ବ୍ୟାସନଗର/ଦାନଗଦୀ: ଦାନଗଦୀ ଫାଣ୍ଡି ପୁଲିସ ଗତ ରବିବାର ରାତିରେ ଯାଜପୁରରୋଡ ଥାନା ଅନ୍ତର୍ଗତ ସୋଲେଇ ଗ୍ରାମ ନିକଟରୁ ୬ ଜଣ ଡକାୟତଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୫ଟି ଚୋରି ବାଇକ୍‌, ଗୋଟିଏ ଖଣ୍ଡା, ୨ଟି ଲୁହା ଛଡ଼, ୬ଟି ମୋବାଇଲ୍‌ ଫୋନ୍‌ ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ କଳିଙ୍ଗନଗର ଥାନା ଅଧୀନ ସାରଙ୍ଗପୁର ଗ୍ରାମର ତନୁ ଜେନାଙ୍କ ପୁଅ ଗୌତମ ଓରଫ କୁଟୁରୀ (୩୬), ଯାଜପୁରରୋଡ ଥାନା ଅଧୀନ ଯୋଗୀସାହିର ନନ୍ଦ ସାଏଙ୍କ ପୁଅ ବନମାଳୀ ଓରଫ ଟାରର୍ଜନ(୨୩), ସେହି ଗ୍ରାମର ନାଣ୍ଡୁରାମ ପୂ୍ର୍ତ୍ତିଙ୍କ ପୁଅ ବିଶ୍ଵରଞ୍ଜନ ଓରଫ କୁମ୍ଭୀର (୨୪), ଦାନଗଦୀ ଫାଣ୍ଡି ଅଧୀନ ତ୍ରିଜଙ୍ଗା ହୁଡ଼ିସାହି ଗ୍ରାମର ଗୋଲଖ ପାତ୍ରଙ୍କ ପୁଅ ରବୀନ୍ଦ୍ର(୨୮), ଦାନଗଦୀର ରାଞ୍ଚି ହାଁସଦାଙ୍କ ପୁଅ ଗୌରାଙ୍ଗ (୨୨) ଓ ଦାନଗଦୀ ଗୋପାଳପୁର ଗ୍ରାମର ସ୍ଵର୍ଗତଃ ଭୀମ ସୋରେନଙ୍କ ପୁଅ ମାଙ୍ଗା (୨୩) ପ୍ରମୁଖ। ସୂଚନା ମୁତାବକ, ଗତ ରବିବାର ରାତି ପ୍ରାୟ ୮ଟା ବେଳେ ଅଭିଯୁକ୍ତମାନେ ଏକ ବଡ଼ ଧରଣର ଡକାୟତି ପାଇଁ ଯୋଜନା କରୁଥିଲେ। ଦାନଗଦୀ ଫାଣ୍ଡି ପୁଲିସ ସୂଚନା ପାଇ ଯାଜପୁରରୋଡ ଥାନା ଆଇଆଇସି ଉପେନ୍ଦ୍ର କୁମାର ପ୍ରଧାନଙ୍କ ସହ ଯୋଗାଯୋଗ କରିଥିଲେ। ଆଇଆଇସି ଶ୍ରୀ ପ୍ରଧାନଙ୍କ ନିର୍ଦେଶରେ ଯାଜପୁରରୋଡ ଥାନା ଓ ଦାନଗଦୀ ଫାଣ୍ଡି ପୁଲିସ ସୋଲେଇ ଆଦିବାସୀସାହି ଫୁଟ୍‌ବଲ୍‌ ପଡ଼ିଆ ନିକଟରେ ଚଢ଼ଉ କରିଥିଲେ। ଅଭିଯୁକ୍ତମାନଙ୍କୁ ସେଠାରୁ ଗିରଫ କରାଯାଇଥିଲା। ପରେ ପୁଲିସ ଅଭିଯୁକ୍ତମାନେ ବ୍ୟବହାର କରୁଥିବା ଚୋରି ବାଇକ୍‌ ଗୁଡ଼ିକୁ ଜବତ କରିଥିଲା। ସେମାନଙ୍କ ନିକଟରୁ ଏକ ହିରୋ ସ୍ପ୍ଲେଣ୍ଡର ପ୍ଲସ୍ (ଓଡି-୩୪ଏ-୭୧୭୯), ଏକ ହିରୋ ମେଷ୍ଟ୍ରୋ (ଓଡି-୨୨ବି-୯୫୮୫), ଏକ ଆପାଚି (ଓଆର୍-୦୪ପି-୫୮୯୨), ଏକ ହିରୋ ସ୍ପ୍ଲେଣ୍ଡର (ଓଡି-୩୪ଇ-୨୩୫୫) ଓ ଗୋଟିଏ ନମ୍ବର୍ ବିହୀନ କଳା ରଙ୍ଗର ପଲସର୍-୧୫୦ ସି.ସି. ବାଇକ୍‌ ଜବତ କରାଯାଇଥିଲା।

Advertisment

publive-image

ପୁଲିସ ସୂଚନା ଅନୁଯାୟୀ, ଅଭିଯୁକ୍ତ କୁଟୁରୀ ନାଁରେ ପୂର୍ବରୁ କଳିଙ୍ଗନଗର ଥାନାରେ ୧୪ଟି, ଯାଜପୁରରୋଡ ଥାନାରେ ୬ଟି, ଯଖପୁରା ଥାନାରେ ଗୋଟିଏ, କୋରେଇ ଥାନାରେ ଗୋଟିଏ, କଟକ ମଙ୍ଗଳାବାଗ ଥାନାରେ ଗୋଟିଏ, ଭଦ୍ରକ ଜିଆର୍‌ପି ଥାନାରେ ଗୋଟିଏ ମାମଲା ରହିଛି। ଅନ୍ୟ ଅଭିଯୁକ୍ତ ବିଶ୍ୱରଞ୍ଜନ ପୂର୍ତ୍ତି ଓରଫ କୁମ୍ଭୀର ନାଁରେ ଯାଜପୁରରୋଡ ଥାନାରେ ୧୦ ଟି, କଳିଙ୍ଗନଗର ଥାନାରେ ୨ଟି ମାମଲା ରହିଛି। ଗୋଟିଏ ଜାମିନ ବିହୀନ ପରୱାନା ମଧ୍ୟ ରହିଛି। ବନମାଳୀ ସାଏ ନାଁରେ ଯାଜପୁରରୋଡ ଥାନାରେ ୧୪ଟି, ଭଦ୍ରକ ଜିଆରପି ଥାନାରେ ଗୋଟିଏ ମାମଲା ରହିଛି। ରବୀନ୍ଦ୍ର ପାତ୍ର ନାଁରେ ଯାଜପୁରରୋଡ ଥାନାରେ ୬ଟି ଓ ଯଖପୁରା ଥାନାରେ ଗୋଟିଏ ମାମଲା ରହିଛି। ମାଙ୍ଗା ସୋରେନ ନାଁରେ କଳିଙ୍ଗନଗର ଥାନା ଓ ଯାଜପୁର ରୋଡ ଥାନାରେ ୨ ଟି ଲେଖାଏଁ ମାମଲା ରହିଛି। ଯାଜପୁରରୋଡ ଥାନା କେସ୍ ନମ୍ଵର୍ ୩୦୧/୨୩ ଦଫା ୩୯୯ ଓ ୪୦୨ ଏବଂ ମାରଣାସ୍ତ୍ର ଆଇନ ଅନୁଯାୟୀ ସମସ୍ତଙ୍କ ନାମରେ ମାମଲା ରୁଜୁ କରାଯାଇ କୋର୍ଟଚାଲାଣ କରାଯାଇଛି।