ଭଦ୍ରକରେ ଜିଲ୍ଲାର ୩୦୨ ହାଇସ୍କୁଲରେ ୬୦୯ ଶିକ୍ଷକ ପଦ ଖାଲି

ଭଦ୍ରକ : ଶିକ୍ଷକ ନଥିଲେ ଶିକ୍ଷାନୁଷ୍ଠାନର ମୂଲ୍ୟ କିଛି ନାହିଁ। ଛାତ୍ରଛାତ୍ରୀଙ୍କୁ ପାଠ ପଢାଇବା ପାଇଁ ଶିକ୍ଷକଙ୍କର ଆବଶ୍ୟକତା ଜରୁରୀ ଥିବା ବେଳେ ରାଜ୍ୟ ସରକାର ସରକାରୀ ଶିକ୍ଷାନୁଷ୍ଠାନ ଗୁଡିକରେ ଶିକ୍ଷକ ନିଯୁକ୍ତ ନଦେଇ ଏବେ ୫ ଟି ଯୋଜନାରେ ବିଦ୍ୟାଳୟ ରୂପାନ୍ତିକରଣ ଆଳରେ କୋଟି କୋଟି ଟଙ୍କା କେବଳ ରଙ୍ଗ ବୋଳାରେ ଖର୍ଚ୍ଚ କରୁଛନ୍ତି। ସ୍ମାର୍ଟ କ୍ଲାସ୍ ରୁମ୍, ସ୍ମର୍ଟ ଲାଇବ୍ରେରୀ ଓ ସ୍ମାର୍ଟ ଖେଳ ପଡିଆ କରାଯାଉଛି। ଏଥିପାଇଁ ସରକାର ଟଙ୍କା ଖର୍ଚ୍ଚ କରୁଛନ୍ତି। ଭଦ୍ରକ ଜିଲ୍ଲାରେ ପ୍ରଥମ ପର୍ୟ୍ୟାୟରେ ରାଜ୍ୟ ସରକାରଙ୍କର ୫- ଟି ଯୋଜନାରେ ୧୭ ଟି ହାଇସ୍କୁଲକୁ ରୂପାନ୍ତିକରଣ କରାଯାଇଛି। ଏଥିପାଇଁ ସ୍କୁଲର ରୂପରେଖ ବଦଳିଛି। ସ୍କୁଲର ପରିବେଶରେ କିଛିଟା ପରିବର୍ତ୍ତନ ହୋଇଛି। ସ୍କୁଲ ଘର ଦେଖିବାକୁ ଚକ ଚକ ହୋଇଥିବା ବେଳେ ଏଇ ସବୁ ସ୍କୁଲରେ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ ଦେବା ଲାଗି ଆବଶ୍ୟକ ସଂଖ୍ୟକ ଶିକ୍ଷକଙ୍କର ଅଭାଇବ ରହିଛି। ଶିକ୍ଷକ ପଦବୀ ପୂରଣ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକ ମହଲରେ ବାରଂବାର ଦାବି ହୋଇ ଆସୁଥିଲେ ମଧ୍ୟ ଏଥି ପ୍ରତି ଶିକ୍ଷା ବିଭାଗର ଉଚ୍ଚ କତ୍ତୃର୍ପକ୍ଷ ଦୃଷ୍ଟି ନଦେବା ପରିତାପର ବିଷୟ ହୋଇଛି। ମିଳିଥିବା ସୂଚନାରୁ ପ୍ରକାଶ ଯେ, ଭଦ୍ରକ ଜିଲ୍ଲାରେ ମୋଟ ୩୦୨ ହାଇସ୍କୁଲରେ ଏବେ ୬୦୯ ଜଣ ଶିକ୍ଷକ ପଦବୀ ଆବଶ୍ୟକ ରହିଥିବା ବେଳେ ଏଇ ସବୁ ସ୍କୁଲରେ ଶିକ୍ଷକ ନିଯୁକ୍ତି କରାଯାଉ ନାହିଁ। ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ରାଜ୍ୟ ସରକାର ପଛଘୁଞ୍ଚା ଦେଉଥିବା ବେଳେ ଏହା ବାସ୍ତବରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପ୍ରତି ଖେଳଖେଳା ଯାଉଛି। ସରକାରୀ ସ୍କୁଲର ଛାତ୍ର ଛାତ୍ରୀଙ୍କ ଅନୁପାତରେ ଶିକ୍ଷକ ନିଯୁକ୍ତ ଓ ବିର୍ଷ ଭିତ୍ତିକ ଶିକ୍ଷକ ନିଯୁକ୍ତି ପାଇଁ ନିୟମ ରହିଥିବା ବେଳେ ଏଇ ନିୟମକୁ ସରକାର ଖୋଲା ଖୋଲି ଭାବେ ଉଲ୍ଲଂଘନ କରୁଛନ୍ତି। ଭଦ୍ରକ ଜିଲ୍ଲାରେ ୧୭୬ ଟି ସରକାରୀ ହାଇସ୍କୁଲ, ୯୨ ଟି ବ୍ଲକ ଗ୍ରାଣ୍ଟ ହାଇସ୍କୁଲ ଓ ୭୪ ଟି ଅନୁଦାନ ପ୍ରାପ୍ତ ହାଇସ୍କୁଲ ରହିଛି। ଏଇ ସବୁ ସ୍କୁଲକୁ ମିଶାଇ ଜିଲ୍ଲାରେ ମୋଟ ୩୦୨ ଟି ହାଇସସ୍କୁଲ ୭ ଟି ବ୍ଲକ ଓ ୪ ଟି ପୌରାଞ୍ଚଳରେ ରହିଛି। ଏଇ ସବୁ ସ୍କୁଲରେ ବିଭିନ୍ନ ବର୍ଗର ମୋଟ ୧୫୬୭ ଜଣ ଶିକ୍ଷକ ରହିବା ପାଇଁ ସରକାରୀ ମଂଜୁରୀ ରହିଛି। ଜିଲ୍ଲାରେ ଏଇ ସବୁ ହାଇସ୍କୁଲରେ ଏବେ ମାତ୍ର ୯୫୮ ଜଣ ଶିକ୍ଷକ ରହିଥିବା ବେଳେ ୬୦୯ ଟି ବିଭିନ୍ନ ବର୍ଗର ଶିକ୍ଷକ ପଦବୀ ଖାଲି ପଡିଛି। ଜିଲ୍ଲାରେ ୪୦ ପ୍ରତିଶତ ଶିକ୍ଷକ ପଦବୀ ଖାଲି ରହିଥିବା ବେଳେ ହାଇସ୍କୁଲରେ କିଭଳି ଭାବେ ଶିକ୍ଷାଦାନ ପ୍ରକ୍ରିୟା ଚାଲୁଛି ତାହା ଏଥିରୁ ସ୍ପଷ୍ଟ ବାରି ହେଉଛି। ଜିଲ୍ଲାଖରେ ଥିବା ଏଇସବୁ ହାଇସ୍କୁଲରେ ୭୪ ଟି ପ୍ରଧାନ ଶିକ୍ଷକ ପଦବୀ ଖାଲି ରହିଥିବା ବେଳେ ୭୫ ଟି ହାଇସ୍କୁଲରେ ପିସିଏମ, ୬୭ ଟି ସ୍କୁଲରେ ସିବିଜେଡ୍ ଶିକ୍ଷକ ପଦବୀ ଖାଲି ପଡିଛି। ବିଜ୍ଞାନ ଓ ଗଣିତ ବିଭାଗରେ ଏତେ ସଂଖ୍ୟକ ଶିକ୍ଷକ ପଦବୀ ଖାଲି ପଡିଥିବା ବେଳେ ହିନ୍ଦୀ ଓ ସଂସ୍କୃତ ଶିକ୍ଷକ ପଦବୀ ମଧ୍ୟ ବହୁ ସ୍କୁଲରେ ଖାଲି ରହିଛି। ହିନ୍ଦୀ ଓ ସଂସ୍କୃତ ଶିକ୍ଷକ ପଦବୀ ପୂରଣ ଲାଗି ରାଜ୍ୟ ସରକାରଙ୍କର ଶିକ୍ଷା ବିଭାଗ ଏହା ଭିତରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବାକୁ ଥିବା ବେଳେ ଏଥିରେ ବହୁ ବିଳମ୍ବ ଘଟିଛି। କେବଳ ଶିକ୍ଷକ ପଦବୀ ପୂରଣ କଥା ନୁହେଁ, ମଂଜୁରୀ ପଦବୀର ୩୫ ପ୍ରତିଶତ ଅଣଶିକ୍ଷକ ପଦବୀ ଖାଲି ରହିଛି। ୭୧୬ ଗୋଟି ମଂଜୁରୀ ପ୍ରାପ୍ତ ଅଣଶିକ୍ଷକ ପଦବୀରୁ ୪୭୭ ଜଣ ରହିଥିବା ବେଳେ ୨୩୯ ଟି ପଦବୀ ଖାଲି ରହିଛି। ସ୍କୁଲରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଓ କିରାଣୀଙ୍କର ଅଭାବ ରହିଥିବା ବେଳେ ସ୍କୁଲ ଗୁଡିକ ଚଳାଇବା ପାଇଁ ଶିକ୍ଷକମାନଙ୍କ ଉପରେ ଏହା ବୋଝ ହୋଇଛି। ସରକାରୀ ସ୍କୁଲରେ କେବଳ ଏପରି ଅଚଳାବସ୍ଥା ହୋଇଛି ତାହା ନୁହେଁ, ସରକାରଙ୍କର ଅଭିନବ ଶିକ୍ଷା ବ୍ୟବସ୍ଥା ( ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ) ରେ ମଧ୍ୟ ସମାନ ଅବସ୍ଥା ରହିଛି। ଅନେକ ଆଦର୍ଶ ବିଦ୍ୟାଳୟରେ ମଧ୍ୟ ଆବଶ୍ୟକ ଶିକ୍ଷକ ପଦବୀ ଖାଲି ପଡିଛି। ଭଦ୍ରକ ଜିଲ୍ଲାରେ ଆଦର୍ଶ ବିଦ୍ୟାଳୟ କାର୍ୟ୍ୟକାରୀ ହେବାକୁ ଏହା ଭିତରେ ୫ ବର୍ଷ ଅତିବାହିତ ହେବାକୁ ଯାଉଥିବା ବେଳେ ଜିଲ୍ଲାର ୭ ଟି ବ୍ଲକରେ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ସଂପୂର୍ଣ୍ଣ ହୋଇପାରିନାହିଁ। ଭଦ୍ରକ, ବନ୍ତ, ଧାମନଗର ଓ ବାସୁଦେବପୁର ବ୍ଲକରେ ସରକାରଙ୍କର ଆଦର୍ଶ ବିଦ୍ୟାଳୟ କାର୍ୟ୍ୟକାରୀ ହୋଇଥିବା ବେ ଳେ ଜିଲ୍ଲାର ତିହିଡି, ଚାନ୍ଦବାଲି ଓ ଭଣ୍ଡାରିପୋଖରୀ ବ୍ଲକରେ ଏହାର କାର୍ୟ୍ୟକାରୀ ହୋଇପାରି ନାହିଁ। ସରକାରଙ୍କର ସାଧାରଣ ସ୍କୁଲ ପରି ଆଦର୍ଶ ବିଦ୍ୟାଳୟରେ ମଧ୍ୟ ଶିକ୍ଷକ ଅଭାବକୁ ନେଇ ପାଠ ପଠାରେ ଅନ୍ତରାୟ ସୃଷ୍ଟି ହୋଇଛି। ଜିଲ୍ଲାରେ କାର୍ୟ୍ୟକାରୀ ହୋଇଥିବା ୪ ଟି ଆଦର୍ଶ ବିଦ୍ୟାଳୟରେ ଅଧ୍ୟକ୍ଷ ପଦବୀ ଖାଲି ରହିବା ପରିତାପର ବିଷୟ ହୋଇଛି। ଜିଲ୍ଲାରେ ଆଦର୍ଶ ବିଦ୍ୟାଳୟ ଶିକ୍ଷାଦାନ ପ୍ରକ୍ରିୟା ଏବେ ପ୍ରହସନରେ ପରିଣତ ହୋଇଥିବା ବେଳେ ଏବେ ପୁଣି ୫ ଟି ଯୋଜନାରେ ୧୭ ଟି ରୂପାନ୍ତିକରଣ ବିଦ୍ୟାଳୟରେ ମଧ୍ୟ ସେଇ ସମାନସ୍ଥିତି ରହିଛି। ଦ୍ବିତୀୟ ଦଫାରେ ପୁଣି ଜିଲ୍ଲାରେ ୧୦୯ ଟି ସ୍କୁଲକୁ ରୂପାନ୍ତିକରଣ କରାଯିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ଭଦ୍ରକ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରକାଶ କରିଛନ୍ତି। ଯେଉଁସବୁ ସ୍କୁଲ ଗୁଡିକ ଆଗାମୀ ଦିନରେ ରୂପାନ୍ତିକରଣ ଯୋଜନାରେ ସାମିଲ ହେବ ବୋଲି ଯୋଜନା ପ୍ରସ୍ତୁତ ହୋଇଛି। ସେହିସବୁ ବିଦ୍ୟାଳୟ ଗୁଡିକରେ ମଧ୍ୟ ଶିକ୍ଷକ ଅଭାବ ଲାଗି ରହିଛି। ରାଜ୍ୟ ସରକାର ସ୍କୁଲର ଉନ୍ନତୀକରଣ କରିବା ପ୍ରକ୍ରିୟାକୁ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀ ସ୍ବାଗତ କରିଥିବା ବେଳେ ଶିକ୍ଷକ ପଦବୀ ପୂରଣ ନକରିବା ଘଟଣାକୁ ନେଇ ଜିଲ୍ଲାର ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ରୂପାନ୍ତିକରଣ ବିଦ୍ୟାଳୟରେ କିଭଳି ଶିକ୍ଷକ ପଦବୀ ପୂରଣ କରାଯିବ। ସେ ନେଇ ରାଜ୍ୟ ସରକାରଙ୍କର ଶିକ୍ଷାବିଭାଗ ଦୃଷ୍ଟି ଦେବାକୁ ଅଭିଭାବ ମହଲରୁ ଦାବି କରାଯାଇଛି।

 

ସମ୍ବନ୍ଧିତ ଖବର