ଅସ୍ତରଙ୍ଗ: ପୁରୀଜିଲ୍ଲା ସୂଚନା ଲୋକ ସମ୍ପର୍କ ବିଭାଗ ଓ ଲବଣ ସତ୍ୟାଗ୍ରହ ସ୍ମୃତି କମିଟି ଆନୁକୂଲ୍ୟରେ ଆଜି ଅସ୍ତରଙ୍ଗ ସ୍ଥିତ କୁହୁଡିଠାରେ ୯୨ ତମ ରାଜ୍ୟସ୍ତରୀୟ ଲବଣ ସତ୍ୟାଗ୍ରହ ସ୍ମୃତି ସ୍ମାରକୀ ଦିବସ ପାଳିତ ହୋଇଯାଇଛି। ସ୍ମୃତିକମିଟିର ସଭାପତି ତଥା ବର୍ଷୀୟାନ ସ୍ୱାଧୀନତା ସଂଗ୍ରାମୀ ସୋମନାଥ ପାତ୍ରଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଅସ୍ତରଙ୍ଗ ବ୍ଲକଠାରୁ କୁହୁଡି ପଯ୍ୟନ୍ତ ପଦଯାତ୍ରା, ରାମଧ୍ୱନି,ଗାନ୍ଧିଜୀଙ୍କ ଭଜନରେ ଲବଣ ସତ୍ୟାଗ୍ରହ ସ୍ମୃତିପୀଠ କମ୍ପିଉଠିଥିଲା। ସକାଳ ୯ଟା ସୁଧା ଅତିଥି ପହଞ୍ଚି ସ୍ମୃତି ପୀଠର ଗାନ୍ଧୀ ଓ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। କାର୍ଯ୍ୟକ୍ରମରେ ଓଡିଶାର ବରଣ୍ୟ ରାଜ୍ୟପାଳ ଡ. ପ୍ରଫେସର ଗଣେଶୀ ଲାଲ୍ ଭାରତର ସ୍ୱାଧୀନତାରେ ଲବଣ ସତ୍ୟାଗ୍ରହର ଭୂମିକା, ମହାତ୍ମାଗାନ୍ଧୀଙ୍କ ଦାଣ୍ଡିଯାତ୍ରା ଓ କୁହୁଡି ଲବଣ ସତ୍ୟାଗ୍ରହ ଉପରେ ପ୍ରଦାନ କରିଥିବା ସୁନ୍ଦର ଅଭିଭାଷଣକୁ ସଭାକାର୍ଯ୍ୟ ପୂର୍ବରୁ ପ୍ରୋଜେକ୍ଟର ମାଧ୍ୟମରେ ସମସ୍ତେ ଦେଖିଥିଲେ। ସେହିପରି କାର୍ଯ୍ୟକ୍ରମ ଉପରେ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀଙ୍କର ଶୁଭେଚ୍ଛା ବାର୍ତ୍ତା ପ୍ରୋଜେକ୍ଟରରେ ପ୍ଲେ  କରାଯାଇଥିଲା।

