ଜୟପୁର/ବୋରିଗୁମ୍ମା: ଗତ ୧୨ଦିନ ହେବ ଜିଲ୍ଲାର ୯୯ଟି ମଣ୍ଡିରେ ପଡ଼ିଛି ୭ଲକ୍ଷ ୪୦ହଜାର ୪୬୨କୁଇଣ୍ଟାଲ ଧାନ। ଆଜି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ନେତୃତ୍ବରେ ଜିଲ୍ଲା କଂଗ୍ରେସ କମିଟିର ନେତା ଓ କର୍ମକର୍ତ୍ତାମାନେ ଜୟପୁର ବ୍ଲକର ଜୟନ୍ତଗିରୀ ମଣ୍ଡି ଓ ବୋରିଗୁମ୍ମା ମୁଖ୍ୟଛକରେ ଧାରଣା ଦେଇଥିଲେ।

Advertisment

ସକାଳ ୧୧ଟାରୁ ରାସ୍ତାରୋକ କରିଥିଲେ। ଏପରିକି ରାସ୍ତାର ଉଭୟ ପାର୍ଶ୍ବରେ ଶହ ଶହ ଟ୍ରକ ଓ ବସ ସେଭଳି ଅଟକି ରହିଥିଲା। କେବଳ ୨ଚକିଆ ଓ ଚାରି ଚକିଆ କାର, ଜିପକୁ ବାଦ୍ ଦେଲେ ଅନ୍ୟଭାରିଯାନ ସବୁ ଜୟନ୍ତଗିରୀ ଓ ବୋରିଗୁମ୍ମା ନିକଟରେ ଅଟକି ରହିଥିଲା। ଅଚାନକ ଭାବେ ଜିଲ୍ଲା କଂଗ୍ରେସର ଏହି ରାସ୍ତାରୋକ ଫଳରେ ଅଟକି ରହିଥିବା ଗାଡିର ଚାଳକ ଓ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ।

ବିଧାୟକ ବାହିନୀପତି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ସଚିବ ଭିଭି ଯାଦବଙ୍କ ସହ କୋରାପୁଟ ଜିଲ୍ଲାର ଚାଷୀ ମାନେ ଭୋଗୁଥିବା ସମସ୍ୟାକୁ ନେଇ ଅବଗତ କରାଇଥିଲେ। ବିଭିନ୍ନ ମଣ୍ଡିରୁ କିଭଳି ଯୁଦ୍ଧକାଳୀନ ଭିତ୍ତିରେ ଧାନ କିଣାଯିବ ସେ ଦିଗରେ ଦୃଷ୍ଟି ଦେବାକୁ ସେ ଅନୁରୋଧ କରିଥିଲେ। ଗତ ୧୨ଦିନ ହେବ ଚାଷୀମାନେ ମଣ୍ଡିରେ ପଡ଼ି ପଡ଼ି ରହି ଉତ୍ତେଜିତ ହୋଇଥିବା ଏବଂ ସେମାନେ ଆଇନକୁ ହାତକୁ ନେବା ପୂର୍ବରୁ କିଛି ଆଶୁ ପଦକ୍ଷେପ ନେବାକୁ ଶ୍ରୀ ବାହିନୀପତି ଅନୁରୋଧ କରିଥିଲେ।

ରାଜ୍ୟସରକାର ଜିଲ୍ଲାପ୍ରଶାସନର ପକ୍ଷରୁ ଗଠିତ ସ୍ବତନ୍ତ୍ର ଦଳ ଯାଂଚ କରି ୧୦ହଜାର ୫୧୨ଜଣ ଚାଷୀଙ୍କର ୭ଲକ୍ଷ ୪୦ହଜାର ୪୬୨କୁଇଣ୍ଟାଲ ଧାନ ରହିଥିବା ରିପୋର୍ଟ ସଂପର୍କରେ ବି ଆଲୋଚନା କରିଥିଲେ। ରାଜ୍ୟସରକାର ଏହି ରିପୋର୍ଟକୁ ଧରି ଏହି ପର୍ଯ୍ୟାୟରେ ୪ଲକ୍ଷ ୬୦ହଜାର ଟନ ଧାନ କିଣିବାକୁ ନିର୍ଦେଶ ଦେଇଥିବା ସୂଚନା ଦେଇଥିବା କହିଛନ୍ତି ବିଧାୟକ।

ଅନ୍ୟପକ୍ଷରେ ଜିଲ୍ଲାପାଳଙ୍କ ନିର୍ଦେଶରେ ଭାରପ୍ରାପ୍ତ ଉପଜିଲ୍ଲାପାଳ ତଥା ପିଏଆଇଟିଡିଏ ଗୋପୀନାଥ ସାରକା, ଜିଲ୍ଲା ଯୋଗାଣ ଅଧିକାରୀ ତୁଳାରାମ ନାୟକ, ସହକାରୀ ଯୋଗାଣ ଅଧିକାରୀ ରବିନାରାୟଣ ନନ୍ଦ ପ୍ରମୁଖ ବୋରିଗୁମ୍ମା ଅନ୍ଦୋଳନସ୍ଥଳକୁ ଆସି ଏହି ପ୍ରତିଶ୍ରୃତି ଦେଇଥିଲେ। ମଣ୍ଡିଗୁଡିକରେ ଥିବା ଧାନ ମିଳିଥିବା ୪ଲକ୍ଷ ୬୦ହଜାର ଟାର୍ଗେଟ ଅନୁଯାୟୀ ଯୁଦ୍ଧକାଳୀନ ଭିତ୍ତିରେ ଉଠିବ ବୋଲି କହିଛନ୍ତି ଜିଲ୍ଲାଯୋଗାଣ ଅଧିକାରୀ ତୁଳାରାମ ନାୟକ।

ତେବେ ବଳକା ୨ଲକ୍ଷ ୮୦ହଜାର ପାଇଁ ପୁଣି ଆଉ ଉଚ୍ଚସ୍ତରୀୟ କମିଟି ବୈଠକ ଆସନ୍ତାକାଲି ବସିବାର ସୂଚନା ମିଳିଛି ବୋଲି କହିଛନ୍ତି ଜିଲ୍ଲାଯୋଗାଣ ଅଧିକାରୀ। କୃଷି, କୃଷକ,ଖଟିଖିଆଙ୍କ ସହ ସବୁ ବେଳେ କଂଗ୍ରେସଓ ବିଧାୟକ ରହିଛନ୍ତି ଏବଂ ରହିଥିବେ ବୋଲି କହିଛନ୍ତି ବିଧାୟକ। ମଣ୍ଡି ଆରମ୍ଭରୁ ବାରମ୍ବାର ଟାର୍ଗେଟ ନେଇ ସେ ସଚିବଙ୍କ ସହ ଆଲୋଚନା କରି ଆସୁଥିଲେ।

ଏବେ ବି କେତେ ପରିମାଣର ଧାନ କୃଷକଙ୍କ ନିକଟରେ ରହିଛି ତାହାର ଯାଂଚ କରାଇବା ଏବଂ ବର୍ତ୍ତମାନର ଟାର୍ଗେଟ ପାଇଁ ବି ସେ ନିଜେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ସଚିବଙ୍କ ସହ ବାରମ୍ବାର ଆଲୋଚନା କରିଛନ୍ତି ବୋଲି କହିଛନ୍ତି ବିଧାୟକ। ମଣ୍ଡିରେ ରହିଥିବା ସବୁ ଧାନ ଏବେ ଆସିଥିବା ଟାର୍ଗେଟ ଅନୁଯାୟୀ ଦିନ ରାତି ଉଠିବ। ବଳକା ଟାର୍ଗେଟ ବି କିଭଳି ଶୀଘ୍ର ମିଳିବ ସେ ନେଇ ସଚିବ ଓ ବିଭାଗୀୟ ମନ୍ତ୍ରୀଙ୍କ ସହ ସେ ଆଲୋଚନା କରିଥିବା କହିଛନ୍ତି ବିଧାୟକ।

ବୟନଶିଳ୍ପ ମନ୍ତ୍ରୀ ବି ବିଭାଗୀୟ ମନ୍ତ୍ରୀଙ୍କ ସହ ଏ ନେଇ ଆଲୋଚନା କରିଥିବା ସେ ସୂଚନା ପାଇଥିବା କହିଛନ୍ତି ବିଧାୟକ। ପରୋକ୍ଷରେ ସେ କାହାରି ନାଁ ନ ନେଇ ଅନ୍ୟ ଦୁଇ ଦଳ ବିଜେପି ଓ ବିଜେଡି ଆଡ଼କୁ ଇଙ୍ଗିତ କରି ମଣ୍ଡିକୁ ବୁଲି ଚାଷୀଙ୍କ ସହ ମୁଁ ଅଛି ବୋଲି କହିଲେ ହେବ ନାହିଁ, ତାଙ୍କ ସମସ୍ୟା , ଅଭାବ ଓ ଅସୁବିଧା ସହ ଜଡ଼ିତ ହେବାକୁ ପଡ଼ିବ ବୋଲି କହିଛନ୍ତି ବିଧାୟକ ଶ୍ରୀ ବାହିନୀପତି।

ଗତ କିଛି ଦିନ ହେବ ବିଜେପି ମଣ୍ଡି ଚାଳ ଅଭିଯାନ ଓ ବିଜେଡିର ବରିଷ୍ଠ ନେତ୍ରୀ ଡ.ଇନ୍ଦିରା ନନ୍ଦ ବିଭିନ୍ନ ମଣ୍ଡି ବୁଲି ଚାଷୀଙ୍କ ସମସ୍ୟାକୁ ନେଇ ଆଲୋଚନା କରିଥିଲେ। ଏବେ କଂଗ୍ରେସର ରାସ୍ତାରୋକ ପରେ ରାଜନୈତିକ ଉଷ୍ମତା ବଢ଼ିଛି। ୨୦୨୧ ନୂଆ ବର୍ଷ ଆରମ୍ଭ ପର ଠାରୁ ମଣ୍ଡି ଗୁଡ଼ିକ ଠଫ୍ ହୋଇ ପଡ଼ିଛି। ଟୋକେନ୍ ପାଇଥିବା ଚାଷୀଙ୍କର ସମୟସୀମୀ ସରିଥିଲେ ହେଁ ଧାନ କିଣାଯାଇନି। ଆଉକିଛି ଚାଷୀଙ୍କର ଟୋକେନର ସମୟ ବି ସରିବାକୁ ଆସିଲାଣି।

ଦୀର୍ଘ ୧୨ଦିନ ହେବ ବିଭିନ୍ନ ମଣ୍ଡିରେ ଚାଷୀ ମାନେ ଧାନ କିଭଳି ବିକ୍ରୀ କରିବେ ତାହାକୁ ନେଇ ଚିନ୍ତାରେ ପଡ଼ି ଘାଣ୍ଟି ଚକୁଟି ହେଲେଣି। ଅନ୍ୟ ପଟେ ସରକାର ଠିକଣା ସମୟରେ ଟାର୍ଗେଟ ଦେଉ ନଥିବାରୁ ଦଲାଲ ମାନେ ବି କମ୍ ଦରରେ ଧାନ କିଣିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ବଳକା ୨ଲକ୍ଷ ୮୦ହଜାରର ଟାର୍ଗେଟ ପୁଣି କେବେ ମିଳୁଛି ତାହା ସମୟ ହିଁ କହିବ।