ମୟୂରଭଞ୍ଜ ଜିଲ୍ଲାରେ ରେକର୍ଡ ଭାଙ୍ଗୁଛି କରୋନା: ୩ହଜାର ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା, ୭ ଓ ୮ମାସର ଶିଶୁଙ୍କୁ କରୋନା

ନୂଆ ୨୭୨ ସଂକ୍ରମିତ, ୧୦୭ ସୁସ୍ଥ, ଶିଶୁ ଓ ବୟସ୍କଙ୍କ ପାଇଁ ବଢ଼ୁଛି ବିପଦ

ବାରିପଦା: ମୟୂରଭଞ୍ଜରେ କାୟା ବିସ୍ତାର କରିଚାଲୁଥିବା କରୋନା ଏବେ ଶିଶୁ ଓ ବୟସ୍କଙ୍କ ପାଇଁ ଅତ୍ୟଧିକ ଚିନ୍ତାର କାରଣ ସାଜିଛି। ଜିଲ୍ଲାରେ ରେକର୍ଡ ପରେ ରେକର୍ଡ ଭାଙ୍ଗୁଥିବା କରୋନାରେ ଆଜି ୨୭୨ ଜଣ ନୂତନ ସଂକ୍ରମିତ ସ୍ଥାନ ପାଇଛନ୍ତି। ତେବେ ଏମାନଙ୍କ ମଧ୍ୟରୁ  ଜିଲ୍ଲାର ସରକାରୀ ସଙ୍ଗରୋଧ କେନ୍ଦ୍ରରୁ ମାତ୍ର ୩ ଏବଂ ଗୃହ ସଙ୍ଗରୋଧରୁ ୧୦ଜଣ ରହିଛନ୍ତି। ସ୍ଥାନୀୟ ସଂସ୍ପର୍ଶରୁ ୨୫୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୯୫୫ରେ ପହଞ୍ଚିଛି। ଆଜି କରୋନା ସଂକ୍ରମିତମାନଙ୍କ ମଧ୍ୟରେ ୧ରୁ-୧୦ ବର୍ଷ ବୟସ ମଧ୍ୟରେ ୫ ବାଳିକା ଓ ୧୪ ବାଳକ ରହିଛନ୍ତି । ଏମାନଙ୍କ ମଧ୍ୟରେ ଜଣେ ୭ ମାସ, ୨ ଜଣ ୮ ମାସ ଓ ଜଣେ ଏକ ବର୍ଷର ବାଳକ ରହିଥିବା ବେଳେ ଜଣେ ୨ ବର୍ଷ ଓ ୨ ଜଣ ୩ ବର୍ଷର ବାଳିକା ରହିଛନ୍ତି । ସେହିପରି ୧୧ରୁ ୨୦ ବର୍ଷ ବୟସ ମଧ୍ୟରେ ୧୬ ମହିଳା ଓ ୨୪ ପୁରୁଷ, ୨୧ରୁ

