ମାତିଛନ୍ତି ଗଞ୍ଜେଇ ମାଫିଆ: ୬ ମାସରେ ୭୦ ଗିରଫ, ୧୦ ଟନ୍ ଗଞ୍ଜେଇ ଜବତ

ଜୟପୁର: ଜବତ୍ ଗାଡିରେ ରହିଛି ଜବତ ଗଞ୍ଜେଇ। ଦିନେ ନୁହେଁ କି ଅଧେ ନୁହେଁ ଗତ ଦୁଇ ବର୍ଷରୁ ଅଧିକ ଦିନ ହେବ ଏକ ଗଞ୍ଜେଇ ଚାଲାଣ ହୋଇ ଧରା ପଡିଥିବା କଣ୍ଟେନରରେ ପଡିରହିଛି ୧୦ ଟନରୁ ଅଧିକ ଗଞ୍ଜେଇ। କୋରାପୁଟ ଜିଲ୍ଲା ଜୟପୁରରେ ରହିଥିବା କୋର୍ଟ ମାଲଖାନାରେ ରଖିବାକୁ ସ୍ଥାନ ନ ଥିବାରୁ ଜୟପୁର ସଦର ଥାନା ପରିସରରେ ରହିଥିବା ଏକ କଣ୍ଟେନରରେ ରହିଛି କୋଟି କୋଟି ଟଙ୍କାର ଗଞ୍ଜେଇ। ଆଉ ଯେଉଁ ଗଞ୍ଜେଇ ଧରା ପଡିଲା ତାହାକୁ ଏହି ଠାରେ ରଖାଯାଉଛି।

ତେବେ କୋରାପୁଟ ଜିଲ୍ଲା ଜୟପୁର ସଦର ପୁଲିସ ଗତ ୬ ମାସ ମଧ୍ୟରେ ୭୦ରୁ ଅଧିକ ରାଜ୍ୟ ତଥା ରାଜ୍ୟ ବାହାର ଗଞ୍ଜେଇ ମାଫିଆଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବାବେଳେ ପ୍ରତିଦିନ ଏହି ଥାନା ହାତରେ ଧରା ପଡି ଜେଲ ଯାଉଛନ୍ତି ମାଫିଆ। ଏବେ ଜୟପୁର, କୋରାପୁଟ ଓ କୋଟପାଡ ଜେଲରେ ଗତ ୬ ମାସ ମଧ୍ୟରେ ୧୨୩ଜଣ ଗଞ୍ଜେଇ ମାଫିଆ ଜେଲର ହାୱା ଖାଉଥିବା ଜଣାପଡିଛି।

ରାଜ୍ୟ ତଥା ରାଜ୍ୟ ବାହାର ଗଞ୍ଜେଇଇ ମାଫିଆଙ୍କୁ ପୁଲିସ ପଣ କରିଥିବାବେଳେ ଥମିବାର ନାଁ ନେଉନି ଗଞ୍ଜେଇ ଚୋରା ଚାଲାଣ। ପ୍ରତିଦିନ କୋରାପୁଟ ଜିଲ୍ଲାର ଲମତାପୁଟ, ବୈପାରିଗୁଡା, ନାରାୟଣପାଟଣା, ବନ୍ଧୁଗାଁ, କୋଲାବ ଓ ମାଲକାନଗିରି ଜିଲ୍ଲାରୁ ରାଜ୍ୟ ତଥା ରାଜ୍ୟ ବାହାରକୁ ଚାଲାଣ ହେଉଛି ଗଞ୍ଜେଇ। ମୁଖ୍ୟତଃ କୋରାପୁଟ ଜିଲ୍ଲା ଗଞ୍ଜେଇ ହରିୟଣା, ପଞ୍ଜାବ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ବିହାର, ଛତିଶଗଡ ଓ ଦିଲ୍ଲୀରେ ନାହିଁ ନ ଥିବା ଚାହିଦା ରହିଥିବାରୁ ଚୋରା ଚାଲାଣ ସଂଖ୍ୟା ବୃଦ୍ଧି ପାଇଛି। ପୂର୍ବରୁ କୋରାପୁଟ ପୁଲିସ ଆଖିରେ ଧୂଳି ଦେଇ ଖସି ପଳାଉଥିବାବେଳେ ଏହି ଧାରା ୬ ମାସ ହେଲା ବୃଦ୍ଧି ପାଇଥିଲା।

ଲକଡାଉନ ସମୟରେ ଏପରି ବୃଦ୍ଧି ପାଇଥିଲା ଯେ ପାଣି ଟାଙ୍କି, ତେଲ ଟାଙ୍କି, ଆମ୍ବୁଲାନ୍ସ, କଣ୍ଟେନର, ଓଡ଼ିଶା ପୋଷ୍ଟର କଣ୍ଟେନର, ମଶାରୀ ଟ୍ରକ୍, ଏକ୍ସୟୁଭି ସହ ବହୁ ଦାମୀ ଗାଡିରେ ଏହା ଯାଉଥିଲା। ଏବେ ପୁଲିସର ଧରପଗଡ ପରେ ମଧ୍ୟ ଗଞ୍ଜେଇ ଚାଲାଣ ବନ୍ଦ ହେଉନାହିଁ। ଏପରିକି ଲକଡାଉନ ସମୟରେ ସବୁ ବନ୍ଦ ରହିଥିବାବେଳେ ମଧ୍ୟ ଜିଲ୍ଲାର ସଦରଥାନା ପୁଲିସ ଗଞ୍ଜେଇ ମାଫିଆଙ୍କୁ ଜେଲ କାନ୍ଥ ଦେଖାଇଛି। ତେବେ କୋରାପୁଟ ପୁଲିସର ସଠିକ ସୂଚନା ଓ ସଦର ଥାନା କର୍ତ୍ତୃପକ୍ଷଙ୍କ ସଠିକ ଚଢାଉ ଯୋଗୁଁ ଏହା ସଫଳତା ହାସଲ କରିଛି।

