୭କୋଟି ୯୦ ଲକ୍ଷ ଜାଲି ନୋଟ ଘଟଣାକୁ ୬ ମାସ ବିତିଲା

ମୁଖ୍ୟ ଅଭିଯୁକ୍ତର ‌ଟେର୍‌ ପାଉନି ପଟାଙ୍ଗୀ ପୁଲିସ 

କୋରାପୁଟ: ଶୁଙ୍କି ଗେଟରେ ସାତ କୋଟି ନବେ ଲକ୍ଷ ଟଙ୍କାର ଜାଲି ନୋଟ ଧରା ପଡିବା ଘଟଣାକୁ ୬ ମାସ ବିତିଛି। ହେଲେ କୋରାପୁଟ ଜିଲ୍ଲା ପଟାଙ୍ଗୀ ପୁଲିସ ଏବେ ଯାଏ ମୁଖ୍ୟ ଅଭିଯୁକ୍ତକୁ ଧରିବାକୁ ସକ୍ଷମ ହୋଇପାରିନି। ମୁଖ୍ୟ କାର୍ପଟଦାର କୁହାଯାଉଥିବା ବିଜୟ କୁମାର ବର୍ମନଙ୍କୁ ଏବେ ଯାଏ ଖୋଜି ପାଇନି କୋରାପୁଟ ପୁଲିସ। ଅନ୍ୟପକ୍ଷରେ ସମ୍ବଲପୁରରେ ଜାଲିନୋଟ ଧରା ପଡିବା ପରେ ପୁଣି ଚେଇଁ ଉଠିଛି କୋରାପୁଟ ପୁଲିସ।

ସମ୍ବଲପୁର ପୁଲିସ ସହ ଜାଲି ନୋଟ ନେଇ ଆଲୋଚନା କରିଥିବା ଜଣାପଡିଛି। ତେବେ କାହିଁକି ବିଜୟଙ୍କୁ ପୁଲିସ ଖୋଜି ପାଉନି ତାହା ଜଣାପଡୁନାହିଁ। ଗତ ମାର୍ଚ୍ଚ ମାସରେ ୩ ଅଭିୟୁକ୍ତଙ୍କୁ ଗିରଫ କରିବା ପରେ ରାକେଟର ଚେର ଯାଏଁ ପହିଁଚିବାକୁ ଦିନିରାତି ଏକାଠି କରିଥିଲା କୋରାପୁଟ ପୁଲିସ। ଅନ୍ୟତମ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ରବୀନ୍ଦ୍ର କୁମାର ମନୋହରକୁ ୫ ଦିନ ରିମାଣ୍ଡରେ ନେଇ ତଥ୍ୟ ହାସଲ କରିଥିଲା ପୁଲିସ। ଏହାସହ ଅନ୍ୟ ଦୁଇଜଣ ଅଭିଯୁକ୍ତଙ୍କ ସିଡିଆର ମଗାଯାଇଥିଲା। ଏହି କଲ ଡିଟେଲ୍ସ ରିପୋର୍ଟରୁ ବହୁ ସୂଚନା ମିଳିଥିବାବେଳେ ଏହାକୁ ନେଇ ପୁଲିସ ବର୍ମନଙ୍କୁ ଧରିବାରେ ସକ୍ଷମ ହୋଇଥାନ୍ତା। ହେଲେ ଏବେ ଯାଏ ପୁଲିସ ଧରିବାରେ ସଫଳ ହୋଇପାରିନି। ଅନ୍ୟପଟେ ଛତିଶଗଡର ରାୟପୁର ପୁଲିସ ଓ ଜାନଜ୍‌ଗିର୍ ପୁଲିସ କ୍ରୀୟାଶିଳ ହୋଇଥିବା ବେଳେ ମାମଲା ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ କେନ୍ଦ୍ରୀୟ ତଦନ୍ତ କାରୀ ସଂସ୍ଥାର ସହାୟତା ଲୋଡିବାକୁ ମତ ଦେଇଛନ୍ତି ଆଇନଜୀବୀ । ଏଥିରେ ସମ୍ପୃକ୍ତ ରହିଥିବା ସମସ୍ତ ଅଭିଯୁକ୍ତ ଜାମିନ୍‌ରେ ଯାଇଥିବାବେଳେ ପୁଲିସର ତଦନ୍ତ କାହିଁକି ଶିଥିଳ ପଡିଛି ତାହା ଜଣାପଡୁନି।

କୋରାପୁଟ ପୁଲିସ ଟିମ ରାୟପୁର ଗସ୍ତ କରି ନକଲି ନୋଟ ପ୍ରିଣ୍ଟ ହେଉଥିବା ମେସିନ ଓ ସ୍ଥାନ ସମର୍କିତ ତଥ୍ୟ ହାସଲ କରିବା ସହିତ ଗାଡି ମାଲିକ ବିଜୟ କୁମାର ବର୍ମନକୁ ଖୋଜିଥିଲେ ମଧ୍ୟ ପୁଲିସକୁ ସେପରି କିଛି ମିଳିନାହିଁ। ଅନ୍ୟପଟେ ଜାନଜ୍‌ଗିର ପୁଲିସ ଜିଲ୍ଲାରେ ଥିବା ଅଭିଯୁକ୍ତଙ୍କ ବିଭିନ୍ନ ବ୍ୟାଙ୍କ ଏକାଉଣ୍ଟକୁ ଯାଂଚ ଆରମ୍ଭ କରିଥିବା ବେଳେ ରବୀନ୍ଦ୍ର ସହିତ ନିରନ୍ତର ଯୋଗାଯୋଗରେ ଥିବା ୬ ଜଣରୁ ଅଧିକ ବ୍ୟକ୍ତିବିଶେଷଙ୍କୁ ରାୟପୁର ପୁଲିସ ତଦନ୍ତ ପରିସର ଭୁକ୍ତ କରିଥିବାବେଳେ ସେମାନଙ୍କୁ ଧରିବାକୁ ଏବେ ଯାଏ  ସକ୍ଷମ ହୋଇପାରିନି।

ଏଥି ସହିତ ପୁର୍ବରୁ ବିଭିନ୍ନ ନକଲି ନୋଟ କାରବାରରେ ସଂପୃକ୍ତ ଥିବା ୧୦ରୁ ଅଧିକା ବ୍ୟକ୍ତିଙ୍କ ତାଲିକା ପ୍ରସ୍ତୁତ କରିଛି ରାୟପୁର ପୁଲିସ । ରାକେଟର ଉତ୍ପତି ସ୍ଥଳ ଛତିଶଗଡ ହୋଇଥିବା ବେଳେ ଏହି କାରବାରରେ ନୂଆ ରାୟପୁରର ସ୍ଥାନୀୟ ୨ ଜଣ ଜନ ପ୍ରତିନଧି, ରାଜନେତା ଓ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସଂପୃକ୍ତି ଥିବା ଚର୍ଚା ଆରମ୍ଭ ହୋଇଥିଲା। ସେମାନଙ୍କୁ ତଦନ୍ତ ପରିସର କରିବାକୁ ଯୋଜନା ରହିଥିବାବେଳେ ଏବେ ଯାଏ ତାହା ସମ୍ଭବ ହୋଇପାରିନି। ଅନ୍ୟପକ୍ଷରେ ଦରଭା ସ୍ଥିତ ଆର୍ କେଏମ୍ ପାଓ୍ବାର ପ୍ଲାଣ୍ଟରେରେ ଇଂଜିନିୟର ଥିବା ରବୀନ୍ଦ୍ରର ଘର ଅମରତାଲାରେ । କିନ୍ତୁ ସେ ରାୟଗଡରେ ଅଧିକ ସମୟ ରହୁଥିଲା ଏବଂ ୭ ମାସ ପୂର୍ବରୁ ନୂଆ ରାୟପୁରର ମିଗ୍-୨ କଂପ୍ଲେକ୍ସର ଏକ ଫ୍ଲାଟରେ ରହି ଆସୁଥିଲା ।

ଅନ୍ୟପଟେ ଅନ୍ୟତମ ଅଭିଯୁକ୍ତ ଡ୍ରାଇଭର ହର କୁମାର ସାହୁର ଘର ହସୌଦ ଅଂଳରେ ଥିବା ବେଳେ ସେ ଲକ୍ ଡାଉନ୍ ପୂର୍ବରୁ ରାୟଗଡ ଯାଇଥିଲା । ଏଣୁ ରାୟଗଡରେ ଏହାର କିଛି ତଥ୍ୟ ମିଳିବା ନେଇ ମଧ୍ୟ ସ୍ଥାନୀୟ ପୁଲିସ ତଦନ୍ତ ଚଳାଇଛି । ତେବେ କୋରାପୁଟ ପୁଲିସ ହାତରେ ଲାଗିଥିବା ଏହି ରାକେଟରେ ଲୁଚିଥିବା କିଙ୍ଗପିଂନମାନଙ୍କୁ ଧରିବାକୁ ଓଡିଶା ପୁଲିସ କେନ୍ଦ୍ରୀୟ ତଦନ୍ତ କାରୀ ସଂସ୍ଥାର ସହାୟତା ଲୋଡିବାକୁ ମତ ଦେଇଛନ୍ତି ଆଇନଜୀବୀ । ଗତ ୨୦୧୮ ଡିସେମ୍ବରରେ ୫ କୋଟି ନକଲି ନୋଟ ସହିତ ରାୟପୁର ପୁଲିସ ୨ ଜଣଙ୍କୁ ଗିରଫ କରିଥିଲା ଏବଂ ବିଭିନ୍ନ କମ୍ପାନି ସିଏସ୍ଆର ଫଣ୍ଡ ହାତେଇବା ନେଇ ଲାଂଚ ଦେବା ପାଇଁ ନକଲି ନୋଟ ଛାପିଥିବା ପୁଲିସ ଜାଣିବାକୁ ପାଇଥିଲା ।

ଏନେଇ ପଟ୍ଟାଙ୍ଗୀ ଆଇଆ‌ଇସି କୈବଲ୍ୟ ସେଠ କହିଛନ୍ତି ଯେ ସମ୍ବଲପୁରରେ ଧରା ପଡିଥିବା ଜାଲି ନୋଟ ସହ ଶୁଙ୍କି ଗେଟରେ ଧରା ପଡିଥିବା ଅଭିଯୁକ୍ତଙ୍କର କିଛି ଲିଙ୍କ ଅଛି ନାହିଁ ତାହାର ଯାଞ୍ଚ ଚାଲିଛି। ଏନେଇ ସ୍ଥାନୀୟ ପୁଲିସର ସହଯୋଗ ଲୋଡାଯାଇଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର