ବ୍ରହ୍ମପୁର: ବ୍ରହ୍ମପୁର ଖଲ୍ଲିକୋଟ ଜୁନିଅର କଲେଜ ଛାତ୍ରୀ ରାଗିଙ୍ଗ ଘଟଣାରେ ୭ ଜଣ ଛାତ୍ରଙ୍କ ଉପରେ ଆଜି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି କଲେଜ କର୍ତ୍ତୃପକ୍ଷ | ଏହି ଛାତ୍ରମାନଙ୍କୁ ସସ୍ପେଣ୍ଡ କରାଯାଇଥିବାବେଳେ ଆଣ୍ଟି ରାଗିଙ୍ଗ କମିଟିର ସୁପାରିଶ କ୍ରମେ ସବୁଦିନ ପାଇଁ ସସ୍ପେଣ୍ଡ କରାଯାଇଛି | କ୍ୟାମ୍ପସ ପୁଲିସକୁ ମଧ୍ୟ କାର୍ଯ୍ୟାନୁଷ୍ଠାନ ପାଇଁ ସ୍ୱାଧୀନତା ଦିଆଯିବା ସହ ଏହି ଛାତ୍ରମାନେ କ୍ୟାମ୍ପସରେ ଦେଖାଗଲେ ସ୍ଥାନୀୟ ପୁଲିସକୁ ଜଣାଇବାକୁ ଆହ୍ୱାନ ଦିଆଯାଇଛି |

Advertisment

ଏହି ଛାତ୍ରମାନେ ହେଉଛନ୍ତି ସୁଦାମ ଚୌଧୁରୀ, ପାର୍ଥ ଦାସ, ଡି. କିରଣ ପାତୁରୁଡୁ, କେ. ନରସିଂହ ପାତ୍ର, ମୌସମ ବେହେରା, ଏସ. ଗୌତମ ରାୟ ଓ କାହ୍ନା ସାବତ। ସୂଚନା ଥାଉ କି ଉକ୍ତ ଶିକ୍ଷାନୁଷ୍ଠାନର ଜଣେ +୨ ପ୍ରଥମ ବର୍ଷ ଛାତ୍ରୀ ଶେଷବର୍ଷ ଛାତ୍ରଙ୍କ ବିରୋଧରେ ରାଗିଂ ଅଭିଯୋଗ ଆଣିଥିଲେ । ପୀଡ଼ିତା ଛାତ୍ରୀଙ୍କୁ ଶ୍ରେଣୀ ଗୃହକୁ ଯିବାକୁ ନଦେଇ ଅଶ୍ଳୀଳ ଭାଷାରେ ଗାଳିଗୁଲଜ ସହ ଟଣାଟଣି କରିବା ନେଇ ସେ ଅଧ୍ୟକ୍ଷଙ୍କୁ ଲିଖିତ ଅଭିଯୋଗ କରିଥିଲେ । ଏହାର ତଦନ୍ତ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଆଣ୍ଟିରାଗିଂ କମିଟିକୁ ଅଭିଯୋଗପତ୍ରଟି ହସ୍ତାନ୍ତର କରାଯାଇଥିଲା । ଆଉ ରିପୋର୍ଟ ମିଳିବା ପରେ କଲେଜ କର୍ତ୍ତୃପକ୍ଷ ଏହି ନିଷ୍ପତ୍ତି ନେଇଛନ୍ତି |