ରାଉରକେଲା: ପଡ଼ୋଶୀଙ୍କୁ ପ୍ରାଣାନ୍ତକ ଆକ୍ରମଣ ଘଟଣାର ରାୟ ପ୍ରକାଶ ପାଇଛି। ରାଉରକେଲା ସହକାରୀ ଦୌରାଜଜ୍ ବିଷ୍ଣୁଦେବ ଜେନା ୭ ଅଭିଯୁକ୍ତକୁ ତିନି ବର୍ଷ ଜେଲ ଦଣ୍ଡ ସହ ୧୦୦୦ ଟଙ୍କା ଲେଖାଏଁ ଜରିମାନାର ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଅଧିକ ଦୁଇମାସ ଜେଲ ତଣ୍ଡ ନିର୍ଦ୍ଦେଶ ଦେଇଛନ୍ତି। ୧୪ ଜଣ ସାକ୍ଷୀଙ୍କ ସାକ୍ଷ୍ୟ ପ୍ରମାଣ,୧୫ଟି ଦସ୍ତାବିଜ୍ ଓ ପାରିପାର୍ଶ୍ବିକ ସ୍ଥିତିକୁ ବିଚାର କରି ବିଚାରପତି ଶ୍ରୀ ଜେନା ଏହି ରାୟ ଶୁଣାଇଛନ୍ତି। ଅଭିଯୁକ୍ତମାନେ ହେଲେ ବୀରମିତ୍ରପୁରର ମୁକେଶ କୁଜୁର, ସନିକା କୁଜୁର, ସାହେବ କୁଜୁର, ସୁଶାନ୍ତ କୁଜୁର, ସଞ୍ଜୟ କୁଜୁର, ରଣଜିତ କୁଜୁର, ରଶ୍ମୀ କୁଜୁର। ବୀରମିତ୍ରପୁର ରାଇଛପଲ ଗ୍ରାମରେ ଜୟରାମ କିଣ୍ଡୋ ପରିବାର ସହ ରହନ୍ତି। ତାଙ୍କ ଘର ପଛପାର୍ଶ୍ବରେ ଆମ୍ବଗଚ୍ଛ ଓ ପାଚେରୀ ରହିଥିଲା।
କୌଣସି କଥାକୁ ନେଇ ୭ ଅଭିଯୁକ୍ତ ହଠାତ୍ ପହଞ୍ଚି ଆମ୍ବଗଚ୍ଛଗୁଡ଼ିକୁ କାଟି ଦେବା ସହ ପାଚେରୀକୁ ମଧ୍ୟ ଭାଙ୍ଗି ଦେଇଥିଲେ। ଜୟରାମ ଓ ତାଙ୍କ ଝିଅ ପ୍ରତିବାଦ କରିବାରୁ ସେମାନେ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ସନିକା ଟାଙ୍ଗିଆରେ ଜୟରାମଙ୍କୁ ଆକ୍ରମଣ କରିଥିଲେ। ଅନ୍ୟମାନେ ଇଟା ଓ ପଥରରେ ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ଜୟରାମ ଚେତାଶୂନ୍ୟ ଅବସ୍ଥାରେ ତଳେ ପଡ଼ିଯିବା ପରେ ସେମାନେ ସେଠାରୁ ଚମ୍ପଟ ମାରିଥିଲେ। ପରିବାର ଲୋକ ଜୟରାମଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ତାଙ୍କ ଝିଅଙ୍କ ଲିଖିତ ଅଭିଯୋଗ ଆଧାରରେ ବୀରମିତ୍ରପୁର ପୁଲିସ ୭ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସହକାରୀ ପିପି ସନ୍ତୋଷ କୁମାର ନାୟକ ମାମଲା ପରିଚାଳନା କରୁଥିଲେ।