ମୟୂରଭଞ୍ଜ ଜିଲ୍ଲାର ୬୧୦ ମାଧ୍ୟମିକ ବିଦ୍ୟାଳୟ ଖୋଲିଲା 

ଜିଲ୍ଲାର ୪୨,୧୧୩ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଅଫ୍‌ଲାଇନ୍ ୮,୩୬୮ ଓ ଅନ୍‌ଲାଇନରେ  ୧୦,୨୯୦ ଛାତ୍ରଛାତ୍ରୀ କ୍ଲାସରେ ଯୋଗ ଦେଲେ

ବାରିପଦା :ଦୀର୍ଘ ଦିନର ବ୍ୟବଧାନ ପରେ ମୟୂରଭଞ୍ଜ ଜିଲ୍ଲାରେ ଥିବା ୬୧୦ ସରକାରୀ ଓ ବେସରକାରୀ ବିଦ୍ୟାଳୟ ଖୋଲିଥିବା ବେଳେ  ପ୍ରଥମ ଦଫାରେ ଦଶମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ନେଇ ବିଦ୍ୟାଳୟରେ ପାଠପଢ଼ା ଆରମ୍ଭ ହୋଇଛି । ଜୁଲାଇ ୨୬ ସୋମବାରଠାରୁ ଜିଲ୍ଲାରେ ୬୧୦ଟି ସରକାରୀ ଓ ବେସରକାରୀ ମାଧ୍ୟମିକ ବିଦ୍ୟାଳୟରେ ଦଶମ ଶ୍ରେଣୀରେ ନାମ ଲେଖାଇଥିବା ୪୨,୧୧୩  ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ  ଅଫ୍ ଲାଇନରେ ୮,୩୬୮ ଓ ଅନ୍ ଲାଇନରେ ୧୦,୨୯୦ ଛାତ୍ରୀଛାତ୍ରୀ କ୍ଲାସରେ ଯୋଗ ଦେଇଥିବାର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି । ଏହା ମଧ୍ୟରେ ସରକାରୀ ସରକାରୀ ବିଦ୍ୟାଳୟଗୁଡ଼ିକରେ ଥିବା ୨୦,୮୫୧ ଜଣ ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ୪,୬୨୯ ଜଣ ଅଫ୍ ଲାଇନରେ ଏବଂ ୪,୭୨୨ ଜଣ ଛାତ୍ରଛାତ୍ରୀ ଅନ୍ ଲାଇନରେ କ୍ଲାସ କରିଛନ୍ତି । ସେହିପରି ସରକାରୀ ଅନୁଦାନ ପ୍ରାପ୍ତ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରୁ ୧୮,୫୪୯ ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ଅଫ୍ ଲାଇନରେ ୩,୨୨୧ ଜଣ ଅଫ୍ ଲାଇନରେ ଓ ୪୨୬୮ ଜଣ ଛାତ୍ରଛାତ୍ରୀ ଅନ୍ ଲାଇନରେ , ଘରୋଇ ଓଡ଼ିଆ ମିଡ଼ିୟମ ସ୍କୁଲଗୁଡ଼ିକରେ ଦଶମ ଶ୍ରେୀରେ ନାମ ଲେଖାଇଥିବା ୧୯୦୦ ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ୪୫୨ ଜଣ ଅଫ୍ ଲାଇନରେ ଓ ୮୫୫ ଜଣ ଅନ୍ ଲାଇନରେ, ଘରୋଇ ଇଂରାଜୀ ମିଡ଼ିୟମ ବିଦ୍ୟାଳୟଗୁଡ଼ିକରେ ଦଶମ ଶ୍ରେଣୀରେ ନାମ ଲେଖାଇଥିବା ୮୧୩ ଜଣ ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ୬୬ ଜଣ ଅଫ୍ ଲାଇନରେ ଓ ୪୪୫ ଜଣ ଅନ୍ ଲାଇନରେ କ୍ଲାସ କରିଥିବା ସମୟରେ ୨୩,୪୫୫ ଜଣ କ୍ଲାସରୁ ଦୂରରେ ରହିଥିଲେ ।