Advertisment

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଜଳସମ୍ପଦ, ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ଯୋଗ ଦେଇ ଲବଣ ସତ୍ୟାଗ୍ରହ ପୀଠ କୁହୁଡିର ଐତିହ ବିଷୟରେ ଉଦବୋଧନ ଦେଇଥିଲେ। ଅବହେଳିତ ପୀଠର ବିକାଶ ନିମନ୍ତେ ରାଜ୍ୟ ସରକାରଙ୍କ ସହ ଆଲୋଚନା କରି ଆବଶ୍ୟକ ବ୍ୟବସ୍ଥା କରିବାକୁ ସେ ପ୍ରତିଶ୍ରୁତି ଦେଇଥିଲେ।
ସେହିପରି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଲେଖକ, ଗାଳ୍ପିକ ତଥା ସ୍ତମ୍ଭକାର ଦାସ ବେନହୁର ଓ ସ୍ୱାଧୀନତା ପ୍ରେମୀ ପ୍ରହଲ୍ଲାଦ ସିଂହ ଯୋଗଦେଇ ଲବଣ ସତ୍ୟାଗ୍ରହର ପ୍ରାସଙ୍ଗିକତା, ଗାନ୍ଧିଜୀଙ୍କ ଅହିଂସା ନୀତି ଓ ସଂଗ୍ରାମୀଙ୍କ ବୀରତ୍ୱକୁ ବର୍ଣ୍ଣନା କରି ସମସ୍ତଙ୍କ ହୃଦୟ ଛୁଇଁଥିଲେ। ଅବହେଳିତ ସଂଗ୍ରାମୀ କୁହୁଡି ପୀଠର ବିକାଶ ପାଇଁ ମିଳିମିଶି କାର୍ଯ୍ୟକରିବା ସମେତ ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ମୃତିକୁ ବଞ୍ଚାଇ ରଖିବାକୁ ଆହ୍ୱାନ ଦେଇଥିଲେ।

କାର୍ଯ୍ୟକ୍ରମରେ ନିମନ୍ତ୍ରିତ ଅତିଥିଭାବେ ଯୁବାକ୍ରୀଡା ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା, ଜଗସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକ, ପୁରୀ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ୱାଧୀନ ନାୟକ,ସମ୍ମାନିତ ଅତିଥି ଭାବେ ପୂର୍ବତ୍ତନ ବିଧାୟକ ସୁରେନ୍ଦ୍ର ସେଠୀ, ରବି ମଲ୍ଲିକ, ଅସ୍ତରଙ୍ଗ ପଞ୍ଚାୟତ ସମିତି ଅଧ୍ୟକ୍ଷା ଆରତୀ ନାୟକ, କାକଟପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀଧର ନାୟକ, ଅସ୍ତରଙ୍ଗ ତହସିଲଦାର ରାଜଲକ୍ଷ୍ମୀ ନାୟକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ସମେତ ତାଙ୍କ ଟିମ୍ ,ଅସ୍ତରଙ୍ଗ ସରପଞ୍ଚ ରାମଚନ୍ଦ୍ର କାଣ୍ଡି,ପୂର୍ବତନ ସମିତିସଭ୍ୟ ଦିବାକର ଛାଟୋଇ ଓ ବହୁମାନ୍ୟଗଣ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

କାର୍ଯ୍ୟକ୍ରମ ଶେଷରେ କୁହୁଡି ଲବଣ ସତ୍ୟାଗ୍ରହରେ ଅଂଶ ଗ୍ରହଣ କରିଥିବା ସଂଗ୍ରାମୀଙ୍କ ଉତ୍ତର ଦାୟାଦଙ୍କୁ ମାନପତ୍ର ସହ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା ଦିଆଯାଇଯାଇଥିଲା। ଏହି କାର୍ଯ୍ୟକ୍ରମକୁ ସଂସ୍କୃତ ପଣ୍ଡିତ କାଳିନ୍ଦୀ ଚରଣ ଛାଟୋଇ ପରିଚାଳନା କରିଥିଲେ। ସ୍ମୃତି କମିଟିର କାର୍ଯ୍ୟକାରୀ ସଭାପତି ଉପସ୍ଥିତ ଅତିଥିଙ୍କ ପରିଚୟ ଓ ମଞ୍ଚ ପରିଚାଳନା କରିଥିଲେ। ଆୟୋଜିତ କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ସମ୍ପାଦନା କରିବାକୁ ସ୍ମୃତି କମିଟିର ସତ୍ୟବ୍ରତ ଲେଙ୍କା,ତରୁଣ ନାୟକ,ପବିତ୍ର ସ୍ୱାଇଁ,ବାବୁରାମ ସ୍ୱାଇଁ,ଭୋଳାନାଥ ସ୍ୱାଇଁ ଓ କୁହୁଡି ଗ୍ରାମବାସୀ ସହଯୋଗ କରିଥିଲେ।