୩୦ ବର୍ଷ ବୟସ ମଧ୍ୟରେ ୨୪ ମହିଳା ଓ ୫୪ ପୁରୁଷ, ୩୧ରୁ ୪୦ ବର୍ଷ ବୟସ ମଧ୍ୟରେ ୨୧ ମହିଳା ଓ ୩୨ ପୁରୁଷ, ୪୧ରୁ ୫୦ ବର୍ଷ ବୟସ ମଧ୍ୟରେ ୧୧ ମହିଳା ଓ ୨୮ ପୁରୁଷ, ୫୧ରୁ ୬୦ ବର୍ଷ ବୟସ ମଧ୍ୟରେ ୮ ମହିଳା ଓ ୧୨ ପୁରୁଷ, ୬୧ରୁ ୭୦ ବୟସ ମଧ୍ୟରେ ୯ ଜଣ ମହିଳା ଓ ୯ ଜଣ ପୁରୁଷ , ୭୧ରୁ ୭୫ ମଧ୍ୟରେ ଜଣେ ବୁଦ୍ଧା ଓ ୨ ବୃଦ୍ଧ ରହିଥିବାର ଜଣାପଡ଼ିଛି । ସେହିପରି ଜିଲ୍ଲାରୁ ଆଜି ୧୦୭ଜଣ ସୁସ୍ଥ ହୋଇଛନ୍ତି। ବାରିପଦା ପୌରପାଳିକାକୁ ଛାଡ଼ିଦେଲେ ଗ୍ରାମାଞ୍ଚଳରେ ଅଧିକ ସଂକ୍ରମଣ ଦେଖିବାକୁ ମିଳୁଥିବା ଜଣାପଡ଼ିଛି। ଏଥି ସହିତ ଆଜି ସୁଦ୍ଧା ଜିଲ୍ଲାରେ ସୁସ୍ଥ ସଂଖ୍ୟା ୧୬୪୫ରେ ପହଞ୍ଚିଛି। ସେହିପରି ସକ୍ରିୟଙ୍କ ସଂଖ୍ୟା ୧୩୦୪କୁ ଖସିଛି। ସ୍ୱାସ୍ଥ୍ୟ ବିଭାଗ ସୂଚନା ଅନୁସାରେ ଜିଲ୍ଲାରେ ୬ ଜଣଙ୍କର କରୋନାଜନିତ ମୃତ୍ୟୁ ହୋଇଛି।

ବାରିପଦା ପୌରାଞ୍ଚଳରେ ବ୍ୟାପୁଛି କରୋନା: ଗୋଟିଏ ଦିନରେ ୨୩ ସଂକ୍ରମିତ

ବାରିପଦା ପୌରାଞ୍ଚଳରେ କରୋନା କ୍ରମଶଃ କାୟା ମେଲାଉଛି। ଆଜି ଏଠାରେ ସର୍ବାଧିକ ୨୯ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ୱାର୍ଡ ନଂ-୬ ଅନ୍ତର୍ଗତ ପୁରୁଣା ହାଟସାହି, ୱାର୍ଡ ନଂ-୯ ଅନ୍ତର୍ଗତ କେସି ସର୍କଲ, ୱାର୍ଡ ନଂ-୨୫ ଅନ୍ତର୍ଗତ ପାଲବଣୀ, ମଧୁବନ, ୱାର୍ଡ ନଂ-୧ ଅନ୍ତର୍ଗତ ବେଲଗଡ଼ିଆ, ୱାର୍ଡ ନଂ-୧୩, ପ୍ରଫୁଲ ନଗର, ଭଞ୍ଜପୁର, ଲାଲବଜାର, ୱାର୍ଡ ନଂ-୨୧ ଅନ୍ତର୍ଗତ ମୁର୍ଗାବାଡ଼ି, ତୁଳସୀଚଉରା, ଦେବେନ୍ଦ୍ରପୁର, ଡିଆରଡିଏ କାର୍ଯ୍ୟାଳୟ ନିକଟବର୍ତ୍ତୀ ଅଞ୍ଚଳରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଂକ୍ରମିତଙ୍କ ମଧ୍ୟରେ ବିଭିନ୍ନ ବୟସ ବର୍ଗର ପୁରୁଷ ଓ ମହିଳା ରହିଛନ୍ତି। ଏମାନଙ୍କ ମଧ୍ୟରେ କିଛି ଶିଶୁ ମଧ୍ୟ ରହିଥିବା ଜଣାପଡ଼ିଛି। ଜିଲ୍ଲା ସଦରମହକୁମାରେ ବାରମ୍ବାର କହିବା ସତ୍ତ୍ବେ ଲୋକମାନେ ବଜାରରେ ଅଯଥା ଭିଡ଼ ଜମଉଥିବା ଦେଖିବାକୁ ମିଳୁଛି। ଯାହାଫଳରେ ଏପରି ଭାବେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସମସ୍ତେ ସତର୍କତା ଅବଲମ୍ବନ କରିବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି।

 

ସମ୍ବନ୍ଧିତ ଖବର