ଶ୍ବଶୁରକୁ ହତ୍ୟା ମାମଲାରେ ଜ୍ବାଇଁଙ୍କୁ ୭ ବର୍ଷ ଜେଲ୍

ହିଞ୍ଜିଳିକାଟୁ: ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଥାନା ସାରୁ ଗ୍ରାମରେ ୨୦୦୯ ମସିହା ଅଗଷ୍ଟ ୫ ତାରିଖରେ କେମନ୍ତ ଦାସଙ୍କୁ ତାଙ୍କ ଜ୍ବାଇଁ ବିଚିତ୍ର ଦାସ ହତ୍ୟା କରିଥିଲା। ଆଜି ହିଞ୍ଜିଳିକାଟୁ ସର୍କିଟ୍ କୋର୍ଟରେ ଛତ୍ରପୁର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ମନୋରଞ୍ଜନ ଦାସ ଏହି ମାମଲାର ବିଚାରଣା କରି ଚୂଡ଼ାନ୍ତ ରାୟ ଶୁଣାଇଛନ୍ତି। ୧୮ ଜଣଙ୍କ ସାକ୍ଷ୍ୟ ଓ ପ୍ରମାଣକୁ ଭିତ୍ତି କରି ଅଭିଯୁକ୍ତ ବିଚିତ୍ରକୁ ଦୋଷୀ ସାବ୍ୟସ୍ତ କରିବା ସହ ୭ ବର୍ଷ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି। ସରକାରଙ୍କ ତରଫରୁ ସରକାରୀ ଓକିଲ ଡମିନାଥ ସାହୁ ମକଦ୍ଦମା ପରିଚାଳନା କରିଥିଲେ।ସୂଚନାନୁସାରେ, କୁକୁଡ଼ାଖଣ୍ଡି ବାଉରୀସାହିର କେମନ୍ତ ଦାସଙ୍କ ଝିଅ ଆରତୀ ୨୦୦୬ ମସିହାରେ ସାରୁ ଗ୍ରାମର ଯୋଗୀ ଦାସଙ୍କ ପୁଅ ବିଚିତ୍ରକୁ ବୈଦିକ ରୀତିରେ ବିବାହ କରିଥିଲେ। ତେବେ ଆରତୀଙ୍କୁ ବିଚିତ୍ର ‌‌ଯୌତୁକ ପାଇଁ ନିର୍ଯାତନା ଦେଇଆସୁଥିଲା।

୨୦୦୯ ମସିହା ଅଗଷ୍ଟ ୫ ତାରିଖରେ କେମନ୍ତ ତାଙ୍କ ଝିଅ ଅପି ସହ ସାରୁ ଗ୍ରାମକୁ ଆସିଥିଲେ। ଏହି ସମୟରେ ତାଙ୍କ ସାମ୍ନାରେ ହିଁ ବିଚିତ୍ର ପତ୍ନୀ ଆରତୀଙ୍କୁ ପ୍ରବଳ ମାଡ଼ ମାରିଥିଲା। କେମନ୍ତ ଏହାର ପ୍ରତିବାଦ କରିବାରୁ ବିଚିତ୍ର ଉତ୍‌କ୍ଷିପ୍ତ ‌ହୋଇ ଏକ ପଥର ତାଙ୍କ ଛାତି ଉପରକୁ ଫୋପାଡ଼ି ଦେଇଥିଲା। କୁକୁଡ଼ାଖଣ୍ଡି ଡାକ୍ତରଖାନାରେ କେମନ୍ତଙ୍କୁ ମୃତ ଘୋଷଣା କରାଯାଇଥିଲା। ହିଞ୍ଜିଳିକାଟୁ ଥାନାରେ କେସ୍ ନମ୍ବର ୯୬/୦୯ ଅନୁସାରେ ମାମଲା ରୁଜୁ ସହ ବିଚିତ୍ରକୁ ଗିରଫ କରାଯାଇଥିଲା। ଆଜି ଏହି ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ ସହ କେମନ୍ତକୁ ଉପରୋକ୍ତ ଦଣ୍ଡାଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର