୭୨ ବର୍ଷ ବୟସରେ ବି ଥକି ନାହାନ୍ତି ବନମାଳୀ, ବୟସ୍କଙ୍କୁ ବାଣ୍ଟୁଛନ୍ତି ସୁସ୍ଥତାର ମନ୍ତ୍ର

ସୁନ୍ଦରଗଡ଼: ବୟସ ୭୨ ବର୍ଷ। କିନ୍ତୁ ଦେହରେ ଯୁବକର ଚମକ। ଏହି ବୟସରେ ସେ ଅତି ସହଜରେ ବୁଲାଇ ପାରନ୍ତି ୩୦ କେଜିର ମୁଦଗର। ଏହା ସହ ବେଶ ଆରାମରେ ଡମବେଲ, ବାରରେ ବ୍ୟାୟାମ କରନ୍ତି ଘଣ୍ଟା ଘଣ୍ଟା ଧରି। ନିଜକୁ ଦକ୍ଷ ଓ ସୁସ୍ଥ ରଖିବା ପାଇଁ ଶାରୀରିକ ବ୍ୟାୟାମକୁ ମୂଳମନ୍ତ୍ର କରିଥିବା ବ୍ୟକ୍ତି ଜଣକ ହେଲେ ସୁନ୍ଦରଗଡ଼ ସହର ଥାନାପଡ଼ା ଅଞ୍ଚଳର ବନମାଳୀ ସୁନାନୀ। ଏ ମନ୍ତ୍ରରେ କେବଳ ସେ ସୁସ୍ଥ ରହିଛନ୍ତି ତାହା ନୁହେଁ, ଅନ୍ୟ ସମବୟସ୍କମାନଙ୍କୁ ମଧ୍ୟ ନିୟମିତ ବାଣ୍ଟୁଛନ୍ତି। ଏଥିପାଇଁ ନିଜ ଘରେ ସେ ଛୋଟିଆ ଜିମ୍ ଖୋଲିଛନ୍ତି। ଏଠାରେ ସେ ଅବସର ନେଇଥିବା ବ୍ୟକ୍ତି ଓ ବୟସ୍କମାନଙ୍କୁ ମାଗଣାରେ ବ୍ୟାୟାମ ଶିଖାଉଛନ୍ତି। ସ୍କୁଲ ଦିନରୁ ବ୍ୟାୟମ ପ୍ରତି ଥିଲା ତାଙ୍କର ପ୍ରବଳ ଆଗ୍ରହ। ପରବର୍ତ୍ତୀ ସମୟରେ ବ୍ୟସ୍ତ ଜୀବନ ଭିତରେ ବି ସେ ଏହାକୁ ଜାରି ରଖିଥିଲେ। ଯାହା ବୟସର ଅପରାହ୍ନରେ ବି ଛାଡ଼ି ପାରି ନାହାନ୍ତି। ଆଉ ଏହା ହିଁ ତାଙ୍କୁ ନିରୋଗ ରଖିଛି। ତାଙ୍କ ମତରେ, ଦେହ ଓ ମନକୁ ଫୂର୍ତ୍ତି ରଖିବାକୁ ହେଲେ ନିୟମିତ ବ୍ୟାୟାମ ଆବଶ୍ୟକ। ସେ ସକାଳୁ ଉଠି ମୁଦ୍ଗର, ଡମବେଲରେ ବ୍ୟାୟାମ କରିବା ପରେ ଘରେ ଥିବା ଜିମରେ କସରତ କରନ୍ତି। ଏହି ସମୟ ମଧ୍ୟରେ ବହୁ ସମବୟସ୍କମାନେ ଆସି ତାଙ୍କଠାରୁ ବ୍ୟାୟାମ ଶିକ୍ଷା ନିଅନ୍ତି। ବ୍ୟାୟାମ ଏବେ ବନମାଳୀଙ୍କ ନିଶା ପାଲଟି ଯାଇଥିବା ବେଳେ ତାଙ୍କ ସୁସ୍ଥତା ଅଭିଯାନରେ ଏବେ ସହରର ବହୁ ଲୋକ ଯୋଡ଼ି ହେଲେଣି।

ସମ୍ବନ୍ଧିତ ଖବର