ଖୋର୍ଦ୍ଧା ଜିଲ୍ଲାରେ ୬୨ ପ୍ରତିଶତ ଭୋଟରଙ୍କ ପରିଚୟପତ୍ର ସହ ଆଧାରର ସ୍ୱେଚ୍ଛାକୃତ ସଂଯୋଗ

ଭୋଟରତାଲିକା ସଂଶୋଧନ ପ୍ରକ୍ରିୟା ଆରମ୍ଭ

ଖୋର୍ଦ୍ଧା: ନିର୍ବାଚନ ଆୟୋଗଙ୍କ ନିଦେ୍ର୍ଦଶକ୍ରମେ ୨୦୨୩ ବର୍ଷ ପାଇଁ ନୂତନ ଓ ତ୍ରୁଟିଶୂନ୍ୟ ଭୋଟରତାଲିକା ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଛି । ଏହି କାର୍ଯ୍ୟ ଆଜି ଠାରୁ ଡିସେମ୍ବର ୮ତାରିଖ ଯାଏଁ ଚାଲିବ । ଏହି କ୍ରମରେ ଆଜି କାର୍ଯ୍ୟକ୍ରମର ଶୁଭାରମ୍ଭ କରି ନୂତନ ଭୋଟରଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇଛି ।
ଜିଲ୍ଲାପାଳ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରୁ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତୀ ଅଧ୍ୟକ୍ଷତା କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢ଼ୀ, ଉପଜିଲ୍ଲାପାଳ ଦେବବ୍ରତ ସାହୁ ଉପସ୍ଥିତ ଥିଲେ । ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ଭୋଟର ସଚେତନତା ଶୋଭାଯାତ୍ରା ସହର ପରିକ୍ରମା କରିଥିଲା ।

ନୂତନ ଭୋଟର ତାଲିକା ନିମନ୍ତେ ସୂଚନା ଦେଇ ଦେବବ୍ରତ ସାହୁ କହିଛନ୍ତି ଯେ ଭୋଟର ତାଲିକାରେ ପଂଜୀକରଣ ପାଇଁ ଆଗ୍ରହୀ ଭୋଟରମାନେ ନିର୍ବାଚନ ଆୟୋଗକଙ୍କ ୱେବ୍ସାଇଟ୍ କିମ୍ବା ଗୁଗୁଲ ପ୍ଲେଷ୍ଟୋରରୁ ଭୋଟର ହେଲ୍ପ ଲାଇନ୍ ଡାଉନ୍ଲୋଡ୍ କରି ଅନଲାଇନ୍ ଆବେଦନ କରିପାରିବେ ନଚେତ୍ ବୁଥସ୍ତରୀୟ ଅଧିକାରୀଙ୍କ ସହଯୋଗରେ ଗରୁଡ଼ ଆପ୍ ମାଧ୍ୟମରେ ମଧ୍ୟ ପଂଜୀକରଣ କରିପାରିବେ । ଚଳିତ ମାସ ୧୨,୧୩, ୨୬ ଓ ୨୭ ତାରିଖ ସ୍ୱତନ୍ତ୍ର ଅଭିଯାନ ଦିବସ ଭାବେ ଧାର୍ଯ୍ୟ କରାଯାଇଛି । ଏହି ଦିନ ସମସ୍ତ ବୁଥରେ ବୁଥସ୍ତରୀୟ ଅଧିକାରୀମାନେମାନେ ଉପସ୍ଥିତ ରହି ଭୋଟରମାନଙ୍କୁ ଭୋଟରତାଲିକା ସଂଶୋଧନ କାର୍ଯ୍ୟରେ ସହଯୋଗ କରିବେ ।

ଜିଲ୍ଲାର, ଭୁବନେଶ୍ୱର ଓ ଖୋର୍ଦ୍ଧା ଉପଖଣ୍ଡରେ ୧୮୯୩ଟି ମତଦାନ କେନ୍ଦ୍ର ମଧ୍ୟରୁ ୪୮ଟି ବୁଥର ସ୍ଥାନ ପରିବର୍ତନ ହୋଇଛି ଓ ୧୧୭୨ଟି ବୁଥର ନାମ ପରିବର୍ତନ ହୋଇଛି । ୬୭୩ଟି ବୁଥର ସ୍ଥାନ ଓ ନାମ ଅପରିବର୍ତିତ ରହିଛି । ଜିଲ୍ଲାରେ ମୋଟ ୧୭ଲକ୍ଷ ୮୮ହଜାର ୩୫୦ଜଣ ପଂଜୀକୃତ ମତଦାତା ଥିବା ବେଳେ ଭୁବନେଶ୍ୱର ଉପଖଣ୍ଡର ୫ଟି ବିଧାନସଭା ଆସନରେ ୧୧ଲକ୍ଷ ୧୬ହଜାର ୬୯୪ଜଣ ଭୋଟର ଥିବା ବେଳେ ଖୋର୍ଦ୍ଧା ଉପଖଣ୍ଡରେ ୬ଲକ୍ଷ ୭୧ହଜାର ୬୫୬ଜଣ ଭୋଟର ଅଛନ୍ତି । ସେମାନଙ୍କ ମଧ୍ୟରୁ ୬୨ ପ୍ରତିଶତ ଭୋଟରଙ୍କ ପରିଚୟପତ୍ର ସହ ଆଧାରର ସ୍ୱେଚ୍ଛାକୃତ ସଂଯୋଗ ପ୍ରକ୍ରିୟା ଶେଷ ହୋଇଛି ।
ଆଜିର ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଖୋର୍ଦ୍ଧା ଉପଖଣ୍ଡ ନିର୍ବାଚନ ସହକାରୀ ଜିଲ୍ଲାପାଳ ବିଶ୍ୱଜିତ ସାହୁ, ଭୁବନେଶ୍ୱର ଉପଖଣ୍ଡ ସହକାରୀ ଜିଲ୍ଲାପାଳ ସମୀର ଦାଶ, ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟର ସାଗରିକା ମହାପାତ୍ର, ବ୍ଲକ ଶିକ୍ଷାଧିକାରୀ ସଂଧ୍ୟାରାଣୀ ରାଉତଙ୍କ ସମେତ ଅନ୍ୟ ବୁଥସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର