ବେଆଇନ ବିକ୍ରୟ କେନ୍ଦ୍ରରେ ଚଢ଼ଉ: ୬୬ କ୍ୱିଣ୍ଟାଲ ବିହନ, ୧୯ କ୍ୱିଣ୍ଟାଲ ସାର  ଜବତ

ନୂଆପଡ଼ା/ସିନାପାଲି: ନୂଆପଡ଼ା ଜିଲ୍ଲା କୃଷି ବିଭାଗ ସିନାପାଲି ବ୍ଲକ ବରଗାଁଠାରେ ଥିବା ମହିମା ବିହନ ଓ ସାର ବିକ୍ରୟ କେନ୍ଦ୍ରରେ ଚଢ଼ଉ କରି ୬୬.୬ କ୍ୱିଣ୍ଟାଲ ବିହନ ଓ ୧୯ କ୍ୱିଣ୍ଟାଲ ସାର ଜବତ କରିଛି। ପ୍ରକାଶ ଯେ, ମହିମା ବିହନ ଓ ସାର ବିକ୍ରୟ କେନ୍ଦ୍ରର ପରିଚାଳକ ରାଜେନ୍ଦ୍ର ସାଙ୍କ ନାମରେ ଅଗ୍ରଜା ନାମକ କେବଳ ଗୋଟିଏ ପ୍ରକାର ବିହନ ବିକ୍ରୟ କରିବାର ଲାଇସେନ୍ସ ରହିଛି। କିନ୍ତୁ ସେ ବେଆଇନ ଭାବେ ଅନ୍ୟ ୩୨ ପ୍ରକାରର ବିହନ ବିକ୍ରି କରୁଥିଲେ। ସେହିଭଳି ତାଙ୍କ ନାମରେ ସାର ବିକ୍ରୟ ପାଇଁ କୌଣସି ଲାଇସେନ୍ସ ନଥିବା ବେଳେ ସାର ଗଚ୍ଛିତ କରି ବିକ୍ରି କରୁଥିଲେ।

ଏନେଇ କୌଣସି ସୂତ୍ରରୁ ବିଭାଗୀୟ ଅଧିକାରୀ ଜାଣି ଚଢ଼ଉ କରିଥିଲେ। ପରିଚାଳକ ରାଜେନ୍ଦ୍ର ସାଙ୍କ ଅନୁପସ୍ଥିତ ଥିବା ବେଳେ ସ୍ତ୍ରୀ ଚେତାମଣି ସାଙ୍କ ଉପସ୍ଥିତିରେ ବେଆଇନ ବିକ୍ରି ହେଉଥିବା ୬୬.୬୬ କ୍ୱିଣ୍ଟାଲ ବିଭିନ୍ନ ପ୍ରକାରର ବିହନ ଓ ୧୯ କ୍ୱିଣ୍ଟାଲ ସାର ଜବତ କରାଯାଇଛି। ମାଜିଷ୍ଟ୍ରେଟ ତଥା ସିନାପାଲି ଅତିରିକ୍ତ ତହସିଲଦାର ରାମ ନାରାୟଣ ମିଶ୍ରଙ୍କ ଉପସ୍ଥିତିରେ ଜବତ ବିହନ ଓ ସାରକୁ ସିନାପାଲି ପ୍ୟାକ୍ସକୁ ହସ୍ତାନ୍ତର କରାଯାଇଛି। ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ହିମାଂଶୁ ମହାପାତ୍ରଙ୍କ ନେତୃତ୍ୱରେ ହୋଇଥିବା ଚଢ଼ଉରେ ଜିଲ୍ଲା ଯୋଜନା ଅଧିକାରୀ ସତ୍ୟଭୂଷଣ ନାୟକ, ସିନାପାଲି ସହକାରୀ କୃଷି ଅଧିକାରୀ ସୁଧାଂଶୁ ମେହେର, କୃଷି ପରିଦର୍ଶକ ବ୍ରଜରାଜ ସାହୁ , ବୋଡେ଼ନ ଥାନା ଏସ୍‌ଆଇ କୁଳମଣି ବୁରୁଦା ତଥା ବିଭାଗୀୟ ଅନ୍ୟାନ୍ୟ ଅଧିକାରୀ ସାମିଲ ଥିଲେ।

ସମ୍ବନ୍ଧିତ ଖବର