ସମ୍ବଲପୁର: ସରକାର ହିତାଧିକାରୀଙ୍କ ଯୋଗାଇଦେବା ପାଇଁ ଚାଉଳ ପଠାଉଛନ୍ତି। ତେବେ କିଛି ଅଧିକାରୀ ଏହି ଚାଉଳକୁ ବିକ୍ରି କରି ଗରିବଙ୍କ ପେଟରେ ଲାତ ମାରି ଆସୁଛନ୍ତି। ଅନେକ ସମୟରେ ଏଭଳି ହେରଫେରକୁ ଚାପି ଦିଆ ଯାଉଥିବାରୁ ତାହା ପଦାକୁ ଆସିପାରୁ ନାହିଁ। ତେବେ କତରବଗା ଥାନା ଅଧୀନ ଝାଙ୍କରପାଲି ପଞ୍ଚାୟତରେ ପିଡିଏସ୍‌ ଚାଉଳ ବଣ୍ଟନରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ପଞ୍ଚାୟତର ଏକଜିକ୍ୟୁଟିଭ୍‌ ଅଧିକାରୀ(ପିଇଓ) ନଟବର ନାୟକ ଲିଖିତ ଅଭିଯୋଗ କରିବା ପରେ କତରବଗା ଥାନାରେ ଏକ ମାମଲା ମଧ୍ୟ ରୁଜୁ ହୋଇଛି। ତାଙ୍କ ଅଭିଯୋଗ ଅନୁଯାୟୀ, ଝାଙ୍କରପାଲି ପଞ୍ଚାୟତର ପୂର୍ବତନ ଯୋଗାଣ ସହାୟକ ଏହି କାରସାଦି କରିଛନ୍ତି। ୭୨ କ୍ବିଣ୍ଟା ଚାଉଳ ହେରଫେର୍‌ ହୋଇଥିବା ବେଳେ ଦାୟିତ୍ବ ହସ୍ତାନ୍ତର ସମୟରେ ଇପିଓସ୍‌ ମେସିନ୍‌ ଓ ଷ୍ଟକ୍‌ ରେଜିଷ୍ଟର୍‌ ମଧ୍ୟ ଦେଇ ନଥିଲେ। ଏ ନେଇ ଅଭିଯୋଗ ହେବା ପରେ କତରବଗା ଥାନା ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ହେରଫେର୍‌ କରିଥିବା ପୂର୍ବତନ ଯୋଗାଣ ସହାୟକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପିଇଓ ବୁଧବାର ସମ୍ବଲପୁର ଜିଲ୍ଲାପାଳଙ୍କ ନିକଟରେ ଦାବିପତ୍ର ପ୍ରଦାନ କରିଛନ୍ତି। ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି।