ଜିଲ୍ଲାରେ ବଢୁଛି ସାଇବର କ୍ରାଇମ: କରୋନା କାଳରେ ସର୍ବାଧିକ ୬୦ଟି ମାମଲା

ତିନିବର୍ଷରେ ୨୧ ଥାନାରେ ରୁଜୁ ହୋଇଛି ୧୩୬ ମାମଲା

କୋରାପୁଟ: କୋରାପୁଟ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ସାଇବର କ୍ରାଇମ। କେତେ ମିନିଟରେ ଖାଲି ହୋଇ ଯାଉଛି ଆକାଉଣ୍ଟ। ଖାଲି ଯେ ଆକାଉଣ୍ଟ ଖାଲି ହେଉଛି ତାହା ନୁହେଁ ଆର୍ଥିକ ଦୂରାବସ୍ଥା ଭୋଗୁଛନ୍ତି ଶିକାର ହୋଇଥିବା ବ୍ୟକ୍ତି।

କେତେବେଳେ ଗୁଗୁଲ ପେ, ପେଟିଏମ୍, ଏସବିଆଇ, ଫୋନ ପେ ତ କେ୍ତେବେଳେ ତ ଅମକ ବ୍ୟାଙ୍କର ମ୍ୟାନେଜର କହି ଠକି ନେଉଛନ୍ତି ସାଇବର ଠକ। ସମ୍ପ୍ରତି ଇଣ୍ଟରନେଟର ପ୍ରସାର ଯୋଗୁଁ କମ୍ପ୍ୟୁଟର ଓ ସ୍ମାର୍ଟ ଫୋନର ବ୍ୟବହାର ବଢି ଚାଲିଥିବା ବେଳେ ଏହାର ଦୁରୂପଯୋଗ ଅନେକ କ୍ଷେତ୍ରରେ କ୍ଷତି ଘଟାଇ ଚାଲିଛି। ଏଭଳି ଆପରାଧିକ ଘଟଣାକୁ ସାଇବର କ୍ରାଇମ୍ କୁହାଯାଉଥିବା ବେଳେ ସମ୍ପ୍ରତି ସାଧାରଣ ଲୋକେ ଏହାର ଶିକାର ହେଉଥିବା ଘଟଣା ପ୍ରତିଦିନ ସାମ୍ନାକୁ ଆସୁଛି।

ଏଭଳି ଅପରାଧକୁ ରୋକିବା ପାଇଁ ରହିଥିବା ବିଧିବ୍ୟବସ୍ଥା ସମ୍ପର୍କରେ ଲୋକଙ୍କ ଅଜ୍ଞତା ଯୋଗୁଁ ଆପରାଧିକ ଘଟଣା ବୃଦ୍ଧିପାଇଛି। କେବଳ ସେତିକି ନୁହେଁ ଏ ସମ୍ପର୍କିତ ଆଇନ କାନୁନର ଠିକ ଅନୁପାଳନ ଦିଗରେ ମଧ୍ୟ ତ୍ରୁଟି ପରିଲକ୍ଷିତ ହେଉଛି।
କରୋନା ପୂର୍ବରୁ ଯେପରି ସେପରି ଚାଲିଥିବାବେଳେ କରୋନା ପରେ ଏହା ବୃଦ୍ଧି ପାଇଛି।

ଇ-କାରବାର ବୃଦ୍ଧି ପାଇବା ଦେଖି ସାଇବର ଠକମାନେ ସେମାନଙ୍କ ଜାଲ ବିଛାଇଛନ୍ତି। ସାଇବର ଠକମାନେ ଦିଲ୍ଲୀ, ମୁମ୍ବାଇ, କୋଲକାତା, ବେଙ୍ଗାଲୁରୁ ଓ ଚେନ୍ନାଇ ଆଦି ବଡ ବଡ ସହର ଲୋକଙ୍କୁ ଟାର୍ଗେଟ କରୁଥିଲେ ତାହା ନୁହେଁ ଏବେ କୋରାପୁଟ ପରି ପଛୁ୍ଆ ଜିଲ୍ଲାକୁ ମଧ୍ୟ ଟାର୍ଗେଟ କରୁଛନ୍ତି। ସାଇବର ଠକ ବିଭିନ୍ନ ଉପାୟରେ ଲୋକଙ୍କୁ ଅନଲାଇନ ଜରିଆରେ ଠକି ଚାଲିଛନ୍ତି ।

କେତେବେଳେ ଏଟିଏମ ପିନ୍ ଏବଂ ଓଟିପି ମାଗି ତ ଆଉ କେତେବେଳେ ଅନଲାଇନ ବ୍ୟାଙ୍କିରେ ହେଉଛି ଠକେଇ । ଏହାସହ ହ୍ଵାଟ୍ସଆପରେ କିଛି କମ୍ପାନୀ ପକ୍ଷରୁ ଅପାଣ ଲଟେରି ଜିତିଛନ୍ତି। ଏହି ଲେଟେରି ଜିତିବାକୁ ହେଲେ ପ୍ରଥମେ ଟଙ୍କା ଦାବି କରିଛନ୍ତି। ନିୟମିତ ଭାବେ ଏପରି ଗାଁଉଲି ଲୋକଙ୍କଠାରୁ ଲକ୍ଷାଧିକ ଟଙ୍କା ଠକି ନେଉଛନ୍ତି।

କୋରାପୁଟ ଜିଲ୍ଲାର ୧୪ଟି ବ୍ଲକରେ ରହିଥିବା ୨୩ଟି ଥାନା ମଧ୍ୟରୁ ଦୁଇଟିକୁ ଛାଡି ଦେଲେ ସବୁ ଥାନାରେ ବର୍ଷକୁ ବର୍ଷ ବୃଦ୍ଧି ପାଉଛି ସାଇବର କ୍ରାଇମ। କୋରାପୁଟ ଜିଲ୍ଲା ପୁଲିସ ଅଧୀନରେ କୋରାପୁଟ ଟାଉନ, କୋରାପୁଟ ସଦର, ଦଶମନ୍ତପୁର, ସୁନାବେଢା, ସେମିଳିଗୁଡା, ପଟାଙ୍ଗୀ, ଦାମନଟଯୋଡି, ଜୟପୁର ଟାଉନ, ଜୟପୁର ସଦର, ବୈପାରିଗୁଡା, କୁନ୍ଦୁରା, ବୋରିଗୁମ୍ମା, କୋଟପାଡ, ବି.ସିଂହପୁର, ନନ୍ଦପୁର, ପାଡୱା, ମାଛକୁଣ୍ଡ, ଲକ୍ଷ୍ମୀପୁର, ନାରାୟଣପାଟଣା, କାକିରିଗୁମ୍ମା ଓ ବନ୍ଧୁଗାଁ ପରିଥାନା ରହିଛି। ଏହି ଥାନାଗୁଡିକରେ ୨୦୧୮ରେ ୨୦ ଟି ମାମଲା, ୨୦୧୯ରେ ୫୬ଟି ଓ ୨୦୨୦ରେ ୬୦ଟି ମାମଲା ରୁଜୁ ହୋଇଛି।

ପୁଲିସ କିଛି ମାମଲାରେ ଚାର୍ଜସିଟ୍ ଦାଖଲ କରିଥିବାବେଳେ କିଛି ମାମଲାରେ ତଦନ୍ତ ଜାରି ରହିଛି। କିଛି ଲୋକ ସାଇବର ଠକେଇ ହେବାର କିଛି ସମୟ ମଧ୍ୟରେ ଜଣାପଡୁଥିବାବେଳେ କିଛି ଜଣାପଡୁନାହିଁ।

ଏଥିପାଇଁ କୋରାପୁଟ ଜିଲ୍ଲାରେ ଏକ ସାଇବର ଥାନା ପ୍ରତିଷ୍ଠା କରିବାକୁ ଯୋଜନା ରହିଥିଲା। ଏନେଇ ୨୦୧୮ ମସିହା ଜୁଲାଇ ମାସରେ ତତକାଳୀନ ପୁଲିସ ଡିଜି ଆର.ପି ଶର୍ମା କୋରାପୁଟ ଜିଲ୍ଲା ଜୟପୁରରେ ଏକ ସାଇବର ଥାନା ପ୍ରତିଷ୍ଠା କରିବାକୁ ଘୋଷଣା କରିଥିଲେ। ହେଲେ ଘୋଷଣାକୁ ତିନିବର୍ଷ ବିତିବାକୁ ବସିଥିବାବେଳେ ଏବେ ଯାଏ ଜିଲ୍ଲାରେ ସାଇବର ଥାନା ପ୍ରତିଷ୍ଠା ହୋଇପାରିଲାନି। ଫଳରେ ଜିଲ୍ଲାରେ ବର୍ଷକୁ ବର୍ଷ ସାଇବର କ୍ରାଇମ ବୃଦ୍ଧି ପାଇବାରେ ଲାଗିଛି।

ଗତ ତିନିବର୍ଷ ମଧ୍ୟରେ ୨୧ଟି ଥାନାରେ ୧୩୬ଟି ମାମଲା ରୁଜୁ ହୋଇଥିବାବେଳେ ଅଧାରୁ ଅଧିକ ମାମଲାର କୌଣସ ପତ୍ତା ନ ଥିବା ଜଣାପଡିଛି। ଏନେଇ କୋରାପୁଟ ଏସପି ବରୁଣ ଗୁଣ୍ଟୁପାଲି କହିଛନ୍ତି ଯେ ସାଇବର ଠକ ପ୍ରତି ସାବଧାନ କହି ସାମାଜିକ ଗଣମାଧ୍ୟମରେ ସଚେତନତା ସୃଷ୍ଟି କରାଯାଉଛି।

ଏହା ସତ୍ତ୍ବେ ବି ଜିଲ୍ଲାରେ କ୍ରାଇମ ହାର ବୃଦ୍ଧି ପାଉଛି। ପ୍ରତି ଥାନାଧିକାରୀଙ୍କୁ ଏନେଇ ଯତ୍ନବାନ ହେବାକୁ କୁହାଯାଇଛି। ଏହାସହ ଜିଲ୍ଲା ମୁଖ୍ୟାଳୟରେ ରହିଥିବା ସାଇବର କ୍ରାଇମର ଏକ ଅଂଶ ଅତି ଯତ୍ନବାନ ହୋଇ କାର୍ଯ୍ୟ କରୁଛି। ଏହାକୁ ଆସନ୍ତା ଦିନରେ ଅଧିକ ପ୍ରସାର କରାଯିବାକୁ ଯୋଜନା ରହିଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର