ରାଉରକେଲା: ଛୋଟ ବଡ ବ୍ୟବସାୟୀଙ୍କ ପାଇଁ ପ୍ରାୟ ୬୦ କୋଟି ଟଙ୍କାରେ ତିଆରି ହୋଇଛି ମାର୍କେଟ କମ୍ପ୍ଲେକ୍ସ ଓ ଭେଣ୍ଡିଂ ଜୋନ୍। ଜିଲ୍ଲା ପ୍ରଶାସନ ଗତ ଅଢ଼େଇ ମାସ ତଳେ, ଅର୍ଥାତ୍ ଗତ ମାର୍ଚ୍ଚ ୧୦ରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଏହାକୁ ଉଦ୍ଘାଟନ କରିଥିଲେ। କିନ୍ତୁ ଆଜି ପର୍ଯ୍ୟନ୍ତ ଉଭୟ ଭେଣ୍ଡିଂ ଜୋନ୍ ଓ ମାର୍କେଟ କମ୍ପ୍ଲେସରେ ତାଲା ଝୁଲୁଛି। ଫଳରେ ଉଭୟ ମାର୍କେଟ କମ୍ପ୍ଲେକ୍ସ ଓ ଭେଣ୍ଡିଂ ଜୋନ୍ ତିଆରି ହୋଇଥିବା ଯାଗାରୁ ବିସ୍ଥାପିତ ହୋଇ ଅସ୍ଥାୟୀ ଥଇଥାନ ସ୍ଥାନରେ ପସରା ମେଲିଥିବା ଦୋକାନୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେମାନଙ୍କ ଭିତରେ ଅସନ୍ତୋଷ କୁହୁଳୁଛି। ସାଧାରଣ ଲୋକ ମଧ୍ୟ ସମସ୍ୟା ଭୋଗୁଛନ୍ତି।
ଉଲ୍ଲେଖନୀୟ ଯେ ୫୩.୫୩ କୋଟି ଟଙ୍କା ଖର୍ଚ୍ଚରେ ପାନପୋଷଠାରେ ମାର୍କେଟ କମ୍ପ୍ଲେକ୍ସ ତିଆରି ହୋଇଛି। ସେଥିରେ ଅଛି ୧୫୦ଟି ଗୃହ। ମୁଖ୍ୟମନ୍ତ୍ରୀ ଏହାକୁ ଉଦ୍ଘାଟନ କରିବାର ଠିକ୍ ପୂର୍ବରୁ ରଙ୍ଗ ଦେଇ ତା’କୁ ଚକାଚକ୍ କରି ଦିଆଯାଇଥିଲା। ବର୍ଷ ବର୍ଷ ଧରି ରାଉରକେଲା ସ୍ବୟଂ ଶାସିତ କଲେଜ ପାର୍ଶ୍ବରେ ଥଇଥାନ ହୋଇଥିବା ଦୋକାନୀମାନେ ସେଠାରେ ଦୋକାନ ଗୃହ ପାଇବେ ବୋଲି ଆଶା ରଖିଥିଲେ। କିନ୍ତୁ ଆଜି ପର୍ଯ୍ୟନ୍ତ କାହାରିକୁ ଦୋକାନ ଗୃହ ଦିଆ ଯାଇନାହିଁ। ମାର୍କେଟ କମ୍ପ୍ଲେକ୍ସର ମୁଖ୍ୟ ଗେଟ୍ରେ ତାଲା ଝୁଲୁଛି। ଏହି ବହୁ ପ୍ରତୀକ୍ଷିତ ମାର୍କେଟ କମ୍ପ୍ଲେକ୍ସର ନିର୍ମାଣ କାର୍ଯ୍ୟ ୨୦୧୯ ଡିସେମ୍ବର ୧୦ରେ ଆରମ୍ଭ ହୋଇଥିଲା। ଗତ ୨୦୨୨ ଏପ୍ରିଲ ୨୩ ତାରିଖ ସୁଦ୍ଧା ସରିବାର ଥିଲା। ତେବେ ତା’ର ବର୍ଷକ ବିଳମ୍ବରେ ମଧ୍ୟ କାମ ନସାରି ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଏହାକୁ ତରବରିଆ ଭାବେ ଉଦ୍ଘାଟନ କରା ଯାଇଥିଲା।
ଏଠାରୁ ବିସ୍ଥାପିତ ଦୋକାନୀମାନେ ଏହି ୩ ବର୍ଷ ପାନପୋଷ ସରକାରୀ କଲେଜ ପାର୍ଶ୍ବ ଅସ୍ଥାୟୀ ଦୋକାନରେ ଖରାବର୍ଷାରେ ପଡିଛନ୍ତି। କେବେ ଦୋକାନୀମାନଙ୍କୁ ଏଠାରୁ ନୂଆ ମାର୍କେଟକୁ ସ୍ଥାନାନ୍ତର କରାଯିବ, ତା’ର ଉତ୍ତର ବିଭାଗୀୟ ଅଧିକାରୀଙ୍କ ପାଖରେ ନାହିଁ। ସେହିଭଳି ରାଉରକେଲାର ରଘୁନାଥପାଲୀ ଡାକଘର ପାର୍ଶ୍ବ ଓ ମ୍ୟୁଜିକ୍ ସର୍କଲ ନିକଟରେ ରାସ୍ତାପାର୍ଶ୍ବ ଉଠା ଦୋକାନୀଙ୍କୁ ଥଇଥାନ କରିବାକୁ ୩ କୋଟି ୫୩ ଲକ୍ଷ ଟଙ୍କାର ଭେଣ୍ଡିଂ ଜୋନ୍ ନିର୍ମାଣ ସରିଛି। ତିଆରି ସରିବା ପରେ ମଧ୍ୟ ରଘୁନାଥପାଲୀ ଡାକଘର ପାର୍ଶ୍ବ ଭେଣ୍ଡିଂ ଜୋନ୍ ପ୍ରାୟ ୮ ମାସରୁ ଅଧିକ ସମୟ ହେବ ସେମିତି ପଡ଼ିଛି। ଭେଣ୍ଡିଂ ଜୋନ୍ ମୁଖ୍ୟ ଗେଟ୍ରେ ତାଲା ଝୁଲୁଛି। କେବେ ଖୋଲିବ ବିଭାଗୀୟ ଅଧିକାରୀଙ୍କ ପାଖରେ ଉତ୍ତର ନାହିଁ। ଅନୁରୂପ ଭାବେ ମ୍ୟୁଜିକ୍ ସର୍କଲ ପାର୍ଶ୍ବ ଭେଣ୍ଡିଂ ଜୋନ୍ରେ ମଧ୍ୟ ସେହି ସମାନ ସ୍ଥିତି। ଦୋକାନଗୁଡ଼ିକ ଆବଣ୍ଟନ କରାଯାଇଛି। ହେଲେ ଭେଣ୍ଡିଂଜୋନ୍ ଖୋଲିବାକୁ ଆର୍ଏମ୍ସି ଆଦୌ ତତ୍ପରତା ଦେଖାଉ ନାହିଁ।