କୋରାପୁଟ ଜିଲ୍ଲାରେ ଏବେ ୧୦ରୁ ଅଧିକ ଟ୍ରକ୍, ୧୧ଟିରୁ ଅଧିକ ଏକ୍ସୟୁଭି, ୫ଟିରୁ ଅଧିକ ପିକ୍ ଅପ୍, ୧୨ରୁ ଅଧିକ ବିଭିନ୍ନ କାର ଓ ୧୨ଟିରୁ ଅଧିକ ବାଇକ୍ ଜବତ ହୋଇଛି। ଜୟପୁର ସଦର ଥାନାରେ ଏବେ ଏହି ଗାଡି ରଖିବାକୁ ଜାଗା ନ ଥିବାବେଳେ ଗାଗନାପୁର, ଆମ୍ବାଗୁଡା ଓ ବାରିଣିପୁଟ ଫାଣ୍ଡି ଅଞ୍ଚଳକୁ ଗାଡି ସବୁ ସ୍ଥାନାନ୍ତର କରାଯାଉଛି। ଗଞ୍ଜେୂଇ ଚୋରା ଚାଲାଣରେ ଏହି ୬ ମାସ ମଧ୍ୟରେ ଆନୁମାନିକ ୫ କୋଟି ମୂଲ୍ୟର ଅଧିକ ଦାମୀ ଗାଡି ଧରା ପଡିଛି। ପୂର୍ବରୁ କୋଟି କୋଟି ଟଙ୍କା ମୂଲ୍ୟର ଗାଡି ଖତ ଖାଉଥିବାବେଳେ ଏହି ତାଲିକାରେ ଯୋଡି ହୋଇଛି ଆହୁରି ୪୨ଟି ଦାମୀ ଗାଡି।

ଅନ୍ୟପକ୍ଷରେ କୋରାପୁଟ ଜିଲ୍ଲାରେ ରାଜ୍ୟ ବାହାରେ ପଇଁତାରା ମାରୁଥିବା ରାଜ୍ୟ ବାହାର ଗାଡି ଉପରେ ପୁଲିସର ତୀକ୍ଷ୍ନ ନଜର ରହିଛି। ବିଭିନ୍ନ ବାହାନାରେ ରାଜ୍ୟ ବାହାର ମାଫିଆମାନେ ଗଞ୍ଜେଇ ଚାଲାଣ କରୁଥିବାବେଳେ ପୁଲିସ ଗୋଟିଏ ପାଦ ଆଗକୁ ନେଇ ସେମାନଙ୍କୁ ଧରି କୋର୍ଟ ଚାଲାଣ କରୁଛି। ମୁଖ୍ୟତଃ ହରିୟଣା, ଦିଲ୍ଲୀ, ବିହାର, ମଧ୍ୟ ପ୍ରଦେଶ, ମହାରାଷ୍ଟ୍ର, ଉତ୍ତର ପ୍ରଦେଶ, ରାଜସ୍ଥାନ ଓ ଗୁଜରାଟ ନମ୍ବର ଥିବା ଗାଡିକୁ ପୁଲିସ ଯାଞ୍ଚ କରୁଥିବାରୁ ମାଫିଆମାନେ ୪ରୁ ୫ଟି ନମ୍ବର ପ୍ଲେଟ ରଖି କାରବାର କରୁଥିବା ପୁଲିସ ନଜରକୁ ଆସିଛି। ଓଡ଼ିଶା ନମ୍ବର ମାଫିଆମାନେ ବ୍ୟବହାର କରୁଥିବାରୁ ସେଥିପାଇଁ ଏହି ନମ୍ବରକୁ ମଧ୍ୟ ପୁଲିସ ଧରି ତନାଘନା କରୁଛି।

ଏନେଇ ସଦର ଥାନା ଓଆଇସି ଆଦିତ୍ୟ ମହାକୂର କହିଛନ୍ତି ଯେ କୋରାପୁଟ ଏସପି, ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଓ ପୁଲିସ ଡିଜିଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାରୁ କିପରି ଚୋରା ଗଞ୍ଜେଇ ଚାଲାଣ ବନ୍ଦ ହେବ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଛି। ଅପରାଧୀ ଯେଉଁ ଉପାୟରେ ଗଞ୍ଜେଇ ଚାଲାଣ କରି ଏଥିରୁ ଅର୍ଥ ଉପାର୍ଜନ କରି ଅପରାଧିକ ସାମ୍ରାଜ୍ୟ ପ୍ରତିଷ୍ଠା କରିବାକୁ ଚାହୁଁଛନ୍ତି। ଏହାକୁ ରୋକିବାକୁ ଜିଲ୍ଲା ପୁଲିସ ସହଯୋଗରେ ଧରପଗଡ କରାଯାଉଛି। ଏବେ ସୁଦ୍ଧା ୬ ମାସ ମଧ୍ୟରେ ୭୦ରୁ ଅଧିକ ରାଜ୍ୟ ତଥା ରାଜ୍ୟ ବାହାର ଗଞ୍ଜେ୍ଇ ମାଫିଆଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ୧୦ କୋଟିରୁ ଅଧିକ ଗଞ୍ଜେଇ ଜବତ ହେବା ସହ ୫ କୋଟିରୁ ଅଧିକ ମୂଲ୍ୟର ଗାଡି ଜବତ ହୋଇଛି ବୋଲି ସେ କହିଛନ୍ତି

ସମ୍ବନ୍ଧିତ ଖବର