ଜାଲ ପଟ୍ଟା ଓ ଆଧାର କାର୍ଡ ରାକେଟ୍‌ ଠାବ, ୭ ଗିରଫ

ଦେବଗଡ଼: ଦେବଗଡ଼ରେ ଚାଲିଥିବା ଏକ ଜାଲ ଜମି ପଟ୍ଟା, ଆଧାର କାର୍ଡ ଓ ନକଲି ଷ୍ଟାମ୍ପ୍‌ ପେପର୍‌ ରାକେଟକୁ ଦେବଗଡ଼ ଥାନା ପୁଲିସ୍ ଠାବ କରିବା ସହ ଘଟଣାର ଫର୍ଦ୍ଦାଫାସ କରିଛି। ଏଥିରେ ସଂପୃକ୍ତ ୭ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ଦେବଗଡ଼ ଜିଲ୍ଲା ବାରକୋଟ ଗ୍ରାମର ମୋହନ ନାୟକ (୪୩), ଦେବଗଡ଼ ଥାନା କୌଳାସ ଗ୍ରାମର ତପନ ନାୟକ (୩୬), କପାସିରା ଗ୍ରାମର ଉମାକାନ୍ତ ଗଡ଼ନାୟକ (୨୬), କାଳକାଠ ଗ୍ରାମର ଉମାକାନ୍ତ ପ୍ରଧାନ (୫୮), ଦେବଗଡ଼ ପୌରାଞ୍ଚଳ ବଣିଆସାହିର ରାଜେନ୍ଦ୍ର ଡଗରା (୪୮), ବାରକୋଟ ଥାନା ବାହାଡ଼ାପୋଶି ଗ୍ରାମର ଅଜୟ ବାଘ (୩୫) ଓ ସମ୍ବଲପୁର ଜିଲ୍ଲା ଜମନକିରା ଥାନାଞ୍ଚଳର ଅଖିଳ ଚନ୍ଦ୍ର ଜାମୁଡାଲିଆ (୫୫)। ଅଭିଯୁକ୍ତମାନଙ୍କଠାରୁ ଜାଲ ଜମି ପଟ୍ଟା, ନକଲି ଷ୍ଟାମ୍ପ ପେପର, ନକଲି ଆଧାର କାର୍ଡ, ନକଲି ଭୋଟର କାର୍ଡ, ବ୍ୟାଙ୍କ ପାସ୍‌ବୁକ, କମ୍ପ୍ୟୁଟର, ନକଲି ଜମି ପଟ୍ଟା ପ୍ରସ୍ତୁତରେ ବ୍ୟବହୃତ କାଗଜ ଓ ଚା’ ପତି ଆଦି ଜବତ କରାଯାଇଥିବା ମଙ୍ଗଳବାର ଦେବଗଡ଼ ଆଦର୍ଶ ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସ୍‌ପି ରାଜକିଶୋର ପାଇକରାୟ ସୂଚନା ଦେଇଛନ୍ତି।

ପ୍ରାପ୍ତ ସୂଚନାନୁସାରେ ଦେବଗଡ଼ ପୌରାଞ୍ଚଳ ରଜାମୁଣ୍ଡାରେ ରହୁଥିବା ଅବସରପ୍ରାପ୍ତ ପୋଷ୍ଟ ମାଷ୍ଟର ଭିକାରୀ ଚରଣ ପ୍ରଧାନ ହୃଦୟନାଥ ପ୍ରଧାନଙ୍କ ନାମରେ ଥିବା ଏକ ଜମି କିଣିଥିଲେ। ଜମନକିରା ଥାନାଞ୍ଚଳର ଅଖିଳ ଚନ୍ଦ୍ର ଜାମୁଡାଲିଆ ନକଲି ଆଧାର କାର୍ଡ ପ୍ରସ୍ତୁତ କରି ନିଜକୁ ହୃଦୟନାଥ ପ୍ରଧାନ ବୋଲି ପରିଚୟ ଦେଇ ଜମି ରେଜିଷ୍ଟ୍ରି କରିଥିଲା। କିଛିଦିନ ପରେ ଶ୍ରୀ ପ୍ରଧାନ ୧୦ ବର୍ଷ ତଳେ ହୃଦୟନାଥଙ୍କ ମୃତ୍ୟୁ ହୋଇ ସାରିଥିବା ଜାଣିବାକୁ ପାଇବା ପରେ ସେ ଠକେଇର ଶିକାର ହୋଇଥିବା ସ୍ପଷ୍ଟ ହୋଇଥିଲେ। ଫଳରେ ଗତ ଅକ୍ଟୋବର ୨୯ ତାରିଖରେ ଶ୍ରୀ ପ୍ରଧାନ ଦେବଗଡ଼ ଥାନାରେ ଲିଖିତ ଏତଲା ଦେଇଥିଲେ। ଏ ନେଇ ପୁଲିସ ବିଭିନ୍ନ ଦଫାରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ବେଳେ ଦେବଗଡ଼ ଥାନା ଅନ୍ତର୍ଗତ କୈଳାସ ଗ୍ରାମର ତପନ ନାୟକ ଏହାର ମାଷ୍ଟର ମାଇଣ୍ଡ ଓ ସେ ନକଲି ଆଧାର କାର୍ଡ ବଳରେ ପୂର୍ବରୁ ମଧ୍ୟ ବହୁ ଡକ୍ୟୁମେଣ୍ଟ ପ୍ରସ୍ତୁତ କରିଥିବା ପୁଲିସ୍‌ ଜାଣିବାକୁ ପାଇଥିଲା। ପରେ ଏଥିରେ ସଂପୃକ୍ତ ଉପରୋକ୍ତ ୭ ଜଣଙ୍କୁ ଗିରଫ କରାଯାଇଥିଲା।

ସମ୍ବନ୍ଧିତ ଖବର