ତାସ୍‌ ଖେଳକୁ ନେଇ ତୁମୁଳ କାଣ୍ଡ: ଗୋଷ୍ଠୀ ସଂଘର୍ଷରେ ୭ ଗୁରୁତର, ୨ ସେକ୍ସନ ପୁଲିସ୍‌ ମୁତୟନ

ସମ୍ବଲପୁର: ତାସ୍‌ ଖେଳକୁ କେନ୍ଦ୍ର କରି ଧନୁପାଲି ଥାନା ମାୟାବଗିଚାରେ ତୁମୁଳ କାଣ୍ଡ ଘଟିଛି। ସାମାନ୍ୟ ବଚସାରୁ ୨ ଗୋଷ୍ଠୀ ମଧ୍ୟରେ ବଚସା ଉଗ୍ର ରୂପ ଧାରଣ କରିଛି। ଗୋଟିଏ ଗୋଷ୍ଠୀର ପଥର ମାଡ଼ରେ ୨ ଜଣ ମହିଳା ଗୁରୁତର ଆହତ ହୋଇଥିବା ସମୟରେ ଅନ୍ୟ ଗୋଷ୍ଠୀର ୫ ଜଣ ଆହତ ହୋଇଛନ୍ତି। ଏହି ଘଟଣାକୁ କେନ୍ଦ୍ର କରି ଗୋଟିଏ ଗୋଷ୍ଠୀ ଏସ୍‌ପିଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ। ତେବେ ଉଭୟ ପକ୍ଷର ଅଭିଯୋଗ ଅନୁସାରେ ଧନୁପାଲି ପୁଲିସ୍‌ ୨ଟି ଭିନ୍ନ ଭିନ୍ନ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ସେପଟେ, ଆହତ ହୋଇଥିବା ଲୋକଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ମିଳିଥିବା ସୂଚନା ମୁତାବକ, ଦିନ ପ୍ରାୟ ୨ଟା ସମୟରେ ମାୟାବଗିଚାରେ ଏକ ଗଛ ତଳେ ୬-୭ ଜଣ ଯୁବକ ବସି ତାସ୍‌ ଖେଳୁଥିଲେ। ଏହି ସମୟରେ ସେମାନଙ୍କ ମଧ୍ୟରେ କୌଣସି ପ୍ରସଙ୍ଗକୁ ନେଇ କଥା କଟାକଟି ହୋଇଥିଲା। ଏହି ସମୟରେ ଅନ୍ୟ ଏକ ସମ୍ପ୍ରଦାୟର ଲୋକେ ଉକ୍ତ ରାସ୍ତା ଦେଇ ଯାଉଥିଲେ। ତେବେ ଗଣ୍ଡଗୋଳର ସମାଧାନ କରିବାକୁ ସେମାନେ ଉକ୍ତ ଯୁବକଙ୍କ ପାଖକୁ ଯାଇଥିଲେ। ଭିନ୍ନ ସମ୍ପ୍ରଦାୟରର ହୋଇ ମଧ୍ୟ ସେମାନେ କାହିଁକି ଏହି ପ୍ରସଙ୍ଗରେ ମୁଣ୍ଡ ପୂରାଉଛନ୍ତି କହି ତାସ୍‌ ଖେଳୁଥିବା ଗୋଷ୍ଠୀ ସେମାନଙ୍କୁ ଆକ୍ରମଣ କରିବାକୁ ଲାଗିଥିଲେ। ଫଳରେ ଅପରଗୋଷ୍ଠୀର ମଧ୍ୟ ୨୫ରୁ ୩୦ ଲୋକ ଘଟଣାସ୍ଥଳରେ ପହଞ୍ଚି ପଥର ମାଡ଼ ଆରମ୍ଭ କରିଥିଲେ। ସେପଟେ, ଏହି ଘଟଣା ଦେଖି ତାସ୍‌ ଖେଳୁଥିବା ଗୋଷ୍ଠୀର ଯୁବକମାନେ ଭୂଜାଲି, ଖଣ୍ଡା ଆଦି ମାରଣାସ୍ତ୍ର ନେଇ ଆକ୍ରମଣ କରିବାକୁ ଲାଗିଥିଲେ।

ଏହି ଘଟଣାରେ ଗୋଟିଏ ଗୋଷ୍ଠୀର ରୁକ୍ମିଣୀ ଦୀପ୍‌, ମନୋଜ ଜେନା, ପ୍ରଦୀପ ଜେନା, ‌ସନ୍ତୋଷ ଜାଲ, ସୁକାନ୍ତି ସୁନା ଗୁରୁତର ଆହତ ହୋଇଥିଲେ। ତେବେ ଆକ୍ରମଣ କରିଥିବା ଗୋଷ୍ଠୀ ପ୍ରଥମେ ଆସି ଥାନାରେ ଲିଖିତ ଅଭିଯୋଗ କରିଥିବାରୁ ଏହାକୁ ବିରୋଧ ଅପରଗୋଷ୍ଠୀ ଏସ୍‌ପିଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ। ପରେ ଧନୁପାଲି ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ଥାନାକୁ ଆଣିଥିଲା। ଏହି ଘଟଣାକୁ ନେଇ ମାୟାବଗିଚା‌ ଅଞ୍ଚଳରେ ଉତ୍ତେଜନା ଲାଗିରହିଥିବାରୁ ସେଠାରେ ୨ ସେକ୍ସନ ପୁଲିସ୍‌ ମଧ୍ୟ ମୁତୟନ କରାଯାଇଛି।

ସମ୍ବନ୍ଧିତ ଖବର