ଷାଠିଏ ଲକ୍ଷ ଖର୍ଚ୍ଚ ହୋଇଥିଲା; ମିନି ଷ୍ଟାଡିୟମ୍‌ ପାଲଟିଛି ଗୋଚର ଭୂମି

ମାହାଙ୍ଗା: ରାଜ୍ୟ ସରକାର ଗ୍ରାମାଞ୍ଚ‌ଳରେ କ୍ରୀଡ଼ାର ବିକାଶ ଓ କ୍ରୀଡ଼ାବିତ୍ ସୃଷ୍ଟି କରିବା ପାଇଁ ଭିତ୍ତିଭୂମି ବିକାଶ ନିମନ୍ତେ କ୍ରୀଡ଼ା ଉପକରଣ, କ୍ରୀଡ଼ା ପ୍ରଶିକ୍ଷଣ ଓ ଷ୍ଟାଡ଼ିୟମ ନିମନ୍ତେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ମାତ୍ର ଏହାର ସଠିକ୍ ଉପଯୋଗ ହୋଇ ନ ପାରିବାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ମାହାଙ୍ଗା ବ୍ଲକ ଅନ୍ତର୍ଗତ କୁହୁଣ୍ଡା ପଞ୍ଚାୟତ କୋଠପଦା ମିନି ଷ୍ଟାଡିୟମ୍‌ରେ। ଏହି ଷ୍ଟାଡିୟମ୍‌ଟି ତତ୍କାଳୀନ ବିଧାୟକ ଶରତ କରଙ୍କ ଦ୍ବାରା ଶୁଭ ଦିଆଯାଇଥିଲା। ସେହିଦିନଠାରୁ ଷ୍ଟାଡିୟମ୍‌ରେ ବିଭିନ୍ନ ଯୋଜନା ମାଧ୍ୟମରେ ୬୦ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ସରିଛି। ଏହି ଅର୍ଥ ବିନିଯୋଗ କରି ପଡ଼ିଆର ଉନ୍ନତିକରଣ ସହ ପାଚେରି ନିର୍ମାଣ, ଦର୍ଶକମାନଙ୍କ ପାଇଁ ଗ୍ୟାଲେରି ନିର୍ମାଣ, ଖେଳ ସାମଗ୍ରୀ ରଖିବା ନିମନ୍ତେ ଗୃହ ନିର୍ମାଣ, ଖେଳାଳିମାନଙ୍କ ପାଇଁ ବିଶ୍ରାମଗୃହ ନିର୍ମାଣ ହୋଇଛି। କିନ୍ତୁ ଏହାର ରକ୍ଷଣାବେକ୍ଷଣ ନିମନ୍ତେ ସୁରକ୍ଷା କର୍ମଚାରୀଙ୍କ ବ୍ୟବସ୍ଥା ନାହିଁ। ଏଣୁ ସନ୍ଧ୍ୟା ହେଲେ ଷ୍ଟାଡିୟମ୍‌ରେ ଅସାମାଜିକ ଯୁବକମାନଙ୍କ ଆଡ଼ା ଜମୁଛି।

ଚାରି ପାଖରେ ପାଚେରି ସହ ଗେଟ୍‌ରେ ତାଲା ପଡ଼ିଥିଲେ ବି ଅଞ୍ଚଳର କେତେକ ବ୍ୟକ୍ତି ଷ୍ଟାଡିୟମ୍‌ ଭିତରେ ଅବାଧରେ ପ୍ରବେଶ କରି ଛେଳି, ଗାଈଗୋରୁ ବାନ୍ଧି ପଡ଼ିଆଟିକୁ ଚରାଭୂମିରେ ପରିଣତ କରିଛନ୍ତି। ଏହାଦ୍ବାରା ଖେଳାଳିମାନେ ଗାଈ ଖୁରାରେ ସୃଷ୍ଟି ହୋଇଥିବା ଖାଲରେ ପଡ଼ି ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେହିପରି ମିନି ଷ୍ଟାଡିୟମ୍‌ ନିର୍ମାଣ ଦିନଠାରୁ ଏଠାରେ ରାଜ୍ୟସ୍ତରୀୟ ବଚନ ସ୍ମାରକୀ ଫୁଟବଲ, ରାଜ୍ୟସ୍ତରୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ୍‌, କବାଡ଼ି, ଖୋଖୋ, ବ୍ଲକ୍‌ସ୍ତରୀୟ ପାଇକା ପ୍ରୋଗ୍ରାମ୍‌ରେ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। କଟକ ଜିଲ୍ଲାରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଏହି ଷ୍ଟାଡ଼ିୟମ୍‌ ପ୍ରତି ଅଣଦେଖା କାରଣରୁ ବର୍ତ୍ତମାନ ତାହା ଗାଈଗୋରୁଙ୍କ ଚାରଣ ଭୂଇଁ ପାଲଟିଥିବା ଅଭି‌ଯ‌ୋଗ ହେଉଛି। ପ୍ରଶାସନ ଏଥିପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେଇ ଷ୍ଟାଡିୟମ୍‌ ଭିତରକୁ ଗୋରୁ, ଛେଳି, ଅସାମାଜିକ ଯୁବକଙ୍କ ପ୍ରବେଶ ବନ୍ଦ କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳର ବୁଦ୍ଧିଜୀବୀ ଓ କ୍ରୀଡ଼ା‌ପ୍ରେମୀମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର