ଦେବଗଡ: ବିଷାକ୍ତ ଛତୁ ଖାଇ ଆଜି ତିଲେଇବଣି ବ୍ଲକ ଅନ୍ତର୍ଗତ ଛେପଲିପାଲି ଗ୍ରାମର ଗୋଟିଏ ପରିବାରର ୭ଜଣ ଗୁରୁତର ଅସୁସ୍ଥ ହୋଇଥିବା ଜଣାପଡିଛି । ସେମାନଙ୍କୁ ଚିକିତ୍ସା ପାଇଁ ଦେବଗଡ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଗୁରୁତର ଅସୁସ୍ଥ ମାନେ ହେଲେ ଛେପଲିପାଲି ଗ୍ରାମର ହରିଜନପଡା ସାହିର ରମେଶ ମହାନନ୍ଦ(୬୫), ତାଙ୍କ ତ୍ସୀ କେର ମହାନନ୍ଦ (୬୦), ପୁଅ ହୃଷିକେଶ ମହାନନ୍ଦ (୨୩), ଝିଅ ଅଞ୍ଜନା ଭୋଜ (୪୫), ନାତୁଣୀ ପଲ୍ଲୀ ଭୋଜ (୨୦), ନାତି ଚଇତୁ ଭୋଜ (୧୮), ଭୁଲୁ ଭୋଜ (୧୫) । ମିଳିଥିବା ସୂଚନା ଅନୁଯାୟୀ, ଛେପଲିପାଲି ଗ୍ରାମର ରମେଶ ମହାନନ୍ଦଙ୍କ ବାଡିରେ ବାଉଁଶ ଗଛ ମୂଳରେ କିଛି ଛତୁ ଫୁଟିଥିଲା ।
ପୂର୍ବାହ୍ନ ସମୟରେ ରମେଶ ଛତୁ ତୋଳି ଆଣିବା ପରେ ଘରେ ରୋଷେଇ କରାଯାଇଥିଲା । ତେବେ ଛତୁ ଖାଇବା ପରେ ରମେଶ, ତାଙ୍କ ସ୍ତ୍ରୀ କେର, ପୁଅ ହୃଷିକେଶ , ଝିଅ ଅଞ୍ଜନା, ନାତି ଚଇତୁ , ଭୁଲୁ ଓ ନାତୁଣୀ ପଲ୍ଲୀ ବାନ୍ତି କରିବା ସହିତ ଅସୁସ୍ଥତା ଅନୁଭବ କରିଥିଲେ। ତେବେ ସେମାନଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଏହାସହିତ ସେମାନଙ୍କର ଚିକିତ୍ସା ଜାରି ରହିଛି ।