ଅଫ୍ ଲାଇନରେ କ୍ଲାସ ସକାଳ  ୧୦ରୁ ମଧ୍ୟାହ୍ନ ୧.୩୦ମି  ପର୍ଯ୍ୟନ୍ତ ଏବଂ ଅନ ଲାଇନରେ ସକାଳ ୧୦.୪୫ରୁ ମଧ୍ୟାହ୍ନ ଦେଢ଼ଟା ପର୍ଯ୍ୟନ୍ତ ଜାରି ରହିଥିଲା । ପ୍ରଥମ ଓ ଦ୍ୱିତୀୟ ଡ଼ୋଜ ଟୀକା ନେଇଥିବା ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ବିଦ୍ୟାଳୟକୁ ଆସି କ୍ଲାସ ନେଇଥିବାର ଜଣାପଡ଼ିଛି । ଆଜି ବିଦ୍ୟାଳୟଗୁଡ଼ିକ ଖୋଲିବା ପୂର୍ବରୁ ବିଦ୍ୟାଳୟର ଶ୍ରେଣୀ ଗୃହଠାରୁ ଆରମ୍ଭ କରି ଶୌଚାଳୟ ପର୍ଯ୍ୟନ୍ତ ସମସ୍ତ ସ୍ଥାନକୁ ସାନିଟାଇଜ କରାଯାଇଥିଲା । ପ୍ରତ୍ୟେକ କୋଠରୀରେ ୨୦ରୁ ୨୫ ଜଣ ଛାତ୍ରଛାତ୍ରୀମାନଙ୍କୁ ପରସ୍ପରଠାରୁ ସର୍ବନିମ୍ନ ସାମାଜିକ ଦୂରତା ରକ୍ଷା କରାଯାଇ ବସାଯାଇଥିଲା । କ୍ଲାସ ରୋମ ସମ୍ମୁଖରେ ପାଣି ବାଲଟି ସହ ହ୍ୟାଣ୍ଡ ୱାସ ଓ ସାନିଟାଇଜର ରଖାଯାଇଥିଲା । ପ୍ରତ୍ୟେକ କ୍ଲାସ ଶେଷ ହେବା ପରେ ଛାତ୍ରଛାତ୍ରୀମାନେ ହ୍ୟାଣ୍ଡ ୱାସରେ ହାତ ଧୁଇବା ସହ ହାତକୁ ସାନିଟାଇଜ କରାଇଥିଲେ । ପିଲାମାନେ ବିଦ୍ୟାଳୟକୁ ପ୍ରବେଶ କରିବା ସମୟରେ ଫାଟକ ସମ୍ମୁଖରେ ସେମାନଙ୍କ ଶରୀରର ତାପମାତ୍ରାକୁ ମପା ଯିବା ପରେ ହାତକୁ ହ୍ୟାଣ୍ଡ ୱାସରେ ଧୁଇବା ସହ ସାନାଟାଇଜ କରାଇଥିଲେ ।
         ଅଫ୍ ଲାଇନରେ କ୍ଲାସକୁ ନେଇ ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି କରାଯାଇଥିବା ଷ୍ଟାଣ୍ଡାର୍ଡ଼ ଅପରେଟିଂ ପ୍ରୋସିଜିଓରକୁ ତଦାରଖ କରିବା ନିମନ୍ତେ ଗଠିତ ହୋଇଥିବା କମିଟି ବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀ ଓ ଶିକ୍ଷକ, ଶ୍ୟିତ୍ରୀମାନଙ୍କ ଉପରେ ସତର୍କ ନଜର ରଖିଥିଲେ । ସେହିପରି ବିଦ୍ୟାଳୟରେ କ୍ଲାସ ନନ୍ ଷ୍ଟପ ଭାବେ ଦେଢ଼ଟା ପର୍ଯ୍ୟନ୍ତ ଚାଲୁ ରହିଥିବା ବେଳେ ଶିକ୍ଷକମାନେ ୬ ଫୁଟ ସାମାଜିକ ଦୂରତା ରକ୍ଷା କରିବା, ବହି  ହେଉ ଅଥବା ଖାତା ବା ପାଣି ବୋତଲ ଆଦି ଅନ୍ୟାନ୍ୟ ସାମଗ୍ରୀ ଅଦଳବଦଳକୁ ରୋକିବା ଉପରେ ଗୁରୁତ୍ୱ ଦେଇ କାର୍ଯ୍ୟ କରିଥିଲେ ।
ସମ୍ବନ୍ଧିତ ଖବର