ଟାଉନପୁଲିସର ଚଢ଼ାଉ, ୬ ବାଇକ ଚୋର ଗିରଫ  

ସୁନ୍ଦରଗଡ଼: ବୁଧବାର ରାତି ୮ଟା ୪୫ରେ ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟ ପଡ଼ିଆରେ ଟାଉନଥାନା ପୁଲିସ ଚଢ଼ଉ କରି ଏକ ଚୋର ଗ୍ୟାଙ୍ଗର ୬ ସଦସ୍ୟଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି। ସେମାନଙ୍କ ଠାରୁ ୪ଟି ଚୋରି ବାଇକ୍ ଜବତ କରାଯାଇଛି। ସେମାନେ ହେଲେ ଶଙ୍କରାର ଓମରାଜ ମହାପାତ୍ର, କୁନାଲ ବାଥ ଓରଫ ମୁକେଶ, ସୂରଜ ସାହୁ, ସୌରଭ ସାହୁ, ସଚିନ ସାହୁ ଓ ପଣସପଡ଼ାରେ ରହୁଥିବା ବଡ଼ଗାଁ ଥାନା ଭେଲୁଆବାହାଲର ସଂଜୟ କେଶରୀ। ପୁଲିସ କହିବା ଅନୁସାରେ, ବୁଧବାର ରାତିରେ ପୁଲିସ ଟିମ୍ ପାଟ୍ରୋଲିଂ କରୁଥିବା ବେଳେ ଏ ଗ୍ୟାଙ୍ଗର ସୂଚନା ମିଳିଥିଲା। ଏହା ପରେ ତୁରନ୍ତ ଏସଅଇ ସୁବାସ ପ୍ରଧାନଙ୍କ ନେତୃତ୍ବରେ ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟ ପଡ଼ିଆରେ ଚଢ଼ଉ କରି ସେଠାରେ ଚୋରି ପାଇଁ ଯୋଜନା କରୁଥିବା ୬ ଜଣିଆ ଗ୍ୟାଙ୍ଗକୁ କାବୁ କରିଥିଲେ। ପଚରାଉଚରା ସମୟରେ ସେମାନେ ବିଭିନ୍ନ ସ୍ଥାନରୁ ବାଇକ ଚୋରି କରିଥିବା ଜଣାପଡ଼ିଥିଲା। ସେମାନଙ୍କ ସୂଚନା ଆଧାରରେ ପୁଲିସ ଶଙ୍କରାରୁ ୪ଟି ବାଇକ୍ ଜବତ କରିଥିଲା।

ସମ୍ବନ୍ଧିତ ଖବର