ରାଉରକେଲା: ଜିଲ୍ଲାରେ ଆଜିଠାରୁ ୧୫ରୁ ୧୭ ବର୍ଷ ବୟସ୍କଙ୍କୁ ଟିକାକରଣ ଆରମ୍ଭ ହୋଇଯାଇଛି। ପ୍ରଥମ ଦିନରେ ମୋଟ୍‌ ୬ ହଜାର ୩୦୯ ଜଣଙ୍କୁ ଟିକା ଦିଆଯାଇଛି। ରାଉରକେଲା ମହାନଗର ନିଗମ ଅଞ୍ଚଳ ସମେତ ସମଗ୍ର ଜିଲ୍ଲାରେ ମୋଟ୍‌ ୪୪ଟି କେନ୍ଦ୍ରରେ ଟିକାଦାନ କରାଯାଇଥିଲା। ଜିଲ୍ଲାରେ ୧୫-୧୭ ବର୍ଷ ବୟସ୍କ ବର୍ଗର ପ୍ରାୟ ୧ ଲକ୍ଷ ୨୧ ହଜାରରୁ ଅଧିକ ହିତାଧିକାରୀ ଅଛନ୍ତି। ପର୍ଯ୍ୟାୟକ୍ରମେ ଓ ବ୍ୟାପକମାତ୍ରାରେ ସମସ୍ତଙ୍କୁ ଟିକାଦାନ କରାଯିବାକୁ ଜିଲ୍ଲା ପ୍ରଶାସନ ଲକ୍ଷ୍ୟ ଧାର୍ଯ୍ୟ କରିଛି। ଏ ବର୍ଗର ହିତାଧିକାରୀଙ୍କୁ ଟିକାଦାନର ଆଜି ପ୍ରଥମ ଦିନରେ ସମସ୍ତ ପ୍ରକ୍ରିୟା ସୁରୁଖୁରୁରେ ପରିଚାଳିତ ହୋଇଥିଲା।

Advertisment

ଆଜି ନିର୍ଦ୍ଧାରିତ ସମୟରେ କୋଭିଡ୍ ସତର୍କତା ଭିତରେ ହିତାଧିକାରୀମାନେ ବିଭିନ୍ନ କେନ୍ଦ୍ରରେ ପହଞ୍ଚିଥିଲେ। ପରେ ନିୟମାବଳୀର କଡ଼ା ପାଳନ ପୂର୍ବକୁ ସମସ୍ତେ ଟିକା ନେଇଥିଲେ। ଜିଲ୍ଲାର ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ର ସହିତ ଶିକ୍ଷାନୁଷ୍ଠାନଗୁଡ଼ିକରେ ଅସ୍ଥାୟୀ ଟିକାକରଣ କେନ୍ଦ୍ର ସ୍ଥାପନ କରାଯାଇଛି। ବିଭିନ୍ନ ସ୍କୁଲ, କଲେଜର ୧୫ରୁ ୧୭ ବର୍ଷ ବର୍ଗର କିଶୋରମାନେ ଯେଭଳି ଟିକା ନେବେ, ପ୍ରିନ୍ସିପାଲମାନେ ସେଥିପ୍ରତି ଧ୍ୟାନ ଦେବାକୁ ପୂର୍ବରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହାସହ ହଷ୍ଟେଲରେ ରହୁଥିବା ପିଲାମାନେ ଯେପରି ଟିକା ନେଇପାରିବେ, ଟିକାକରଣର ଗୋଟିଏ କିମ୍ବା ଦୁଇ ଦିନ ପୂର୍ବରୁ ସେମାନଙ୍କର ଅଭିଭାବକଙ୍କୁ ଜଣାଇ ଦେବାକୁ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଜାନୁଆରି ୧ ତାରିଖରୁ ଏହି ବର୍ଗଙ୍କ ପାଇଁ କୋୱିନ୍ ପୋର୍ଟାଲରେ ସ୍ଲଟ୍ ଓପନ୍‌ କରାଯାଇଛି। ହିତାଧିକାରୀମାନେ କୋୱିନ୍ ପୋର୍ଟାଲକୁ ଯାଇ ଅନ୍‌ଲାଇନ୍ ସ୍ଲଟ୍ ବୁକିଂ କରି ଟିକା ନେଉଛନ୍ତି। ଏତଦ୍‌ବ୍ୟତୀତ ଅନ୍‌ଲାଇନ୍ ବୁକିଂ କରିନଥିବା ହିତାଧିକାରୀ ସିଧାସଳଖ କେନ୍ଦ୍ରରେ ଟିକା ଦେବାର ବ୍ୟବସ୍ଥା କରାଯାଇଛି। ଟିକାକରଣ ସମୟରେ ପାର୍ଶ୍ୱ ପ୍ରତିକ୍ରିୟାକୁ ଏଡ଼ାଇବା ପାଇଁ ସମସ୍ତ କେନ୍ଦ୍ରରେ ଆଡଭର୍ସ୍‌ ଇଭେଣ୍ଟସ୍ ଫଲୋଇଙ୍ଗ୍ ଇମ୍ୟୁନାଇଜେସନ(ଏଇଏଫଆଇ) କିଟ୍‌, ଅକ୍ସିଜେନ କନସେଣ୍ଟ୍ରେଟର ଉପଲବ୍ଧ। ପ୍ରଥମ ଡୋଜ୍‌ର ୨୮ରୁ ୪୨ ଦିନ ମଧ୍ୟରେ ଦ୍ୱିତୀୟ ଡୋଜ୍ ଟିକା ନେବେ।