୮ ବ୍ୟାଟେରି ଚୋରି: ନାବାଳକ ସମେତ ୬ କୋର୍ଟ ଚାଲାଣ

ଝାରସୁଗୁଡ଼ା: ସୋମବାର ରାତିରେ ବନହରପାଲି ଥାନା ଅନ୍ତର୍ଗତ ତିଲିଆ ଆସପଣ୍ଡରେ ଲାଗିଥିବା ୮ଟି ବ୍ୟାଟେରିକୁ ଦୁର୍ବୃତ୍ତମାନେ ଚୋରି କରି ନେଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ବନହରପାଲି ପୁଲିସ୍ ଏକ ମାମଲା ରୁଜୁ କରି ଜଣେ ନାବାଳକ ସମେତ ମୋଟ ୬ ଜଣଙ୍କୁ ଆଜି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ, ବନହରପାଲି ଥାନା ଭଟଲି ଗ୍ରାମର ଅଭିଷେକ ବେସନ(୧୯), ପ୍ରଣୟ ଭୋଇ(୨୩), ଚାରପାଲିର ଜଗଦୀଶ ସତନାମୀ(୩୮), ନୂଆଗଡ଼ର ନବୀନ ରୋହୀଦାସ(୩୭), ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଗଣେଶନଗରର ଯଜ୍ଞେଶ ସାହୁ(୩୯) ଓ ଜଣେ ନାବାଳକ। ଅଭିଯୁକ୍ତଙ୍କ ନିକଟରୁ ଚୋରି ହୋଇଥିବା ୮ଟି ବ୍ୟାଟେରି, ଚୋରିରେ ବ୍ୟବହୃତ ଅଟୋ(ଓଡି ୧୫ ଡି ୮୭୯୬) ଓ ବାଇକ୍(ଓଡି ୨୩ ଇ ୩୯୯୩)ଜବତ କରାଯାଇଛି। ପୂଲିସ୍ ସୂଚନା ଅନୁସାରେ, ୬ ତାରିଖ ବିଳମ୍ବିତ ରାତିରେ ଆସପଣ୍ଡରେ ଲାଗିଥିବା ବ୍ୟାଟେରି ଚୋରି କରିବାକୁ ଅଭିଷେକ, ପ୍ରଣୟ ଓ ନାବାଳକ ଯୋଜନା କରିଥିଲେ। ବାଇକ୍ ଯୋଗେ ସେମାନେ ବ୍ୟାଟେରି ଚୋରି କରି ଆଣିବା ପରେ ବନହରପାଲି ଡୁଙ୍ଗଡୁଙ୍ଗ ଛକରେ ଥିବା ଜଗଦୀଶର ସ୍କ୍ରାପ୍ ଗୋଦାମକୁ ନେଇଥିଲେ। ସେଠାରେ ବ୍ୟାଟେରି କିଲୋ ପିଛା ୫୦ ଟଙ୍କାରେ ବିକ୍ରି କରିଥିଲେ। ପରେ ସେହି ବ୍ୟାଟେରିଗୁଡ଼ିକୁ ଅଟୋରେ ନେଇ ରେଙ୍ଗାଲିର ଯଜ୍ଞେଶ ସାହୁକୁ କିଲୋ ପିଛା ୬୦ ଟଙ୍କାରେ ଜଗଦୀଶ ବିକ୍ରି କରିଥିଲା।

ସମ୍ବନ୍ଧିତ ଖବର