ଖୋର୍ଦ୍ଧାରେ ଲକ୍‌ଡାଉନ୍‌ର ୨ୟ ପର୍ଯ୍ୟାୟ: ଶ୍ରମ ନିୟମରେ କୋହଳ, ଉପକୃତ ହେବେ ଜିଲ୍ଲାର ୭ଲକ୍ଷ ଶ୍ରମିକ, କୃଷକ ଓ ମତ୍ସ୍ୟଜୀବୀ

ଖୋର୍ଦ୍ଧା: ଦ୍ୱିତୀୟ ପର୍ଯ୍ୟାୟରେ ଲକ୍‌ଡାଉନ୍‌କୁ ମେ’ ମାସ ୩ ତାରିଖ ଯାଏଁ ବୃଦ୍ଧି କରାଯାଇଛି । ଏହା ସହ ମନରେଗା, କୃଷି, ନିର୍ମାଣ ଆଦି କାର୍ଯ୍ୟ ନିମନ୍ତେ କଟକଣା କୋହଳ କରାଯାଇଛି । ଏହା ଦ୍ୱାରା ଗତ ୧୫ ଦିନ ଧରି କାମଧନ୍ଦା ନଥାଇ ବସିରହିଥିବା ପ୍ରାୟ ୭ଲକ୍ଷ ଶ୍ରମିକ ଉପକୃତ ହେବା ସମ୍ଭାବନା ରହିଛି ।

ରାଜ୍ୟ ସରକାର ଜାରି କରିଥିବା ଲକ୍ ଡାଉନ୍ ଦ୍ୱିତୀୟ ପର୍ଯ୍ୟାୟ କଟକଣା ନିର୍ଦ୍ଦେଶାବଳୀ ଅନୁସାରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ରୋଜଗାର ଯୋଜନା (ମନରେଗା), ପୋଖରୀ ଖୋଳା, ରବିଧାନ ସଂଗ୍ରହ, ମାଛ ଧରିବା ଓ ବିକ୍ରି କରିବା, ବିଜୁ ପକ୍କା ଘର ଓ ପ୍ରଧାନମନ୍ତ୍ରୀ ଆବାସ, ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମରେ ପାଇଖାନା, ନର୍ସରୀ, କେନ୍ଦୁପତ୍ର ତୋଳିବା, ଜଳ ଯୋଗାଣ ବ୍ୟବସ୍ଥାର ମରାମତି, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର କାର୍ଯ୍ୟକ୍ରମ, କୁକୁଡ଼ା ଫାର୍ମ, ମଣ୍ଡି (ପରିବା ଓ ଫଳ ବଜାର), ପ୍ୟାକେଜିଂ, ଖଣି ଆଦି କ୍ଷେତ୍ରରେ ଶ୍ରମିକ ନିଯୁକ୍ତି ହୋଇପାରିବେ ।

ପ୍ରଧାନ ଶ୍ରମିକ (ବର୍ଷକୁ ୬ ମାସ କିମ୍ବା ୬ ମାସରୁ ଅଧିକ କାମ କରୁଥିବା) ୫ଲକ୍ଷ ୪୩ ୧୭୮ ଜଣ ପୁରୁଷ ଓ ୮୯,୪୪୭ ମହିଳା, ନାମମାତ୍ର ଶ୍ରମିକ (୬ ମାସରୁ କମ୍ କାମ ପାଉଥିବା) ୧ଲକ୍ଷ ୨ହଜାର ପୁରୁଷ ଓ ୫୬ ହଜାର ୮୬୬ ମହିଳା କୃଷି କାର୍ଯ୍ୟ, ନିର୍ମାଣ କାର୍ଯ୍ୟ ଆଦି ବନ୍ଦ ହୋଇଥିବା ଯୋଗୁଁ କାମଧନ୍ଦାରୁ ବଂଚିତ ହୋଇଥିଲେ । ନୂତନ ନିର୍ଦ୍ଦେଶାବଳୀ ଜାରି ପରେ ଖୋର୍ଦ୍ଧା ଜିଲ୍ଲାର ଗତ ୧୫ ଦିନ ଧରି କୌଣସି କାମଧନ୍ଦା ନପାଇ ଘରେ ବସିଥିବା ୭ଲକ୍ଷ ୯୨ ହଜାର ଶ୍ରମିକ ପୁଣି ଥରେ କାମ ଧନ୍ଦା ପାଇବାର ସମ୍ଭାବନା ରହିଛି ।

ଜିଲ୍ଲାରେ ଗତ ୧୫ ଦିନ ଧରି ମାଛ ଓ ମାଂସ ବଜାର ପ୍ରାୟତଃ ବନ୍ଦ ରହିଥିଲା । ଫଳରେ ଜିଲ୍ଲାର ୨୨୩୯୦ଟି ମତ୍ସ୍ୟଜୀବୀ ପରିବାରର ୮୦୨୧୦ଜଣ ଓ ଜିଲ୍ଲାର ୩୮୭୫ ମାଛ ଫାର୍ମରେ କାମ କରୁଥିବା ୩୨୮୫ ଜଣ ଶ୍ରମିକ ପ୍ରଭାବିତ ହୋଇଥିଲେ । ଜିଲ୍ଲାର ୯୮୫୮୧ କୃଷି ଶ୍ରମିକ, ୮୪,୯୧୦ ଦିନ ମଜୁରିଆ, କୁକୁଡ଼ା ଫାର୍ମ, ଗୋଶାଳା ଆଦିରେ କାମ କରୁଥିବା ୧୯,୫୨୮ ଶ୍ରମିକ ମଧ୍ୟ ନିଜର କର୍ମସ୍ଥଳକୁ ଯାଇନପାରି ଘରେ ରହିଥିଲେ । ସେହିଭଳି ଜିଲ୍ଲାରେ ୨ଲକ୍ଷ ୧୫ ଜହାର ୬୮୦ ନିର୍ମାଣ ଶ୍ରମିକ ଓ ମନରେଗାରେ ପଂଜୀକୃତ ହୋଇଥିବା ୧ଲକ୍ଷ ୩୫ ହଜାର ୫୮୦ଜଣ ଜବ୍‌କାର୍ଡଧାରୀ ମଧ୍ୟ ଲକ୍ ଡାଉନ୍ ଯୋଗୁଁ ପ୍ରଭାବିତ ହୋଇଥିଲେ ।

ଜିଲ୍ଲାରେ ବର୍ତମାନ ରବି ଋତୁ (ମାର୍ଚ୍ଚ ଠାରୁ ମେ’) ଆରମ୍ଭ ହୋଇଛି । ଯଦିଓ ୨୦୧୫-୧୬, ୨୦୧୬-୧୭ ତଥ୍ୟାନୁସାରେ ଜିଲ୍ଲାରେ ରବି ଋତୁରେ ପ୍ରାୟ ୧ହଜାର ଶ୍ରମିକ ଓ ୩ ହଜାର କୃଷି ଶ୍ରମିକ ଉପକୃତ ହୋଇଥାନ୍ତି । ତେବେ ଖରିଫ ଋତୁରେ ଧାନ ବିକ୍ରି ଆଦି ପରେ ହଠାତ୍ ଲକ୍ ଡାଉନ୍ ଘୋଷଣା ହୋଇଥିବାରୁ ଅନେକ କୃଷି ଶ୍ରମିକ ସେମାନଙ୍କ ପ୍ରାପ୍ୟ ପାଇପାରିନଥିଲେ । ବର୍ତମାନ ଲକ୍‌ଡାଉନ୍ କୋହଳ ହେବା ଦ୍ୱାରା ଜିଲ୍ଲାର ୧ଲକ୍ଷ ୧୬ହଜାର ୨୭୪ଜଣ କୃଷି ଶ୍ରମିକ ଲଭାନ୍ୱିତ ହେବା ସମ୍ଭାବନା ରହିଛି ।

ତେବେ ଏନେଇ ଜିଲ୍ଲାପାଳ ସୀତାଂଶୁ କୁମାର ରାଉତ କହିଛନ୍ତି ଯେ ମନରେଗା, ମାଛଧରିବା, ସ୍ୱଚ୍ଛଭାରତ ନିର୍ମାଣ, ଘରୋଇ ନିର୍ମାଣ ଆଦିରେ କଟକଣା କୋହଳ କରାଯାଇଛି । ତେବେ ସମସ୍ତେ ସାମାଜିକ ଦୂରତ୍ୱ ରକ୍ଷା କରିବା ସହ ଓ ଭିଡ଼ ଯେଭଳି ନରହିବ ସେନେଇ ବ୍ୟବସ୍ଥା କରିବେ । କରୋନା ଭୁତାଣୁ ସଂକ୍ରମଣକୁ ରୋକିବାକୁ ସାମାଜିକ ଦୂରତ୍ୱ, ମୁହଁରେ ମାସ୍କ, ହାତ ଧୋଇବା ଆଦି ଏକ ପ୍ରଭାବଶାଳୀ ମାଧ୍ୟମ ଏହାକୁ ଲକ୍‌ଡାଉନ୍‌ର ଦ୍ୱିତୀୟ ପର୍ଯ୍ୟାୟରେ ମଧ୍ୟ ପାଳନ କରିବା ଆବଶ୍ୟକ ବୋଲି ସେ ପରାମର୍ଶ ଦେଇଛନ୍ତି ।

ସମ୍ବନ୍ଧିତ ଖବର