ସୁନ୍ଦରଗଡ଼:ସୁନ୍ଦରଗଡ଼ ଜିଲ୍ଲାରେ ୬୧୨ଟି ବିଦ୍ୟାଳୟରେ ପ୍ରଧାନଶିକ୍ଷକ ନାହାନ୍ତି। ୧୨୯୫ଟି ମଞ୍ଜୁରିପ୍ରାପ୍ତ ପ୍ରଧାନଶିକ୍ଷକ ପଦ ମଧ୍ୟରୁ ୬୧୨ଟି ପଦ ଖାଲି ପଡ଼ିଛି। ସେହି ବିଦ୍ୟାଳୟଗୁଡ଼ିକରେ ଜଣେ ଲେଖାଏଁ ଶିକ୍ଷକ ପ୍ରଧାନଶିକ୍ଷକ ଦାୟିତ୍ବରେ ଅଛନ୍ତି। ପଦୋନ୍ନତି ମାଧ୍ୟମରେ ପ୍ରଧାନଶିକ୍ଷକ ପଦଗୁଡ଼ିକୁ ପୂରଣ କରିବାକୁ ସରକାର ଚାହୁଥିଲେ ମଧ୍ୟ ଶିକ୍ଷକମାନଙ୍କ ମଧ୍ୟରେ ଅନ୍ତଃକନ୍ଦଳ ଯୋଗୁଁ ବିଳମ୍ବ ଘଟୁଛି। କିଛି ଶିକ୍ଷକ ନିଜ ପାଳି ଆସିବା ପର୍ଯ୍ୟନ୍ତ ଅପେକ୍ଷା ନକରି ଶୀଘ୍ର ପଦୋନ୍ନତି ପାଇବା ଆଶାରେ ସର୍ବଦା ଅସଫଳ ପ୍ରୟାସ କରୁଥିବା ଏବଂ କିଛି ଶିକ୍ଷକ ନ୍ୟାୟାଳୟଙ୍କ ଆଶ୍ରୟ ନେଉଥିବା ଯୋଗୁଁ ପଦୋନ୍ନତି ଅଟକି ରହିଛି।
ପ୍ରାଥମିକ ଶିକ୍ଷକମାନଙ୍କ ପାଇଁ ସଂଶୋଧିତ କ୍ୟାଡର ନିୟମାନୁଯାୟୀ ଦୀର୍ଘ ୩ ବର୍ଷ ହେଲା ବିନା ବାଧାରେ ପଦୋନ୍ନତି କାର୍ଯ୍ୟ ଚାଲିଥିବା ବେଳେ ହଠାତ ଚଳିତ ବର୍ଷ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କ ଗୋଟିଏ ଆଦେଶକୁ ନେଇ ଦ୍ବନ୍ଦ୍ବ ସୃଷ୍ଟି ହେବା, ପୁଣି ଉଚ୍ଚନ୍ୟାୟାଳୟରେ ମାମଲା ଦାଏର ହୋଇ ରହିତାଦେଶ ଆଣିବା, ପରବର୍ତ୍ତୀ ସମୟରେ ନିର୍ଦ୍ଦେଶକ ପୂର୍ବ ଆଦେଶ ପ୍ରତ୍ୟାହାର କରିବା ଭଳି କାରଣ ଯୋଗୁଁ ସୁନ୍ଦରଗଡ଼ ଜିଲ୍ଲାରେ ପଦୋନ୍ନତି ହୋଇପାରି ନାହିଁ। ଗତ ୨୦୨୩ ମେ ୩୧ ସୁଦ୍ଧା ଯେଉଁ ପଦୋନ୍ନତି କାର୍ଯ୍ୟ ଶେଷ ହୋଇଯିବା କଥା, ତାହା ଏସବୁ କାରଣରୁ ଏବେ ଆରମ୍ଭ ହୋଇଛି। ଜିଲ୍ଲା ଶିକ୍ଷା ବିଭାଗ ଶୁକ୍ରବାର ପ୍ରୋଭିଜିନାଲ ଗ୍ରେଡେସନ ପ୍ରକାଶ କରି ୨୫.୭.୨୦୨୩ ସୁଦ୍ଧା ଆପତ୍ତି, ଅଭିଯୋଗ ଆହ୍ବାନ କରିଛନ୍ତି। ଯଦି କାର୍ଯ୍ୟ ତ୍ବରାନ୍ବିତ ହୁଏ ତେବେ ଚଳିତ ମାସ ଶେଷ କିମ୍ବା ଅଗଷ୍ଟ ପ୍ରଥମ ସପ୍ତାହ ସୁଦ୍ଧା ଜିଲ୍ଲାର ୪୭୧ଟି ଉଚ୍ଚପ୍ରାଥମିକ ଓ ୧୪୧ଟି ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ନିଯୁକ୍ତ ହୋଇଯିବେ। ଏହା ସମ୍ପୃକ୍ତ ବିଦ୍ୟାଳୟଗୁଡ଼ିକର ଶିକ୍ଷାଦାନ ଓ ବିକାଶ ଦିଗରେ ବେଶ ଉପାଦେୟ ହେବ ବୋଲି ସୁନ୍ଦରଗଡ଼ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ପୂର୍ବତନ ସାଧାରଣସମ୍ପାଦକ ଗୋବିନ୍ଦଚନ୍ଦ୍ର ସୁଆର ମତବ୍ୟକ୍ତ କରିଛନ୍ତି।