ବାପା-ମା’ଙ୍କ ପେଟକୁ ଦୁଇ ମୁଠା ଖାଇବାକୁ ଦେବା ପାଇଁ ଶିଶୁ ଦେଖାଉଛି ବାଉଁଶରାଣୀ ଖେଳ

ସୁନ୍ଦରଗଡ଼: ସୁନ୍ଦରଗଡ ପୁରୁଣା ବସଷ୍ଟାଣ୍ଡରେ ଗୀତ ବାଜୁଛି, ବାଉଁଶରାଣୀ ଖେଳ ଦେଖାଇବା ପାଇଁ ୭ରୁ ୮ ବର୍ଷର ଝିଅ ଜଣକ ପ୍ରସ୍ତୁତ ଅଛନ୍ତି । କାରଣ ଖେଳ ନକଲେ ପେଟ ଅପୋଷା ରହିବ । ଆପଣମାନେ ମଧ୍ୟ ଦିନେ ନା ଦିନେ ଏ ଖେଳ ଦେଖିଥିବେ, ଆଉ ଖେଳ ଦେଖି ସାରିବା ପରେ ଘରୁ ଚାଉଳ ଗଣ୍ଡାଏ କି ଟଙ୍କା କେଇଟା ନିଶ୍ଚୟ ଦେଇଥିବେ।

ଆଜି ସୁନ୍ଦରଗଡରେ ସେଇ ବାଉଁଶରାଣୀ ଖେଳ ଦେଖାଉଛି କୁନି ଝିଅ । ୭ରୁ ୮ ବର୍ଷର ଝିଅଟି ବାଉଁଶର ପ୍ରାୟ ୧୦ ଫୁଟ ଉଚ୍ଚରେ ବନ୍ଧା ହୋଇଥିବା ରଶିରେ ବିପଦଜନକ କୌଶଳ ଦେଖାଉଛି । କେତେବେଳେ ଚପଲରେ ଚାଲୁଛି ତ କେତେବେଳେ ଆଣ୍ଠେଇ କି, କେତେବେଳେ ସାଇକେଲ ରିଂରେ ଗଡିଗଡି ଯାଉଛି ତ ପୁଣି କେତେବେଳେ ଖାଇବା ପ୍ଲେଟ ଉପରେ ଠିଆ ହୋଇ ରଶିରେ ଘୁଚିଂ ଘୁଚିଂ ଯାଉଛି ।

ଏମିତି କରିବା ପଛରେ ତାର ଗୋଟିଏ ଉଦେଶ୍ୟ, ଏଇ କୌଶଳ ଦେଖି, ଲୋକେ ଖୁସି ହେବେ, ତାଙ୍କୁ କିଛି ଟଙ୍କା ଦେବେ, ସେଥିରେ ସେ ଓ ତା’ ବାପାମାଆଙ୍କ ପେଟକୁ ଦୁଇମୁଠା ଖାଇବାକୁ ଦେବ।

ସୁନ୍ଦରଗଡରେ ବାଉଁଶରାଣୀ ଖେଳ ଦେଖାଉଥିବା ଏହି ପରିବାର ଛତିଶଗଡରୁ ଆସିଛନ୍ତି । ପେଟର ଭୋକ ଏମାନଙ୍କୁ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଟାଣି ଆଣିଛି । ନିଜ ରାଜ୍ୟରେ ଏହି ଖେଳ ଦେଖାଇ ପେଟ ପୋଷୁଥିଲେ । ଏବେ କରୋନା କଟକଣା କୋହଳ ହେବା ପରେ ଖେଳ ଦେଖାଇବା ପାଇଁ ପଡୋଶୀ ରାଜ୍ୟ ସୁନ୍ଦରଗଡକୁ ଆସି ଏହିଭଳି ଭାବେ ପେଟ ପାଟଣା ଜାରି ରଖିଛନ୍ତି ।

 

ସମ୍ବନ୍ଧିତ ଖବର