ଜୟପୁର: ଜୟପୁର ଟାଉନ ଥାନା ଅନ୍ତର୍ଗତ ବେଲରୋଡ୍ ଅଞ୍ଚଳରେ ଆଜି ଦିନ ଦ୍ବିପହର ସମୟରେ ଉପେନ୍ଦ୍ର ବାଗଙ୍କଠାରୁ ୭୦ ହଜାର ଟଙ୍କା ଲୁଟ ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ଏନେଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ବିଭିନ୍ନ ଦିଗରେ ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁଯାୟୀ, ଉପେନ୍ଦ୍ର ବାଗ ସ୍ଥାନୀୟ ଜମାଲ କଲୋନୀରେ ଭଡା ଘରେ ରହୁଛନ୍ତି। ସେ ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ଚିପାକୁର ଓ କେନ୍ଦୁଗୁଡା ଗ୍ରାମପଞ୍ଚାୟତ କାର୍ଯ୍ୟନିର୍ବାହୀ ଭାବେ କାର୍ଯ୍ୟ କରନ୍ତି।
ଆଜି ସାଢ଼େ ୧୦ଟା ବେଳେ ସ୍ଥାନୀୟ ମହାତ୍ମାଗାନ୍ଧୀ ମାର୍ଗରେ ଥିବା ଆଇସିଆଇସିଆଇ ବ୍ୟାଙ୍କକୁ ଉପେନ୍ଦ୍ର ଯାଇଥିଲେ। ସେଠାରେ ଚେକ୍ ମାଧ୍ୟମରେ ୭୦ ହଜାର ଟଙ୍କା ଉଠାଇଥିଲେ। ଏହାପରେ ୨ଟି ପଞ୍ଚାୟତର ପେନସନ୍ ପାସବୁକଗୁଡିକୁ ଅପ୍ଡେଟ୍ କରିଥିଲେ। ପଞ୍ଚାୟତ କାର୍ଯ୍ୟାଳୟରେ ଉନ୍ନୟନ କାର୍ଯ୍ୟରେ ସିମେଣ୍ଟ କିଣିଥିବାବେଳେ ସିମେଣ୍ଟ ଦୋକାନ ମାଲିକଙ୍କୁ ଏହି ୭୦ ହଜାର ଟଙ୍କା ପୈଠ କରିବାକୁ ଯାଉଥିଲେ। ବାଇକରେ ଉପେନ୍ଦ୍ର ଯିବା ସମୟରେ ବେଲରୋଡ୍ ଠାରେ ଦୁଇ ଜଣ ଯୁବକ ତଳେ କିଛି ଟଙ୍କା ପକାଇ ଦେଇ ସାର୍ ଆପଣଙ୍କ ଟଙ୍କା ପଡିଯାଇଛି ବୋଲି କହିଥିଲେ।
କିଛି ଟଙ୍କା ପଡିଥିବାର ଦେଖି ତାହାକୁ ତଳୁ ଗୋଟାଇ ଆଣିବା କ୍ଷଣିକ ମଧ୍ୟରେ ବାଇକରେ ଲାଗିଥିବା ଟଙ୍କା ବ୍ୟାଗକୁ ଦୁର୍ବୃତମାନେ ନେଇଯାଇଥିଲେ। ସେଥିରେ ୭୦ ହଜାର ଟଙ୍କା ସମେତ ଚେକ୍ ବହି ଓ ୨ଟି ପଞ୍ଚାୟତର ପେନସନ୍ ଖାତାଗୁଡିକ ରହିଥିଲା। ଏନେଇ ସେ ତୁରନ୍ତ ଟାଉନ ଥାନାରେ ଅଭିଯୋଗ ଦେଇଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିବା ସହ ବିଭିନ୍ନ ସ୍ଥାନରେ ପଚରାଉଚୁରା କରୁଛି |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/loot-1.jpg)