ବାଦାମବାଡ଼ି ବସଷ୍ଟାଣ୍ଡରେ ବେଆଇନ ଦାଦାବଟି ଆଦାୟ ଅଭିଯୋଗରେ ୭ ଗିରଫ

କଟକ: ବାଦାମବାଡ଼ି ବସଷ୍ଟାଣ୍ଡ ଅଂଚଳରେ ବେଆଇନ ଦାଦାବଟି ଆଦାୟ ଅଭିଯୋଗରେ ପୁଲିସ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅଭିଯୁକ୍ତମାନେ ହେଲେ ବାଦାମବାଡ଼ି ଥାନା ଅନ୍ତର୍ଗତ ଶଙ୍କରପୁର ଡିହ ସାହିର ଅନିଲ ନାୟକ (୨୫), ଶଙ୍କରପୁର ଉପରସାହିର ଦେବରାଜ ସେଠୀ (୪୧), ସଂଜୟ ନାୟକ (୪୪), ପାନିଆପଣ୍ଡାର ଜିତେନ୍ଦ୍ର ରାଉତ (୩୮), ବାରିକ ସାହିର ଅନୁପ କୁମାର ବାରିକ (୩୧), ଡିହସାହିର ସଚ୍ଚିଦାନନ୍ଦ ରାଉତ (୩୮) ଓ ଉପରସାହିର କଳାନିଧି ଖୁଣ୍ଟିଆ (୪୨) ।

ସୂଚନା ଅନୁସାରେ ଗତକାଲି ସନ୍ଧ୍ୟା ପ୍ରାୟ ସାଢ଼େ ୭ଟାରେ ଉପରୋକ୍ତ ଅଭିଯୁକ୍ତମାନେ ବାଦାମବାଡ଼ି ମୁଖ୍ୟ ବସଷ୍ଟାଣ୍ଡରେ ବେଆଇନ ଦାଦାବଟି ସଂଗ୍ରହ କରୁଥିଲେ । ସେମାନେ ସ୍ଥାନୀୟ ଅଂଚଳର କିଛି ପ୍ରଭାବଶାଳୀ ବ୍ୟକ୍ତିଙ୍କ ଇଙ୍ଗିତରେ ବସ ମାଲିକ, କଣ୍ଡକ୍ଟର, ଡ୍ରାଇଭର, ହେଲପରଙ୍କୁ ଭୟଭୀତ କରାଇ ଏହି ବେଆଇନ ଦାଦାବଟି ଅସୁଲି କରୁଥିଲେ । ଜଣଙ୍କ ଠାରୁ ୨୦୦ ରୁ ୪୦୦ ଟଙ୍କା ଅସୁଲି କରୁଥିବା ନେଇ ବାଦାମବାଡ଼ି ପୁଲିସ ଥାନାକୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା । ଏହା ପରେ ପୁଲିସ ଅତର୍କିତ ଭାବେ ଚଢ଼ାଉ କରି ଅଭିଯୁକ୍ତମାନଙ୍କୁ ଗିରଫ କରିବା ସହିତ ସେମାନଙ୍କର ଠାରୁ ୯ ହଜାର ୮୪୦ ଟଙ୍କା ଜବତ କରିଥିଲା ।

ତେବେ ଗିରଫ ହୋଇଥିବା ଅଭିଯୁକ୍ତମାନଙ୍କ ମଧ୍ୟରୁ ୪ ଜଣଙ୍କ ନାଁରେ ପୂର୍ବରୁ ଏକାଧିକ ଅପରାଧିକ ମାମଲା ରହିଛି । ପୁଲିସ କହିଛି, ସଂଜୟ ନାୟକ ନାଁରେ ବାଦାମବାଡ଼ି ଥାନାରେ ୨ଟି ମାମଲା ରହିଥିବା ବେଳେ ଜିତେନ୍ଦ୍ର ରାଉତ ନାଁରେ ବାଦାମବାଡ଼ି ଥାନାରେ ୪ଟି ମାମଲା ରୁଜୁ ହୋଇଛି । ସେହିପରି ବାଦାମବାଡ଼ି ଥାନାରେ କଳାନିଧି ଖୁଣ୍ଟିଆ ନାଁରେ ସର୍ବାଧିକ ୯ଟି ମାମଲା ଥିବା ବେଳେ ସଚ୍ଚିଦାନନ୍ଦ ରାଉତ ନାଁରେ ଏହି ଥାନାରେ ୨ଟି ମାମଲା ରହିଛି ।

ସମ୍ବନ୍ଧିତ ଖବର