ଢେଙ୍କାନାଳ : ସହରର କଂଟାନାଳୀ ବାଇପାସ୍ ନିକଟରେ ଥିବା ଜଣେ ବ୍ୟକ୍ତିଙ୍କ ଘରେ ୩ ଜଣ ଯୁବକ ପଶି ମାରଣାସ୍ତ୍ର ଦେଖାଇ ଟଙ୍କା ସୁନା ଲୁଟିନେଇଥିଲେ । ଏହି ଘଟଣାରେ ଟାଉନ୍ ଥାନା ପୁଲିସ୍ ୬ ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ପୁଲିସ୍ ସୂଚନା ଅନୁଯାୟୀ, ସହରର କଂଟାନାଳୀ ବାଇପାସ୍ ସ୍ଥିତ ଜଣେ ବ୍ୟକ୍ତିଙ୍କ ଘରେ ଗତ ୧୦ ତାରିଖ ରାତି ୮ଟା ୪୦ ମିନିଟ୍ ସମୟରେ ୩ ଜଣ ଯୁବକ ମୁହଁରେ ଗାମୁଛା ଘୋଡେଇ ହୋଇ ବିଭିନ୍ନ ମାରଣାସ୍ତ୍ର ସହ ପଶିଥିଲେ । ସଂପୃକ୍ତ ପରିବାରର ସଦସ୍ୟଙ୍କୁ ଭୟଭୀତ କରାଇ ସେମାନଙ୍କ ଠାରୁ ଦୁଇଟି ମୋବାଇଲ୍, ସୁନା ଚେନ୍, ସୁନା କାନଫୁଲ,ସୁନା ମୁଦି, ରୂପା ଅଳଙ୍କାର ଲୁଟି ନେଇଯାଇଥିଲେ । ସଂପୃକ୍ତ ପରିବାର ଅଭିଯୋଗ କ୍ରମେ ଟାଉନ୍ ଥାନାରେ ୨୩୬/୨୧ ଦଫା ୪୫୭/୩୯୨/୩୯୭ ଏବଂ ୩୪ ଆଇପିସି, ୨୭ ଆର୍ମସ୍ ଆକ୍ଟରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା । ଏହି ଘଟଣାରେ ପୁଲିସ୍ ପ୍ରଥମେ ଦୁଇଜଣ ମୁଖ୍ୟ ଅଭିଯୁକ୍ତଙ୍କୁ ଧରିବା ସହ ସେମାନଙ୍କ ଠାରୁ ମାରଣାସ୍ତ୍ର ଏବଂ ଚୋରୀ ସମଗ୍ରୀ ଜବତ କରିଥିଲେ । ଅଭିଯୁକ୍ତମାନଙ୍କ ଠାରୁ ଚୋରୀ ସାମଗ୍ରୀ ରଖିଥିବା ଅଭିଯୋଗରେ ଅନ୍ୟ ୪ଜଣଙ୍କୁ ପୁଲିସ୍ ଗିରଫ କରିଛନ୍ତି । ଗିରଫ ଅଭିଯୁକ୍ତମାନଙ୍କ ଠାରୁ ୨ଟି ମୋବାଇଲ୍, ଏକ ସୁନା, ସୁନା କାନଫୁଲ ଏକହଳ, ସୁନା ମୁଦି ୧ଟା, ରୁପା ପାଉଁଜି ହଳେ, ଭୁଜାଲି ୧ଟା, ଛୁରୀ ୧ଟା ସହ ୭ହଜାର ୬୦୦ଟଙ୍କା ଜବତ କରାଯାଇଛି । ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଟାଉନ୍ ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସ୍ଡିପିଓ ବିକାଶ ବେହୁରା ସୂଚନା ଦେଇଛନ୍ତି । କାର୍ଯ୍ୟକ୍ରମରେ ଟାଉନ୍ ଥାନା ଅଧିକାରୀ ନମିତା ନାୟକ, ଏସ୍ଆଇ ଚନ୍ଦ୍ରକାନ୍ତ ସେଠୀ ଉପସ୍ଥିତ ଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/20bb3df8-e7f0-46e7-a696-737108ef179e.jpg)