥିଲେ। ଘଟଣାକୁ ନେଇ ଗତ ଦୁଇ ଦିନ ଧରି ସମଗ୍ର କନ୍ଧମାଳ ଜିଲ୍ଲା ଚର୍ଚ୍ଚାରେ ଥିବା ବେଳେ ଆଜି ଏହାର ଯବନିକା ପଡ଼ିଛି। ଅଜିତ୍ଙ୍କୁ କେହି ଅପହରଣ କରି ନଥିଲେ।
ବରଂ ସେ ନିଜେ ଏଭଳି ମିଛ ନାଟକ ରଚି ଏହାର ଓଲଟା ଫଳ ଭୋଗିଛନ୍ତି। ମିଛ ନାଟକ ରଚି ପୁଲିସ ଓ ଜନସାଧାରଣଙ୍କୁ ବିଭ୍ରାନ୍ତ କରିଥିବାରୁ ପୁଲିସ ଆଜି ଅଜିତଙ୍କ ସମେତ ତାଙ୍କ ୬ ସହଯୋଗୀ ରତଙ୍ଗ ସମିତିସଭ୍ୟ ବିରଞ୍ଚି ମଲିକ, ଡଙ୍ଗରପଡ଼ା ଗାଁସାଥୀ ବସନ୍ତ ମଲିକ, ବୌଦ୍ଧ ଜିଲ୍ଲା ରେଘାମୁଣ୍ଡା ଗାଁର ଅଜିତ ରଣା, ତ୍ରିଲୋଚନ ଝାଙ୍କର ଏବଂ କଣ୍ଟାମାଳ ଥାନା ଅନ୍ତର୍ଗତ କଣ୍ଟାମାଳ ଗ୍ରାମର ଯୁକ୍ତେଶ୍ବର ରଣାଙ୍କୁ ଗିରଫ କରିଛି। ଏମାନଙ୍କୁ ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ ବୋଲି ଫିରିଙ୍ଗିଆ ଥାନାଧିକାରୀ ତପନ କୁମାର ନାହାକ କହିଛନ୍ତି।
ଜିଲ୍ଲାରେ ତାଙ୍କ ପ୍ରତି କେତେ ଲୋକ ସମର୍ଥନ ରହିଛି ଏବଂ ତାଙ୍କର ଏ ଅପହରଣ ଘଟଣା ଶୁଣିବା ପରେ ସାଧାରଣ ଲୋକଙ୍କ ମନୋଭାବ ଜାଣିବା ପାଇଁ ସେ ଏଭଳି ମିଛ ନାଟକର ସାହାରା ନେଇଥିଲେ ବୋଲି ଏସ୍ଡିପିଓ ସୁପ୍ରସନ୍ନ ମଲିକ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏଭଳି ଏକ ଅଜବ ଘଟଣା କନ୍ଧମାଳ ଜିଲ୍ଲାରେ ପ୍ରଥମ ହୋଇଥିବାରୁ ଏହାକୁ ନେଇ ସବୁଠି ଚର୍ଚ୍ଚା ଲାଗି ରହିଛି।
ସୂଚନାଯୋଗ୍ୟ, ଗତ ଶୁକ୍ରବାର ରାତିରେ ଉପାଧ୍ୟକ୍ଷ ଅଜିତ ସାହୁଙ୍କର ଅପହରଣ ହୋଇଥିବା ନେଇ ସମଗ୍ର ଜିଲ୍ଲାରେ ଆଲୋଡ଼ନ ଖେଳି ଯାଇଥିଲା। ଏହାପରେ ପୁଲିସ ଅନୁସନ୍ଧାନ ଆରମ୍ଭ କରି ଉପାଧ୍ୟକ୍ଷଙ୍କୁ ବାଲିଗୁଡ଼ା ବ୍ଲକ ଅନ୍ତର୍ଗତ ସୁଡ୍ରା ଗାଁରୁ ଉଦ୍ଧାର କରିଛି। ସେହି ରାତିରେ ଅଜିତ ବାଲିଗୁଡ଼ା ଚାଲିଯାଇ ସୁଡ୍ରା ଗାଁରେ ପହଞ୍ଚିଥିଲେ। ତାଙ୍କୁ ମାଓବାଦୀ ଅପହରଣ କରିବାକୁ ଉଦ୍ୟମ କରୁଥିଲେ ଏବଂ କୌଶଳକ୍ରମେ ମାଓବାଦୀଙ୍କ କବଳରୁ ଖସି ଚାଲି ଆସିଛନ୍ତି ବୋଲି ଉପାଧ୍ୟକ୍ଷ ଅଜିତ ସାହୁ ସୁଡ୍ରା ଗାଁର ଲୋକଙ୍କୁ କହିଥିଲେ। ତେବେ ପୁଲିସ ଅନୁସନ୍ଧାନ କରି ଆଜି ଅଜିତକୁ ସୁଡ୍ରା ଗାଁରୁ ଉଦ୍ଧାର କରିବା ପରେ ଅନ୍ୟମାନଙ୍କୁ ମଧ୍ୟ ଧରିବାରେ ସଫଳ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/11-2.jpg)