ସମାଜକୁ ସୁନ୍ଦର ଭାବରେ ଗଢି ତୋଳିବା ପ୍ରତି ସତସଙ୍ଗୀର ଲକ୍ଷ୍ୟ

ଭୁବନେଶ୍ବର : କଟକ ଜିଲ୍ଲା ବଡ଼ମ୍ବା ସତସଙ୍ଗ କେନ୍ଦ୍ର ପକ୍ଷରୁ ପ୍ରତ୍ୟହ ଅନୁଷ୍ଠିତ ହେଉଥିବା ଭର୍ଚ୍ଚୁଆଲ୍ ସତସଙ୍ଗ ଓ ନାମ ସଂକୀର୍ତ୍ତନର ୬୦୦ ଦିବସ ପୂର୍ତ୍ତି ଉତ୍ସବ ପାଳନ କରାଯାଇଛି। ଏହି  ଅବସରରେ ଏକ ବିଶେଷ ସତସଙ୍ଗ ସମାରୋହ ଭର୍ଚ୍ଚୁଆଲ୍ ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା। ସତସଙ୍ଗର ସ୍ଥାନୀୟ କର୍ମୀ ତଥା ସହ-ପ୍ରତି-ଋତ୍ବିକ୍ ପଦ୍ମନାଭ ମହାନ୍ତିଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ସତସଙ୍ଗର ସହ-ସଂପାଦକ ତଥା ପ୍ରତି-ଋତ୍ବିକ ଡା.ବିନାୟକ ମହାପାତ୍ର ଅଂଶଗ୍ରହଣ କରିଥିଲେ।

ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ରଙ୍କ ଭାବଧାରାର ପ୍ରଚାର ପ୍ରସାର ନିମନ୍ତେ ସ୍ଥାନୀୟ କର୍ମୀ ଓ ଗୁରୁଭ୍ରାତାମାନଙ୍କ ପ୍ରଚେଷ୍ଟାକୁ ପ୍ରଶଂସା କରିବା ସହ ଏହି ନୀରବ ଆନ୍ଦୋଳନରେ ସଂହତି ରଖି ନିଜ ନିଜର ସ୍ୱପ୍ନକୁ ସାକାର କରିବା ପାଇଁ ସମସ୍ତେ ଚେଷ୍ଟିତ ହେବା ଉଚିତ ବୋଲି ମୁଖ୍ୟଅତିଥି ଡା. ମହାପାତ୍ର ମତ ପ୍ରକାଶ କରିଥିଲେ। ଏଥିସହ ସେ କହିଥିଲେ-  ଅଭ୍ୟାସ ବଳରେ ସତଚରିତ୍ରର ଅଧିକାରୀ ହୋଇ ସଭିଏଁ ବ୍ୟକ୍ତି ଜୀବନ, ଦମ୍ପତ୍ୟ ଜୀବନ ଓ ପରିବାରିକ ଜୀବନକୁ ସରସସୁନ୍ଦର କରିବା ସହ ସମାଜକୁ ସୁନ୍ଦର ଭାବରେ ଗଢି ତୋଳିବା ପ୍ରତି ସତସଙ୍ଗୀର ଲକ୍ଷ୍ୟ ହେବା ଉଚିତ।  ଶ୍ରୀଶ୍ରୀଆଚାର୍ଯ୍ୟଦେବଙ୍କ ଇଚ୍ଛା ପୂରଣରେ ସଭିଏଁ ବ୍ରତୀ ହେବାକୁ ସେ ଆହ୍ବାନ ଦେଇଥିଲେ।  ସହ-ପ୍ରତି-ଋତ୍ବିକ କୃପାନିଧି ବିଶ୍ବାଳ ସତସଙ୍ଗରେ ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରିଥିଲେ।

ସଦାଲୋଚନା ପର୍ବ ପୂର୍ବରୁ ପ୍ରାର୍ଥନା, ସଦଗ୍ରନ୍ଥ ପାଠ, ଭଜନ ଓ କୀର୍ତ୍ତନ ପରିବେଷଣ ହୋଇଥିଲା। ସ୍ଥାନୀୟ ଅଞ୍ଚଳର ଗୁରୁଭ୍ରାତା ଓ ମାତୃମଣ୍ଡଳୀ ଏଥିରେ ଅଂଶଗ୍ରହଣ କରିଥିଲେ।

ଉଲ୍ଲେଖଯୋଗ୍ୟ, ୧୯୮୭ ମସିହାରେ ବଡ଼ମ୍ବାରେ ସତସଙ୍ଗ କେନ୍ଦ୍ର ପ୍ରତିଷ୍ଠା ହୋଇଥିଲା। ସେ ସମୟରୁ ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ରଙ୍କର ଆଦର୍ଶ ଓ ଭାବଧାରାର ପ୍ରଚାର ପ୍ରସାରରେ ଏହି କେନ୍ଦ୍ର ସକ୍ରିୟ ଭୂମିକା ଗ୍ରହଣ କରି ଆସିଛି ।ଏହି ୱେବ୍ ସତସଙ୍ଗରେ ବଡମ୍ବା ତଥା ରାଜ୍ୟର ବିଭିନ୍ନ ଅଞ୍ଚଳର  ଶତାଧିକ ପରିବାର ଅଂଶ ଗ୍ରହଣ କରିଥିଲେ ।

ସମ୍ବନ୍ଧିତ ଖବର