ରାଉରକେଲା: ରାଉରକେଲା ଯୋଗାଣ ବିଭାଗରେ ଦୁର୍ନୀତି ଥମୁନି। ଭୂତ କାର୍ଡକୁ ନେଇ ତ ଅନ୍ୟ କେତେବେଳେ ପିଡିଏସ୍‌ ଚାଉଳ ବଣ୍ଟନରେ ବ୍ୟାପକ ‌ହେରଫେରୁ ନେଇ ‌ଅନେକ ଅଭିଯୋଗ ରହିଛି। କେନ୍ଦ୍ର ସରକାର ଆସନ୍ତା ୫ ବର୍ଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ମାଗଣା ଚାଉଳ ବଣ୍ଟନ ଘୋଷଣା କରିବା ପରେ ଯୋଗାଣ ବିଭାଗର ଅଧିକାରୀଙ୍କ ଦୁର୍ନୀତି କମିବା ପରିବର୍ତ୍ତେ ବଢ଼ିଛି। ଯୋଜନା ନିୟମ ମୁତାବକ ଏଣିକି କେଜି ପ୍ରତି ଚାଉଳରେ ରିଟେଲର ୧ ଟଙ୍କା ୪ ପଇସା କମିସନ ପାଇବେ। ଏଥିରେ ୯୦ ପଇସା କମିସନ୍‌ ଓ ୧୪ ପଇସା ପଏଣ୍ଟ ଅଫ୍‌ସେଲ ମେସିନ୍‌ (ପିଓଏସ୍‌) ରକ୍ଷଣାବେକ୍ଷଣ ବାବଦରେ। ପୂର୍ବରୁ ହିତାଧିକାରୀମାନେ ୧ ଟଙ୍କାରେ ୧ କେଜି ଚାଉଳ ପାଉଥିଲେ। ଫଳରେ ରିଟେଲରମାନେ ସରକାରଙ୍କୁ ୩୦ ପଇସା ଦେଇ ହିତାଧିକାରୀମାନଙ୍କ ଠାରୁ ୧ ଟଙ୍କା ନେଇ କେଜି ପିଛା ୭୦ ପଇସା ଲାଭ କରୁଥିଲେ।

Advertisment

ଗତ ଜାନୁଆରି ଠାରୁ ଏହି ନିୟମ ସମ୍ପୂର୍ଣ୍ଣ ବଦଳି ଯାଇଛି। କେନ୍ଦ୍ର ସରକାର ୧ଟଙ୍କା ପରିବର୍ତ୍ତେ ହିତାଧିକାରୀଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ଚାଉଳ ଦେବାକୁ ଘୋଷଣା କରିବା ଯୋଗାଣ ବିଭାଗର କିଛି କରିତକର୍ମା ଅଧିକାରୀ ପିସି କାରବାର ତରିକା ବଦଳିଯାଇଛି। କ୍ବିଣ୍ଟାଲ ପ୍ରତି ୬ ଟଙ୍କା ଲେଖାଏଁ ପିସି ଦେବାକୁ ରିଟେଲରମାନଙ୍କୁ ଦାବି କରୁଛନ୍ତି। ପିସି ନ ମିଳିବା ପର୍ଯ୍ୟନ୍ତ ବକେୟା ଟଙ୍କା ମିଳିବ ନାହିଁ ବୋଲି କୁଆଡେ ରୋକ୍‌ଠୋକ୍‌ ମନା କରି ଦେଉଛନ୍ତି। ବିଭିନ୍ନ ଆଳ ଦେଖାଇ ମାସ ମାସ ଧରି ସମୟ ଗଡାଇ ଚାଲିଛନ୍ତି। ସହରରେ ମାସକୁ ପାଖାପାଖି ୧୦ ହଜାର କ୍ବିଣ୍ଟାଲ ଚାଉଳ ଉଠୁଛି। କ୍ବିଣ୍ଟାଲ ପ୍ରତି ୬ ଟଙ୍କା କରି ମାସକୁ ୬ ଲକ୍ଷ ଟଙ୍କା ପିସି ଦେବାକୁ କୁହାଯାଉଛି। ଏମିତି ଭାବେ ୩୧ ମାସରେ ୧ କୋଟି ୮୬ ଲକ୍ଷ ଟଙ୍କା ପର୍ଯ୍ୟାୟକ୍ରମେ ଦେବାକୁ ରିଟେଲରମାନଙ୍କୁ ଅଧିକାରୀମାନେ ତାଗିଦ କରୁଛନ୍ତି। ପିସି ମିଳୁ ନଥିବାରୁ ମାସକୁ ପ୍ରାୟ ୧ କୋଟିରୁ ଅଧିକ ଟଙ୍କା କରି ୩୧ ମାସରେ ରିଟେଲରମାନଙ୍କୁ ବିକ୍ରି କମିସନ୍‌ ପ୍ରାୟ ୩୨ କୋଟି ୨୪ ଲକ୍ଷ ଟଙ୍କା ମିଳିନି।

କେନ୍ଦ୍ର ସରକାର ପ୍ରାୟ ୪୧୦ କୋଟି ଟଙ୍କା ରାଜ୍ୟ ସରକାରଙ୍କୁ ପ୍ରଦାନ କରିସାରିଛନ୍ତି। ଆଶ୍ଚର୍ଯ୍ୟର କଥା, ଏହି ଟଙ୍କାରୁ ରାଜ୍ୟର କାର୍ଯ୍ୟରତ ପରିବହନ ଠିକାଦାରମାନଙ୍କୁ ସେମାନଙ୍କ ପାରିଶ୍ରମିକ ଦିଆଯାଉଛି। ହେଲେ ରିଟେଲରମାନଙ୍କୁ ପ୍ରାପ୍ୟ ପଇଠ କରିବାରେ ସରକାର ଟାଳଟୁଳ ନୀତି ଅବଲମ୍ବନ କରାଯାଉଛି। ନିକଟରେ ରିଟେଲର ସଂଘ ପକ୍ଷରୁ ବିଧାନସଭା ଆଗରେ ବିକ୍ଷୋଭ କରିବା ପରେ ମାତ୍ର ୩ ମାସର ବକେୟା କମିସନ ମିଳିଛି। ଅବଶିଷ୍ଟ ବକେୟା ଅର୍ଥ କେବେ ମିଳିବ କାହାରି ପାଖରେ ସଠିକ୍‌ ଉତ୍ତର ନାହିଁ। ୬% ପିସି ସମ୍ପର୍କିତ ଅଭିଯୋଗକୁ ସହକାରୀ ଯୋଗାଣ ଅଧିକାରୀ ସୋନାଲି ଖରା ଖଣ୍ଡନ କରିଛନ୍ତି। ସେ କହିଛନ୍ତି ରିଟେଲମାନେ ଆଣିଥିବା ଏମିତି ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା। ଏଥିରେ କୌଣସି ସତ୍ୟତା ନାହିଁ। ରିଟେଲରଙ୍କ ବକେୟା କମିସନ ଅର୍ଥ ମିଳିବାକୁ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଯାଇଛି। ଖୁବ୍‌ଶୀଘ୍ର ପର୍ଯ୍ୟାୟକ୍ରମେ ଦିଆଯିବ। ତେବେ ଯୋଗାଣ ବିଭାଗର କେଉଁ ଅଧକାରୀମାନେ ୬% ପିସି ଦାବି କରୁଛନ୍ତି, ତା’ର ଉଚ୍ଚସ୍ତରୀୟ ତଦନ୍ତ ହେବାର ଆବଶ୍ୟକତା ରହିଛି। ଉଲ୍ଲେଖଯୋଗ୍ୟ, ସହରରେ ପାଖାପାଖି ୧୪୭ ରିଟେଲର ରହିଛନ୍ତି। ଏମାନଙ୍କ ମଧ୍ୟରେ ୨୨ ରୁ ଅଧିକ ହେଉଛନ୍ତି ଏସ୍‌ଏଚ୍‌ଜି।